ଅନୁଭବରୁ ଆସିଥିବା ସାହିତ୍ୟ ସର୍ବଦା ଅନ୍ତରକୁ ଛୁଇଥାଏ : ସ୍ନେହଲତା

ନିଜ ଜୀବନର ଆସିଥିବା ଏକ ଦୁଃଖ ତାଙ୍କୁ ଏକ ସୁଲେଖିକା ହେବାର ପ୍ରେରଣା ଯୋଗାଇଥିଲା । ମାଟ୍ରିକ ପରୀକ୍ଷାରେ ଆଶାତୀତ ଫଳାଫଳ ନ ରହିବା ଓ ବାପାଙ୍କ “ଝିଅ ମୋର ଡ଼ାକ୍ତରଣୀ” ହେବାର ଆଶା ମଉଳିବା ପରେ ଏହି ଲେଖିକା ଏକ ସୁଲେଖିକା ହେବାର ପଣ ସେଦିନଠୁ କରିଲେ ଓ ଲେଖି ଚାଲିଲେ ଅବିରତ ଭାବରେ । ସେ ହେଉଛନ୍ତି ଲେଖିକା ଶ୍ରୀମତୀ ସ୍ନେହଲତା ପୃଷ୍ଟି। ୧୯୭୩ ମସିହାରେ ଭଦ୍ରକର ଏକ ବ୍ରାହ୍ମଣ ପରିବାରରେ ଜନ୍ମିତା ସ୍ନେହଲତା । ତାଙ୍କ ପିତା ଓ ମାତାଙ୍କ ନାମ ମାୟାଧର ତ୍ରିପାଠୀ ଓ ମାଳତୀ ତ୍ରିପାଠୀ । ସ୍ନେହଲତାଙ୍କ ପ୍ରଥମ ଲେଖା ଆନୁଷ୍ଠାନିକ ଭାବେ ୧୯୯୦ ମସିହାରେ ବାଲେଶ୍ୱରରୁ ପ୍ରକାଶିତ “ରାଣୀପ୍ରଭା”ରେ “ସମୟ” ନାମକ ଲେଖା ପ୍ରକାଶିତ ହୋଇଥିଲା । “ସମୟ” ଯାହା ସମ୍ପୂର୍ଣ୍ଣ ରୂପେ ସ୍ନେହଲତାଙ୍କ ଜୀବନ ଉପରେ ଆଧାରିତ ଅଟେ । ତେବେ ପିଲାଟି ଦିନରୁ ଆ’ଇମାଙ୍କ ପାଖରୁ ଗୀତା, ଭାଗବତ, ମହାଭାରତ ପାଠରୁ ପ୍ରେରଣା ପାଇଥିଲେ ସାହିତ୍ୟ ସାଧନା ପାଇଁ । ଓଡ଼ିଆ ଭାଷାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ସ୍ନେହଲତା । ବର୍ତ୍ତମାନ ଏକ ବେସରକାରୀ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପିକା ଅଛନ୍ତି ଏହି ଲେଖିକା । ଉପନ୍ୟାସ,ଗଳ୍ପ, କବିତାରେ ନିପୁଣା ଏହି ଯୁବ ଲେଖିକା । ବିଭୁତି ପଟ୍ଟନାୟକ, ଭାଗିରଥି ଦାଶଙ୍କ ସାହିତ୍ୟ ସ୍ନେହଳତାଙ୍କୁ ବହୁଳ ପ୍ରଭାବିତ କରିଥାଏ । ସାହିତ୍ୟ ସାଧନା ବ୍ୟତୀତ ସ୍ନେହଲତା ୧୯୯୪-୯୬ ଯାଏ ଯୁବବାଣୀ ଓ ଆକାଶବାଣୀ ରେ ନାଟକ ବିଭାଗ ଏବଂ ସାହିତ୍ୟ ବିଭାଗରେ କାର୍ଯ୍ୟ କରିଛନ୍ତି ।ଏହାଛଡା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥାପନ କରିଥାନ୍ତି ସ୍ନେହଲତା।

ସ୍ନେହଲତାଙ୍କ ଦ୍ୱାରା ରଚିତ ପୁସ୍ତକ,ପୁରସ୍କାର ବିଷୟରେ ପଦେ-

ଏଯାବତ୍ ୧୭ଖଣ୍ଡ ପୁସ୍ତକରୁ ୯ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି।
ଭଲ ପାଇବାର ଭାଷା (ଉପନ୍ୟାସ),ବୋଉକୁ ଚିଠି (ଉପନ୍ୟାସ), କୃଷ୍ଣା (କବିତା),ଅତିକାୟ, ଦୁରବନାନୀ ଫୁଲ(ଗଳ୍ପ) ଇତ୍ୟାଦି।

ପୁରସ୍କାର-ଅଲଣାହାଟ ସାହିତ୍ୟ ସଂସଦ ପୁରସ୍କାର, ଅଖିଳଚକ୍ର ପୁରସ୍କାର, ସ୍ମୃତିଲିପି ପୁରସ୍କାର, ସେବାଶ୍ରୀ ପୁରସ୍କାର ଇତ୍ୟାଦି।
ଓଡ଼ିଶା ଲେଖିକା ସଂସଦର ସଦସ୍ୟା ଅଛନ୍ତି ଶ୍ରୀମତୀ ସ୍ନେହଲତା ପୃଷ୍ଟି । ତେବେ ଯଦି ନିଜ ସାହିତ୍ୟ ସାଧନା ବଳରେ ବିଶ୍ୱ ସାହିତ୍ୟ ପାଇଁ କିଛି ନିଜର ଭୂମିକା ରହେ ତେବେ ନିଜକୁ ଧନ୍ୟ ମନେ କରିବେ ସ୍ନେହଲତା । ତେବେ ଆଗାମୀ ଯୁବପୀଢ଼ି ଯେଉଁମାନେ ସାହିତ୍ୟ କ୍ଷେତ୍ରକୁ ଆସୁଛନ୍ତି ସେମାନଙ୍କୁ ଆଶୀର୍ବାଦ ସ୍ୱରୂପ ସ୍ନେହଲତା ଏହା କହିଛନ୍ତି ଯେ ସାହିତ୍ୟ ଏକ ଅନୁଭବ । ନିଜର ଶୈଳୀରେ ସର୍ବଦା ସାହିତ୍ୟ ଲେଖିବା ଉଚିତ।

ପ୍ରସ୍ତୁତି : ଦେବୀପ୍ରସାଦ ରଥ

Leave a Reply

Your email address will not be published. Required fields are marked *