୧୩ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ; ଏବେ ଯାଏ ୪୬ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ତାଇପେଇ: ତାଇୱାନର ୟାନଚେଙ୍ଗ ଜିଲ୍ଲାରେ ଥିବା କାଓସିଉଙ୍ଗ ସହରରେ ଥିବା ଗୋଟିଏ ୧୩ ମହଲା ବିଶିଷ୍ଟ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏଯାଏ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ନିଆଁକୁ ଏବେ ସାମାନ୍ୟ ଆୟତ୍ତ କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଆଁ ଏହି ଆବାସିକ ବିଲଡିଂଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ରାତି ପ୍ରାୟ ୨.୫୪ ମିନିଟରେ ବିଲଡିଂରେ ନିଆଁ ଲାଗିଥିବା ସମ୍ପର୍କରେ ଖବର ମିଳିଥିଲା। ଲୋକମାନେ ଶୋଇଥିବା ବେଳେ ହିଁ ବିଲଡିଂରେ ନିଆଁ ଲାଗିଥିଲା। ଖବର ପାଇଁ ୧୦୦ରୁ ଅଧିକ ଅଗ୍ନିଶମ ବାହିନୀର ଗାଡ଼ି ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅଗ୍ନିଶମ ବାହିନୀ ନିଆଁକୁ ସାମାନ୍ୟ ଆୟତ୍ତ କରିବା ପୂର୍ବରୁ ୪୬ ଜଣଙ୍କ ଜୀବନ ଚାଲି ଯାଇଥିଲା। କିଛି ଲୋକ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବା ବେଳେ ଆଉ କିଛି ଶ୍ୱାସରୁଦ୍ଧ ଯୋଗୁ ଜୀବନ ହରାଇଛନ୍ତି। ଘଟଣାରେ ଅନ୍ୟ ୪୧ ଜଣ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ୩୭୭ରୁ ଅଧିକ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି।
ପ୍ରାଥମିକ ଅବସ୍ଥାରେ ପ୍ରଶାସନ ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା କହିଥିଲା। କିନ୍ତୁ ଅଗ୍ନିଶମ ବାହିନୀର ମୁଖ୍ୟ ଏହାକୁ ସଂଶୋଧନ କରିଥିଲେ। ସେ କହିଥିଲେ ଯେ ନିଆଁ ଲାଗିଥିବା ବିଲଡିଂରେ ଅନେକ ଲୋକ ଫସି ରହିଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଉଦ୍ଧାର ବେଳେ ୪୬ ଜଣ ଶବ ବିଲଡିଂ ମଧ୍ୟରୁ ବାହାର କରାଯାଇଛି। ବିଲଡିଂର ୭ମ ମହଲାରୁ ୧୧ ମହଲା ଭିତରେ ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସେ କହିଛନ୍ତି।

ତାଙ୍କ କହିବା ଅନୁଯାୟୀ, ଘଟଣାସ୍ଥଳରେ ୧୩୯ଟି ଅଗ୍ନିଶମ ଗାଡ଼ି ମୁତୟନ ହୋଇଥିଲେ। ସକାଳ ୭.୧୭ ସୁଦ୍ଧା ନିଆଁକୁ ଆୟତ୍ତ କରିଥିଲେ। ମଧ୍ୟାହ୍ନ ୧୨ଟା ସୁଦ୍ଧା ୬୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବିଲଡିଂରେ ପ୍ରାୟ ୧୦୦ ଜଣ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ରହୁଥିଲେ। ତେବେ ଏତେବଡ଼ ଅଗ୍ନିକାଣ୍ତ କେମିତି ଘଟିଲା, ସେକଥା ଜଣାପଡ଼ିନି।

Leave a Reply

Your email address will not be published. Required fields are marked *