ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ମୋ ପାଇଁ ସାହିତ୍ୟର ଉପାଦାନ : ଜ୍ଞାନରଂଜନ ନାୟକ

ତାଙ୍କ ମତରେ ସାହିତ୍ୟ ଏକ ନଦୀର ଧାରା | ଜୀବନ ଜିଇବାର ଏକ ଧାରଣା | ସେଥିପାଇଁ ତ ପିଲାଟିବେଳୁ ତାଙ୍କ ଭିତରେ ସାହିତ୍ୟ ପ୍ରତି ଥିଲା ଅହେତୁକ ଦୁର୍ବଳତା ।ଗାଁ ବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ପାଖରେ ଥିବା ହରିଜନ ବସ୍ତିର ମହିଳାମାନଙ୍କ ସେହି ଅସଭ୍ୟ ଗାଳିରୁ ସୁନ୍ଦର ଶବ୍ଦ ସଂରଚନାକୁ ଗ୍ରହଣ କରୁଥିଲେ ସେ । ଏହି ବିଶିଷ୍ଟ ଲେଖକଙ୍କ ମତରେ “ସେହି ହରିଜନ ସାହିର ନାରୀମାନଙ୍କ ଗାଳିରେ ନାରୀ ଶରୀରର ଗୋପନ ଅଂଶର ସ୍ପଷ୍ଟ ଉଚ୍ଚାରଣ ସୁନ୍ଦର ବ୍ରାହ୍ମଣ ଚଣ୍ଡୀପାଠ ଠାରୁ ମଧ୍ୟ ମଧୁମୟ ଅଟେ।” ଏହିଭଳି ଜୀବନର ପ୍ରତ୍ୟେକ ମୁହୂର୍ତ୍ତରୁ ସାହିତ୍ୟ ସାଉଁଟୁଥିବା ଅନନ୍ୟ ବ୍ୟକ୍ତି ହେଉଛନ୍ତି ପ୍ରାଧ୍ୟାପକ ଜ୍ଞାନ ରଂଜନ ନାୟକ । ୧୯୬୯ ମସିହା କେନ୍ଦ୍ରାପଡାରେ ଜନ୍ମିତ ଏହି ବରିଷ୍ଠ ଲେଖକ ବର୍ତ୍ତମାନ ଏକ ଘରୋଇ ଇଞ୍ଜିନିୟରିଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଛନ୍ତି । ତେବେ ଜହ୍ନମାମୁଁରୁ ଭିତ୍ତି ପଡିଥିବା ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ମାତ୍ର ଷଷ୍ଠ ଶ୍ରେଣୀରୁ ନିଜର ଲେଖକୀୟ ଜୀବନ ଆରମ୍ଭ କରିଥିଲେ।ଦ୍ୱାଦଶ ଶ୍ରେଣୀରେ ବିଜ୍ଞାନ ଓ ନିଜର ଜଟିଳ ଇଂଜିନିୟରିଂ ପାଠ ପଢ଼ୁଥିବା ସମୟରେ ଟିକେ ସମୟ ପାଇଲେ ସାହିତ୍ୟ ସାଧନା କରିବାରେ ଲାଗି ପଡୁଥିଲେ । ନିଜର ଅଧ୍ୟୟନ ସମୟ ମଧ୍ୟରେ ଶ୍ରୀଯୁକ୍ତ ଜ୍ଞାନ ୨୦ଟି ଗଳ୍ପ ଲେଖିଥିବା ବେଳେ ତତ୍କାଳୀନ ସମୟରେ ରାଉରକେଲା ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ଆସରରେ କବିତା ପାଠ କରୁଥିଲେ ଓ ତାଙ୍କ ଲେଖା ନବପତ୍ର ଓ ବାସନ୍ତୀକା ପତ୍ରିକାରେ ପ୍ରକାଶିତ ହେଉଥିଲା।
ତେବେ କଥା ସାହିତ୍ୟ ରଚନାରେ ପାରଦର୍ଶି ଶ୍ରୀଯୁକ୍ତ ଜ୍ଞାନ ରଂଜନ ।
ଏହି ବିଶିଷ୍ଟ ଲେଖକ ଓଡ଼ିଆ କଥା ସାହିତ୍ୟ ଜଗତର ଲେଖକ ଗୌରହରି ଦାସ,ଅଜୟ ସ୍ୱାଇଁଙ୍କୁ ନିଜର ପ୍ରେରଣା ମାନନ୍ତି । ଇତି ମଧ୍ୟରେ ଶ୍ରୀ ଜ୍ଞାନ ରଂଜନଙ୍କ ମେଘ ମହ୍ଲାର,ଲକ୍ଷ୍ମୀପାଦ,ଧୂଳି,ଓଁ ଶ୍ରୀ ଶ୍ରୀ ପ୍ରଜାପତୟେ ନମଃ,ବିଜ୍ଞାନ ସମ୍ବନ୍ଧୀୟ ପୁସ୍ତକ ପରିବେଶ ଓ ବିଜ୍ଞାନ ଆଦି ପୁସ୍ତକ ପ୍ରକାଶିତ ହୋଇଛି । ତେବେ ନିଜର ବଳିଷ୍ଠ ସାହିତ୍ୟ ରଚନା ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି।କାଦମ୍ବିନୀ ଫିଚର୍ ପୁରସ୍କାର,ଆନନ୍ଦପୁର ସାହିତ୍ୟ ସମ୍ମାନ, ମହାବୀର ସାଂସ୍କୃତିକ ଅନୁଷ୍ଠାନ,ବକୁଳବନ ମହୋତ୍ସବ,କଥା ପୁରସ୍କାର (ନୂଆଦିଲ୍ଲୀ) ଇତ୍ୟାଦି ପୁରସ୍କାର ପାଇଛନ୍ତି । ଭବିଷ୍ୟତରେ ସାହିତ୍ୟ କ୍ଷେତ୍ରରେ ଆସୁଥିବା ଯୁବପିଢ଼ିଙ୍କୁ ନିଜ ବାର୍ତା ଓ ଆଶିଷ ମାଧ୍ୟମରେ ଶ୍ରୀଯୁକ୍ତ ଜ୍ଞାନ ରଂଜନ ଏହି କହିବାକୁ ଇଛୁକ ଯେ “ସାହିତ୍ୟ ସାଧନା ପାଇଁ ଧର୍ଯ୍ୟ,ଅପେକ୍ଷା ଓ ମୌଳିକତାର ଆବଶ୍ୟକତା ରହିଛି।ନିଜର ଗୁରୁଜନଙ୍କ କଥାକୁ ଗ୍ରହଣ କରିବା ସହିତ କାହାର ସାହିତ୍ୟକୁ ନକଲ ନକରି ନିଜ ପ୍ରତିଭାକୁ ପ୍ରଦର୍ଶନ କରିବା ହିଁ ସାହିତ୍ୟ ସାଧନା ପାଇଁ ଶ୍ରେଷ୍ଠ ମାଧ୍ୟମ।”

Leave a Reply

Your email address will not be published. Required fields are marked *