ପ୍ରକୃତି ଓ ମାନବ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସାହିତ୍ୟ ସର୍ଜନାର ଅନ୍ୟତମ ଲକ୍ଷ୍ୟ ହେବା ଉଚିତ : ନିର୍ମାଲି ମହନ୍ତ

ପୁସ୍ତକ ତାଙ୍କ ଅବକାଶ ସମୟର ବନ୍ଧୁ । ନିଜର ଦୈନନ୍ଦିନ ଜୀବନରୁ ଟିକେ ଫାଙ୍କା ହେଲେ ବହି ଧରି ବସିଯାଆନ୍ତି । ହଜି ଯାଆନ୍ତି ଶବ୍ଦ ରାଇଜରେ | ସେ ହେଉଛନ୍ତି ଯୁବ କବିୟତ୍ରୀ ଆସାମର ଝିଅ ଓଡ଼ିଶାର ବୋହୁ ନିର୍ମାଲି ମହନ୍ତ । ଅହମିୟା ଓ ଓଡ଼ିଆ ଭାଷାର ସେତୁ ନିର୍ମାଣର ସ୍ରଷ୍ଟା ହେଉଛନ୍ତି ନିର୍ମାଲି । ଉଭୟ ରାଜ୍ୟର ସଂସ୍କୃତିକୁ ନିଜ ଲେଖା ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ଚାହାଁନ୍ତି ନିର୍ମାଲି । ତେବେ ଆସାମର ଗୌହାଟିରେ ଜନ୍ମ ନିର୍ମାଲି ଭୁତତ୍ୱ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ବ୍ୟାଙ୍କରେ ଚାକିରୀ କରିବା ପରେ ବିବାହ କରି ଓଡ଼ିଶା ଚାଲି ଆସିଥିଲେ ନିର୍ମାଲି । ସମୟ ସଦୁପଯୋଗର ଉତ୍କୃଷ୍ଟ ପନ୍ଥା ହେଉଛି ପୁସ୍ତକ । ସେଥିପାଇଁ ତ ଏକ ଗୃହିଣୀ ହେବା ପରେ ବି ନିଜର ଫାଙ୍କା ସମୟକୁ ନଷ୍ଟ ନ କରି ଓଡ଼ିଶାର ସଂସ୍କୃତିକୁ ଅହମିୟା ଭାଷାରେ ଲେଖିଲେ।ଆସାମ ରାଜ୍ୟର ଖବରକାଗଜରେ ନିଜର ଲେଖାକୁ ଛାପିବାରେ ଲାଗିଲେ ନିର୍ମାଲି । ତାଙ୍କ ମତରେ ସାହିତ୍ୟ ପ୍ରକୃତି ଓ ମାନବ ମଧ୍ୟରେ ସନ୍ତୁଳନ କରିଥାଏ । ଯାହାର ଫଳ ସ୍ୱରୂପ ରଘୁରାଜପୁରର କଳା,ଡଙ୍ଗରିଆ ଜନଜାତିଙ୍କ ସମସ୍ୟାକୁ ନିର୍ମାଲି ହୃଦବୋଧ କରି କରୋନା ମହାମାରୀ ସମୟରେ ତାହାକୁ ଲେଖନୀରେ ପ୍ରକାଶ କରିବାରେ ଲାଗିଲେ । ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ଲେଖକ ଫକୀରମୋହନ ସେନାପତିଙ୍କ ଲେଖା ନିର୍ମାଲିଙ୍କୁ ବେଶ ପ୍ରଭାବିତ କରିଥିଲା । ଆଗାମୀ ଦିନରେ ଦୁଇ ରାଜ୍ୟର ସଂସ୍କୃତିକୁ ଅନୁବାଦ ଓ ରଚନା ମାଧ୍ୟମରେ ପ୍ରକାଶ କରିବାକୁ ଚାହାନ୍ତି ନିର୍ମାଲି।

ଯୁବ ଲେଖିକା ନିର୍ମାଲି ମହନ୍ତଙ୍କ କିଛି କୃତି-

-ଅନୁବାଦ-ମାଙ୍କଡ଼ ଓ ବିଲୁଆ,ସୂର୍ଯ୍ୟୋଦୟ,ପୌରୁଷ,ସିରିସ ଗଛର ଛାୟା।
-ଅନ୍ୟାନ୍ୟ ରଚନା-ଓଡ଼ିଶାର ବହୁ ପୁରୁଣା ନୃତ୍ୟ ଗୋଟିପୁଅ ନୃତ୍ୟ
-ଗୀତଗୋବିନ୍ଦ;ଜଗନ୍ନାଥ କବି ସଂସ୍କୃତି ଶିରୋମଣି,ଜୟଦେବଙ୍କ ଅମୁଲ୍ୟ ଅବଦାନ।
-ଡୋକ୍ରା ଓଡ଼ିଶାର ଆଦିବାସୀ ଶିଳ୍ପ।
-ଚକ୍ରକ୍ଷେତ୍ର ଅନନ୍ତ ବାସୁଦେବ ମନ୍ଦିର।
-ଅଳଙ୍କାରରେ ସୁଶୋଭିତ ନିୟମଗିରି।
-ନିସର୍ଗ ସନ୍ତାନ ଡଙ୍ଗରିଆ ଆଦିବାସୀ।
-ପିପିଲିର ସେଇ ରଂଗବିରଂଗି ଚାନ୍ଦୁଆ ବଜାର,ଇତ୍ୟାଦି।

ତେବେ ଆଶୀର୍ବାଦ ହି ତାଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ବୋଲି କୁହନ୍ତି ଏହି ଯୁବ ସାହିତ୍ୟିକା । ତେବେ ଜଣେ ଲେଖକ ହିସାବରେ ସମାଜରେ ସକାରାତ୍ମକ ଭାବନା ପହଞ୍ଚାଇବା ହିଁ ଜଣେ ସାହିତ୍ୟିକର କର୍ତ୍ତବ୍ୟ ହେବା ଉଚିତ । ସାହିତ୍ୟକୁ ବର୍ତ୍ତମାନ ଯେଉଁ ଯୁବପିଢ଼ି ଆସୁଛନ୍ତି ସେମାନଙ୍କୁ ନିର୍ମାଲି ଏହି ଉପଦେଶ ଦେବାକୁ ଚାହାନ୍ତି ଯେ ” ଯୁବପିଢ଼ି ସାହିତ୍ୟ ଲେଖିବା ପୂର୍ବରୁ ପର୍ଯ୍ୟବେକ୍ଷଣ କରନ୍ତୁ ଓ ଉତ୍ତମ ବାର୍ତ୍ତାକୁ ଚାରିଆଡେ ବାଣ୍ଟନ୍ତୁ।”

ପ୍ରସ୍ତୁତି : ଦେବୀ ପ୍ରସାଦ ରଥ

Leave a Reply

Your email address will not be published. Required fields are marked *