କ୍ୟାପିଟାଲ ହସ୍ପିଟାଲରେ ଆଜି ପୁଣି ଏକ ବିରଳ ଓ ଜଟିଳ ଅସ୍ତ୍ରୋପଚାର; ସାଢ଼େ ୩ ମାସର ଶିଶୁ ହୃତ୍ପିଣ୍ଡରେ ଅସ୍ତ୍ରୋପଚାର
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆଜି ପୁଣି ଏକ ବିରଳ ଓ ଜଟିଳ ଅସ୍ତ୍ରୋପଚାର କରାଯାଇଛି। ଅପପୁଷ୍ଟି ରୋଗରେ ପୀଡ଼ିତ ସାଢ଼େ ୩ ମାସ ଶିଶୁ ପୁତ୍ରର ହୃତ୍ପିଣ୍ଡରେ ଥିବା ଏକ କଣାକୁ ସଫଳ ଭାବେ ଅସ୍ତ୍ରୋପଚାର କରାଯାଇଛି। ଶିଶୁ ବିଭାଗ, ନିସ୍ତେଜକ ବିଭାଗ ଓ ହୃଦ୍ରୋଗ ବିଭାଗ ଡାକ୍ତର ମିଳିତ ଭାବେ ଏହି ଅସ୍ତ୍ରୋପଚାର କରିଥିଲେ। ଶିଶୁଟି ଏବେ ସୁସ୍ଥ ଥିବା ବେଳେ ଶିଶୁ ବିଭାଗର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।
ସୂଚନାଅନୁସାରେ କିଛି ଦିନ ତଳେ ନୟାଗଡ଼ର ଜଣେ ତିନି ମାସର ଶିଶୁ ୪ ଦିନ ହେବ କାଶ ଓ କଫରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲେ। ଶିଶୁଟି ଅପପୁଷ୍ଟି ଓ ନିମୋନିଆ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଶିଶୁର ଓଜନ ମାତ୍ର ୩.୫ କେଜି ରହିଥିଲା। ଶିଶୁ ବିଭାଗ ଡାକ୍ତର ପରୀକ୍ଷା କରିବା ପରେ ଶିଶୁର ହୃତ୍ପିଣ୍ଡରେ ଏକ ୮ ମିଲିମିଟର ଛିଦ୍ର ରହିଥିବା ଦେଖାଯାଇଥିଲା। ଏହା ଏକ ଜଟିଳ ଅସ୍ତ୍ରୋପଚାର ଥିବାରୁ ହସ୍ପିଟାଲ ପକ୍ଷରୁ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିଲା।
ହୃଦ୍ରୋଗ ବିଭାଗ ମୁଖ୍ୟ ଡାକ୍ତର ପିକେ ଦାଶଙ୍କ ନେତୃତ୍ବରେ ଏହି ଦଳ ସତର୍କତାର ସହିତ ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳ କରିଥିଲେ। କିଛି ଦିନ ପରେ ଶିଶୁର ଆଉ ଏକ ସାଧାରଣ ଅସ୍ତ୍ରୋପଚାର ହେବାକୁ ଥିବା ଡାକ୍ତର ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଜଟିଳ ଅସ୍ତ୍ରୋପଚାର ପାଇଁ ବାହାର ହସ୍ପିଟାଲକୁ ରେଫର କରାଯାଉଥିଲା। କିନ୍ତୁ ଏବେ ସରକାର ଉନ୍ନତ ଯନ୍ତ୍ରପାତି ଯୋଗାଇ ଦେଉଥିବାରୁ ଏହା ସହାୟତାରେ ଏଭଳି ଜଟିଳ ଅସ୍ତ୍ରୋପଚାର କ୍ୟାପିଟାଲ ହସ୍ପିଟାଲରେ ସମ୍ଭବ ହୋଇପାରିଲା ବୋଲି ଡାକ୍ତରୀ ଦଳ କହିଛି। ଏହି ଡାକ୍ତରୀ ଟିମରେ ନିସ୍ତେଜକ ବିଭାଗ ମୁଖ୍ୟ ପ୍ରଫେସର ନିବେଦିତା ପାଣି, ପ୍ରଫେସର ରବି କୁମାର, ଶିଶୁ ବିଭାଗ ମୁଖ୍ୟ ପ୍ରଫେସର ଲିନା ଦାସ, ପ୍ରଫେସର ଆଶା ପ୍ରକାଶ ମହାପାତ୍ରଙ୍କ ସମେତ ନର୍ସିଂ ଓ କ୍ୟାଥ୍ଲ୍ୟାବ୍ ଟେକ୍ନିସିଆନ ପ୍ରମୁଖ ସାମିଲ ଥିଲେ।