ଉତ୍ତର ପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଆନ୍ଦୋଳନକାରୀ ଚାଷୀଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି

ଉତ୍ତର ପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅର କାର ମାଡ଼ିଯିବାରୁ ୪ ଜଣ ଆନ୍ଦୋଳନକାରୀ ଚାଷୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ରାଜ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତେ ବିରୋଧୀ ନେତାଙ୍କୁ ଦମନ କରିବାରେ ଲାଗି ପଡ଼ିଥିବାରୁ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ସରକାର ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରିଦେବା ସହିତ ୧୪୪ ଧାରା ଜାରି କରିଛନ୍ତି। ଏହି ଅଞ୍ଚଳକୁ କୌଣସି ବିରୋଧୀ ନେତାମାନଙ୍କୁ ଆସିବାକୁ ଦିଆଯାଉ ନାହିଁ। ମୃତ ଚାଷୀଙ୍କ ପରିବାରକୁ ଭେଟିବା ଲାଗି ଯାଉଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ଗିରଫ କରାଯାଇଥିବାରୁ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆସନ୍ତାକାଲି ସୁଦ୍ଧା ଦୋଷୀକୁ ଗିରଫ କରିବା ସହିତ ପ୍ରିୟଙ୍କାଙ୍କୁ ମୁକ୍ତ କରାନଗଲେ କଂଗ୍ରେସ ନେତା ଓ କର୍ମୀମାନେ ଲଖିମପୁରକୁ ଶୋଭାଯାତ୍ରାରେ ଯିବେ ବୋଲି ଧମକ ଦେଇଛନ୍ତି। ୧୪୪ ଧାରା ସତ୍ତ୍ବେ ଆଜି ମଧ୍ୟ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି। ମନ୍ତ୍ରୀଙ୍କ ପୁଅର ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ୪ ଜଣ ଚାଷୀଙ୍କ ମଧ୍ୟରୁ ତିନି ଜଣଙ୍କର ଆଜି ଶବ ସତ୍କାର କରାଯାଇଛି। ଅନ୍ୟ ଜଣଙ୍କର ଶବ ସତ୍କାର କରିବାକୁ ପରିବାର ‌ଲୋକ ମନା କରିଦେଇଛନ୍ତି। ଆଉ ଥରେ ଶବ ବ୍ୟବଚ୍ଛେଦ କରିବାକୁ ସେମାନେ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ପୁଅର ଗୁଳିମାଡ଼ରେ ସେ ପ୍ରାଣ ହରାଇଛନ୍ତି। କିନ୍ତୁ ବ୍ୟବଚ୍ଛେଦ ରି‌ପୋର୍ଟରେ ଆଘାତ ଚିହ୍ନ ଥିବା ଦର୍ଶାଯାଇଛି। ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ ମନ୍ତ୍ରୀଙ୍କ ପୁଅକୁ ସୁରକ୍ଷା ଦେବାକୁ ଯାଇ ସରକାର ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ। ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। ତିନି ଜଣ ମୃତ ଚାଷୀଙ୍କ ଶବ ସତ୍କାର ଲାଗି କିଛି ସମୟ ପାଇଁ ଆନ୍ଦୋଳନକୁ ସ୍ଥଗିତ କଖାଯାଇଥିଲା। ଦୋଷୀ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା କହିଛନ୍ତି ଯେ ଲଖିମପୁର ଘଟଣାରେ ତାଙ୍କର ପୁଅ ଆଶିଷ ସଂପୃକ୍ତ ନୁହେଁ। ଦୁର୍ଘଟଣା ସମୟରେ ତାଙ୍କ ପୁଅ ଘଟଣାସ୍ଥଳରେ ନଥିଲା। ତେବେ ଆଜି ଏହି ଘଟଣାର ଭିଡିଓ ଭ‌ାଇରାଲ ‌ହୋଇଛି। ଚାଷୀ ଆନ୍ଦୋଳନକାରୀମାନଙ୍କ ଉପରେ ମନ୍ତ୍ରୀଙ୍କ ପୁଅର କାର କେମିତି ମାଡ଼ିଯାଇଥିଲା ତାହାର ଦୃଶ୍ୟ ଏଥିରେ ରହିଛି। ଏହି ଭିଡିଓ ଭାଇରାଲ ହେବାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାରେ ଆହତ ଜଣେ ଚାଷୀ କହିଛନ୍ତି ଯେ କାରରେ ମନ୍ତ୍ରୀଙ୍କ ପୁଅ ଥିଲେ। ଇତିମଧ୍ୟରେ ଉତ୍ତରପ୍ରଦେଶରେ ହିଂସା ପାଇଁ ଉସୁକାଇବା ଏବଂ ଶାନ୍ତି ନଷ୍ଟ ପାଇଁ ଷଡ଼ଯନ୍ତ୍ର କରିବା ଅଭିଯୋଗରେ କଂଗ୍ରେସ ସାଧାରଣ ସମ୍ପା‌ଦିକା‌ ପ୍ରିୟଙ୍କା ଗାନ୍ଧିଙ୍କୁ ପୁଲିସ ଆଜି ଗିରଫ କରିଥିବା କହିଛି। ପ୍ରିୟଙ୍କାଙ୍କ ସମେତ ମୋଟ ୧୧ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରିୟଙ୍କା କହିଛନ୍ତି, କୃଷକଙ୍କ ହତ୍ୟା ପାଇଁ ଯିଏ ଦାୟୀ ତାକୁ ଗିରଫ କରାଯାଉ ନାହିଁ। କିନ୍ତୁ ଯିଏ ଏହାର ପ୍ରତିବାଦ କରୁଛି ତାକୁ ଗିରଫ କରାଯାଉଛି। ପ୍ରିୟଙ୍କାଙ୍କୁ ସମର୍ଥନ କରି ରାହୁଲ କହିଛନ୍ତି ଯେ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ। ଆସନ୍ତାକାଲି ସେ ଲଖିମପୁର ଗସ୍ତରେ ଯିବେ ବୋଲି କହିଛନ୍ତି। ସେହିଭଳି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଧମକ ଦେଇଛନ୍ତି ଯେ ଆସନ୍ତକାଲି ସୁଦ୍ଧା ଅଭିଯୁକ୍ତକୁ ଗିରଫ କରାନଗଲେ ଏବଂ ପ୍ରିୟଙ୍କାଙ୍କୁ ଜେଲରୁ ମୁକ୍ତ କରାନଗଲେ କଂଗ୍ରେସ କର୍ମୀଙ୍କୁ ନେଇ ସେ ଲଖିମପୁର ଯାତ୍ରା କରିବେ। ମନ୍ତ୍ରୀଙ୍କ ପୁଅ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ ହୋଇଥିଲେ ମଧ୍ୟ ତାଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ଆଜି କିଛି ସାମ୍ବାଦିକ ପୁଲିସ ଅଧିକାରୀଙ୍କୁ ପଚାରିଥିଲେ। ଏହାର ଜବାବ ଦେଇ ସେ କହିଥିଲେ ଯେ ମୃତ ଚାଷୀଙ୍କ ଅନ୍ତିମ ସଂସ୍କାରରେ ପୁଲିସ ବ୍ୟସ୍ତ ଥିଲା। ମନ୍ତ୍ରୀଙ୍କ ପୁଅ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହାର ଉପଯୁକ୍ତ ଅନୁସନ୍ଧାନ କରାଯିବ। ଏହାପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସଂପର୍କରେ‌ ଅଧିକ କିଛି କହିବାକୁ ସେ ମନା କରିଦେଇଥିଲେ।

Leave a Reply

Your email address will not be published. Required fields are marked *