ମହାନଦୀର ନୀଳ ଜଳ ରାଶିରେ ପ୍ରଥମଥର ପାଇଁ ‘ଫ୍ଲୋଟିଂ ରେସ୍ତୋରାଁ’ ଉଦ୍‌ଘାଟିତ

କଟକ : କଟକ ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ନୂଆ ଆକର୍ଷଣ ଯୋଡ଼ିହୋଇଛି। ମହାନଦୀର ନୀଳ ଜଳ ରାଶିରେ ପ୍ରଥମଥର ପାଇଁ ‘ଫ୍ଲୋଟିଂ ରେସ୍ତୋରାଁ’ ଉଦ୍‌ଘାଟିତ ହୋଇଛି। ମହାନଦୀ କୂଳରେ ଗଢ଼ିଉଠିଥିବା ସିଲଭର୍‌ ସିଟି ବୋଟ୍‌ କ୍ଲବ୍‌ରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ପକ୍ଷରୁ ଏଭଳି ଏକ ନୂଆ ଧରଣର ରେସ୍ତୋରାଁ ଖୋଲାଯାଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହି ଫ୍ଲୋଟି˚ ରେସ୍ତୋରାଁର ଉଦ୍‌ଘାଟନ କରିଛନ୍ତି।

ପ୍ରଥମ ପର୍ଯ୍ୟା‌ୟରେ ଏକ ସମୟରେ ୮ ଜଣ ଏହି ଫ୍ଲୋଟି˚ ରେସ୍ତୋରାଁର ବସିପାରିବେ। ଘଣ୍ଟା ପ୍ରତି ହିସାବରେ ଏଠାରେ ଗ୍ରାହକମାନଙ୍କୁ ଦେୟ ଦେବାକୁ ପଡ଼ିବ। ଏହି ରେସ୍ତୋରାଁ ଉପରେ ସୋଲାର ପ୍ୟାନେଲ୍‌ ରହିଛି ଏବ˚ ଏଲ୍‌ଇଡି ଲାଇଟ୍‌ରେ ଏହାକୁ ସୁସଜ୍ଜିତ କରାଯାଇଛି। ଫଳରେ ସନ୍ଧ୍ୟା ସମୟରେ ବି ପର୍ଯ୍ୟଟକମାନେ ରେସ୍ତୋରାଁରେ ଖାଇବାର ମଜା ନେଇପାରିବେ। ଗ୍ରାହକମାନଙ୍କ ସୁରକ୍ଷା ପ୍ରତି ଏଠାରେ ସଂପୂର୍ଣ୍ଣ ଧ୍ୟାନ ଦିଆଯିବା ସହିତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି। ଗ୍ରାହକମାନେ ସିଲଭର୍ ସିଟ୍ ବୋଟ୍ କ୍ଲବ୍ ଅଥବା ପାନ୍ଥ ନିବାସ ଜରିଆରେ ଏହି ଫ୍ଲୋଟିଂ ରେସ୍ତୋରାଁ ବୁକ୍ କରିପାରିବେ। ଆଗାମୀ ଦିନରେ ୩୦ ଜଣ ବସିବା ଭଳି ଫ୍ଲୋଟି˚ ରେସ୍ତୋରାଁ ବ୍ୟବସ୍ଥା ଓଟିଡିସି କରିବାକୁ ଯାଉଛି।

ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ରାମଚନ୍ଦ୍ର ଯାଦବ, ଓଟିଡିସି ମହାପ୍ରବନ୍ଧକ ଶାନ୍ତନୁ ମହାନ୍ତି, କଂପାନି ସେକ୍ରେଟାରି ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ୍ ମ୍ୟାନେଜର୍ ପ୍ରଣବ କୁମାର ଚାନ୍ଦ, ମାର୍କେଟିଂ ମ୍ୟାନେଜର ରଂଜନ ମିଶ୍ର, କଟକ ପାନ୍ଥ ନିବାସ ମ୍ୟାନେଜର ତାରିକ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲ୍ ମାସରେ ଏହି ବୋଟ୍ କ୍ଲବ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସେହି ସମୟରେ ଏଠାରେ ଫ୍ଲୋଟିଂ ରେସ୍ତୋରାଁ ଯୋଜନା ହୋଇଥିଲେ ବି କୋଭିଡ୍ କଟକଣା ଯୋଗୁଁ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା।

Leave a Reply

Your email address will not be published. Required fields are marked *