କର୍କଟ ପୀଡିତ ଅନ୍ତେବାସୀ ମାନଙ୍କ ପାଇଁ ମାଗଣା ଦନ୍ତ ପରୀକ୍ଷା ଶିବିର
ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଜି ପାତ୍ରପଡ଼ା ସ୍ଥିତ ଇନଟାସ ଫାଉଣ୍ଡେସନ ଠାରେ ଏକ ମାଗଣା ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି | ଏହି ଶିବିରରେ ଇନଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ସାଇନ୍ସ , ସୋଆର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଇନଟାସ ଫାଉଣ୍ଡେସନରେ ଥିବା କର୍କଟ ପୀଡିତ ଅନ୍ତେବାସୀ ମାନଙ୍କର ଦନ୍ତ ପରୀକ୍ଷା କରାଯାଇଥିଲା | ଡାକ୍ତର ଉପାସନା ଧର, ଡ଼ ଦେବର୍ଚ୍ଚିତା ଷଡ଼ଙ୍ଗୀ , ଡ଼ ଯୋଗମାୟା ପ୍ରଧାନ, ଡ଼ ନଗମା ତବରେକ, ଡ଼ ସ୍ୱପ୍ନିଲ ତ୍ରିପାଠୀ, ଡ଼ ବିବେକ ଦାଶ ଉପସ୍ଥିତ ରହି ରୋଗୀମାନଙ୍କର ପରୀକ୍ଷା ସହ ଆବଶ୍ୟକୀୟ ଚିକିତ୍ସା କରିଥିଲେ | ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚେୟାରମ୍ୟାନ ତପସ୍ୱିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାମାଜିକ କର୍ମୀ କଳ୍ପନା ଦାସ ଓ ଚିନ୍ମୟୀ ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ସମସ୍ତ କର୍କଟ ରୋଗୀ ମାନଙ୍କର ଦନ୍ତ ପରୀକ୍ଷା କରାଯାଇଥିଲା ଏବଂ ଆବଶ୍ୟକ ମେଡ଼ିସିନ ମଧ୍ୟ ପ୍ରଦାନ କରାଯାଇଥିଲା | ଶେଷରେ ସମସ୍ତ ଅନ୍ତେବାସୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିବା ସମାଜସେବୀ କଳ୍ପନା ଦାସଙ୍କ ବହୁମୂଲ୍ୟ ସହଯୋଗ ପାଇଁ ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଉପସ୍ଥିତ ଅନ୍ୟମାନଙ୍କ ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା |