ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା, ୨୫ ଯାଏ ଆବେଦନ, ୩୦ରେ ମେଧା ତାଲିକା

ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷାବର୍ଷରେ ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ଖାଲି ଥିବା ସିଟ୍‌ ପୂରଣ ପାଇଁ ପୁଣିଥରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୧୨ ତଥା ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୧ଟାରେ ସାମ୍‌ସ ୱେବସାଇଟ୍‌ରେ www.samsodisha.gov.in କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଉପଲବ୍ଧ ହେବ। ଆବେଦନ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ୨୫ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଏବଂ ୩୦ରେ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ନଭେମ୍ବର ୧ରୁ ୩ ମଧ୍ୟରେ ଅନୁଷ୍ଠିତ ହେବ। ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଡାଟା ଅପ୍‌ଡେଟେସନ୍‌ ନଭେମ୍ବର ୫ ସୁଦ୍ଧା କରାଯିବ। ୯ ତାରିଖରେ ସ୍ପଟ୍‌ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୯ ଓ ୧୦ ତାରିଖରେ ନାମ ପଞ୍ଜୀକରଣ କରିବେ ଏବଂ ୧୧ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ନଭେମ୍ବର ୧୧ ଓ ୧୨ରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ସ୍ପଟ୍‌ ନାମଲେଖା‌ ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ୧୩ ତାରିଖରେ ଛାତ୍ରଛାତ୍ରୀଙ୍କ ନାମଲେଖା ସମ୍ପର୍କିତ ତଥ୍ୟ ଇ-ସ୍ପେସ୍‌ରେ ଉପଲବ୍ଧ କରାଯିବ।

ଏହି ପର୍ଯ୍ୟାୟରେ ଆବେଦନ କରିବାକୁ ଥିବା ଛାତ୍ରଛାତ୍ରୀ ଦଶମ ପାସ୍‌ କରିଥିବା ନିତ୍ୟାନ୍ତ ଆବଶ୍ୟକ। ଖାଲି ସିଟ୍‌ରେ ନାମଲେଖା ପାଇଁ କୌଣସି ପ୍ରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ। ସିଏଏଫ୍‌ ଦାଖଲ ପୂର୍ବରୁ ଅଭିଭାବକ ଓ ଛାତ୍ରଛାତ୍ରୀ କମନ୍‌ ପ୍ରୋସ୍‌ପେକ୍ଟସ୍‌କୁ ଭଲ ଭାବେ ପଢ଼ିବା ଆବଶ୍ୟକ। ସିଏଏଫ୍‌ ଫି’ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଦାଖଲ କରାଯିବ। ପ୍ରଥମ ପର୍ଯ୍ୟାୟ ନାମଲେଖା ବେଳେ ଆବେଦନ କରି କୌଣସି ଶିକ୍ଷାନୁଷ୍ଠାନ ପାଇଁ ଚୟନ ହୋଇ ନଥିବା ପ୍ରାର୍ଥୀମାନେ ସିଏଏଫ୍‌ ଫି’ ନ ଦେଇ ପୂର୍ବ ଲଗ୍‌-ଇନ୍‌ ମାଧ୍ୟମରେ ପୁଣିଥରେ ଆବେଦନ କରିପାରିବେ। ନାମଲେଖା ସମୟରେ କଲେଜରେ କେବଳ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

Leave a Reply

Your email address will not be published. Required fields are marked *