ଦଶହରାରେ ଓଟିଡିସିର ପିଠା ଅନ୍ ହ୍ୱିଲ୍ , ‘ନିମନ୍ତ୍ରଣ’ ରେ ସ୍ପେଶାଲ ବ୍ୟଞ୍ଜନ

ଭୁବନେଶ୍ୱର : ପବିତ୍ର ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ଵାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯିବ । ଦଶହରା ପୂଜାକୁ ଦୃଷ୍ଟିରେ ରଖି ଆଜିଠୁ ଅର୍ଥାତ୍ ୧୨ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଏହି ପିଠା ରାଜଧାନୀ ଭୁବନେଶ୍ୱର ସମେତ କଟକ, ସମ୍ବଲପୁରର ବିଭିନ୍ନ ସ୍ଥାନରେ କାଉଣ୍ଟର ଓ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ଉପଲବ୍ଧ ହେବ । ଓଟିଡିସି ପରିଚାଳିତ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟରେ ମଧ୍ୟ ଦଶହରା ପୂଜା ପାଇଁ ସ୍ପେଶାଲ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି ।
ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଉଦଘାଟନ କରିବା ସହ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ । କୋଭିଡ୍ ଗାଇଡଲାଇନକୁ ମାନି ସମସ୍ତେ ଘରେ ରହି ପବିତ୍ର ଦୁର୍ଗା ପୂଜା ପାଳନ କରିବାକୁ ସେ ପରାମର୍ଶ ଦେଇ କହିଥିଲେ ଯେ, ଦଶହରା ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ । ଘରେ ରହି କୋଭିଡ୍ ଗାଇଡଲାଇନ ମାନି ଏହି କରୋନା ରୂପକ ବିପଦକୁ ସମସ୍ତେ ମିଳିତ ଭାବେ ଦୂରେଇ ଦେଇପାରିବା । ପାନ୍ଥନିବାସ କର୍ମଚାରୀ ଓ ମିଶନ ଶକ୍ତିର ମା’ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହାଇଜେନିକ୍ ପକ୍ରିୟାରେ ହାତ ତିଆରି ପ୍ରସ୍ତୁତ ଏହି ଓଡ଼ିଆ ସୁସ୍ୱାଦୁ ବିଭିନ୍ନ ପିଠା ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଲୋକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଶ୍ରୀମତୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି ।
ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଥିଲେ ଯେ, କୋଭିଡ୍ ଗାଇଡଲାଇନ୍ ଓ କଟକଣା ଭିତରେ ଏହି ପିଠା ପ୍ରସ୍ତୁତ ସହ ଲୋକମାନଙ୍କ ନିକଟରେ ପହଂଚାଇବାର ବ୍ୟବସ୍ଥା ହୋଇଛି । ଓଟିଡିସି ଦ୍ୱାରା ରଜ ମହୋତ୍ସବ ସମୟରେ ‘ପିଠା ଅନ୍ ହ୍ୱିଲ’ କାର୍ଯ୍ୟକ୍ରମ ମାଧ୍ୟମରେ ପିଠା ବିକ୍ରିକୁ ଲୋକେ ବେଶ୍ ପସନ୍ଦ କରିଥିଲେ । ପିଠା ବିକ୍ରିର ସଫଳତା ଓ ଲୋକମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଓଟିଡିସି ପ୍ରଥମଥର ପାଇଁ ଦଶହରା ପୂଜାରେ ବି ପିଠା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଭୁବନେଶ୍ୱର, କଟକ ଓ ସମ୍ବଲପୁର ପାନ୍ଥନିବାସ ସମେତ ଭୁବନେଶ୍ୱର ନିମନ୍ତ୍ରଣ ରେଷ୍ଟୁରାଣ୍ଟ, କଟକର ସିଲିଭରସିଟି ବୋଟ୍ କ୍ଲବରେ ସ୍ୱତନ୍ତ୍ର କାଉଣ୍ଟରମାନ ଖୋଲାଯାଇ ଏହି ପିଠା ବିକ୍ରି ଆଜିଠୁ ଆରମ୍ଭ ହେବ । ଏହାସହିତ ପୂର୍ବାହ୍ନରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଓ ଅପରାହ୍ନରେ ପଟିଆ ଛକଠାରେ ଏବଂ କଟକର ସିଲିଭରସିଟି ବୋଟ କ୍ଲବ ଓ ସିଡିଏ ଠାରେ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ବି ପିଠା ଯୋଗାଇ ଦିଆଯିବ ।
ସେହିପରି ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି କହିଥିଲେ ଯେ, ବିଶେଷକରି ଚଳିତ ଦଶହରା ପୂଜାର ୪ଦିନ ଆରିଷା ପିଠା, କାକରା, ଭଜା ମଣ୍ଡା, ସିଝା ମଣ୍ଡା, କ୍ଷୀରଗଜା, ଲବଙ୍ଗଲତା, ଛେନାପୋଡ଼, ପୋଡ଼ ପିଠା ପ୍ରସ୍ତୁତ କରି ବିକ୍ରି କରାଯିବ । ଓଟିଡିସିର ନିଜସ୍ୱ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ରେ ମଧ୍ୟ ଦଶହରା ପାଇଁ ବିଭିନ୍ନ ପ୍ରକାରର ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହେଉଛି । ନିମନ୍ତ୍ରଣରେ ‘ପିଠା’ ମଧ୍ୟ ଉପଲବ୍ଧ ହେବ । ପିଠା ସହିତ ବୁଟ ଡାଲି ବରା ଓ ପାତାଳଘଣ୍ଟା ଚଟନୀ, ନିମନ୍ତ୍ରଣ ଚିକେନ କୋଫ୍ତା ପୋଡ଼ା, ନିମନ୍ତ୍ରଣ ମଶରୁମ୍ କୋଫ୍ତା ପୋଡ଼ା, ମଟନ କୋଫ୍ତା, ସୋରିଷ ବଟା ଫିସ୍ ଫିଙ୍ଗର, ପତ୍ର ପୋଡ଼ା ମଶରୁମ୍, ପ୍ରନ୍ ଛେଚା, ବାଲି ପ୍ରନ୍ , କାକରା-ଘୁଗୁନି, ପାମ୍ପଡି ଚାଟ୍ , ବରା- ଘୁଗୁନି, ଦହିବରା ଆଦି ସ୍ପେଶାଲ ବ୍ୟଞ୍ଜନ ଏସବୁ କାଉଣ୍ଟରରେ ଉପଲବ୍ଧ ହେବ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଟିଡିସିର ବରିଷ୍ଠ ପଦାଧିକାରୀଙ୍କ ସମେତ ଭୁବନେଶ୍ୱର ପାନ୍ଥନିବାସର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *