ଉତ୍ସର୍ଗୀକୃତ ଭାବେ ଦେଶ ସେବାରେ ନିୟୋଜିତ ହେବାକୁ ଯୁବକ ମାନଙ୍କୁ ଆହ୍ଵାନ
ଭୁବନେଶ୍ୱର: ରାଜଧାନୀର ପୂରାତନ ସେବା ଅନୁଷ୍ଠାନ ଜନକଲ୍ୟାଣ କ୍ଲବର ୫୭ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ୟୁନିଟ ୯ ସ୍ଥିତ କ୍ଳବ୍ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ନଟବର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସର୍ବଭାରତୀୟ କର୍ମଚାରୀ ସଙ୍ଘ ନେତା ଆନନ୍ଦଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉତ୍ସର୍ଗୀକୃତ ଭାବେ ଦେଶ ସେବାରେ ନିଜକୁ ନିୟୋଜିତ କରିବାକୁ ଉପସ୍ଥିତ ଯୁବକ ତଥା ଦର୍ଶକ ମାନଙ୍କୁ ସେ ଆହ୍ଵାନ ଦେଇଥିଲେ । ଦୀର୍ଘ ଦିନ ଧରି ସେବା କାର୍ଯ୍ୟରେ ନିୟୋଜିତ ଥିବା ଜନକଲ୍ୟାଣ କ୍ଳବର ସଦସ୍ୟ ମାନଙ୍କୁ ସେ ପ୍ରଶଂସା କରିଥିଲେ ।
ବରିଷ୍ଠ ସମାଜସେବୀ ଗୌରାଙ୍ଗ ଚରଣ ନାୟକ ସାମ୍ମନୀତ ଅତିଥି ଭାବେ ଯୋଗ ଦେଇ ଏକ ସମୃଦ୍ଧ ଦେଶ ଗଠନରେ ସମାଜସେବୀ ଅନୁଷ୍ଠାନ ମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ l ଅନୁଷ୍ଠାନର ସଭାପତି ନଟବର ସାମନ୍ତରାୟ ଜନକଲ୍ୟାଣ କ୍ଲବ ଦୀର୍ଘ ଜିବୀ ହୋଇ ଏହାର ସଭ୍ୟ ସଭ୍ୟା ମାନେ ଦେଶ ଓ ଜାତିର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ରାଉତରାୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡ଼.ନମିତା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ l ପୂର୍ବାହ୍ନରେ କାର୍ଯ୍ୟକାରୀ ସଭାପତି ସୁଧୀର ମହାନ୍ତି ଓ ବରିଷ୍ଠ ସଦସ୍ୟ ରବିନାରାୟଣ ପାଢ଼ୀଙ୍କ ସହଯୋଗରେ ପତାକା ଉତ୍ତୋଳନ ଓ ବନ୍ଦେ ମାତରମ ଗାନ କରାଯାଇଥିଲା l ପରିବେଶ ସୁରକ୍ଷା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋରଞ୍ଜନ ମହାନ୍ତି, ଡ. ନମିତା ପଟ୍ଟନାୟକ, ନିତ୍ୟାନନ୍ଦ ସାହୁ, ଲୋକନାଥ ପ୍ରଧାନ ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ଜନକଲ୍ୟାଣ ସମ୍ମାନ ୨୦୨୫ ରେ ସମ୍ମାନୀତ କରାଯାଇଥିଲା । ପ୍ରତିଷ୍ଠାତା ସଦସ୍ୟ ନଟବର ସାମନ୍ତରାୟ ଏବଂ ରବୀନ୍ଦ୍ର ରାଉତରାୟଙ୍କୁ ବିଶେଷ ସମ୍ବର୍ଦ୍ଧିତ କରାଯାଇଥିଲା । ସଦସ୍ୟ ମୃତ୍ୟୁଞ୍ଜୟ ଦାସ, ଉମେଶ ଚନ୍ଦ୍ର ନାୟକ, ଗୋଦାବରୀଶ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ରବିନାରାୟଣ ପାଢ଼ୀ, ପ୍ରିୟବ୍ରତ ନାୟକ, ଆନନ୍ଦଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପସଭାପତି ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
