ଲଳିତ କଳା ଏକାଡେମୀ ଠାରେ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ “ଆରମ୍ଭ” ଉଦଘାଟିତ
ଭୁବନେଶ୍ୱର : ଖାରବେଳ ନଗର ସ୍ଥିତ ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଠାରେ ଧଉଳି ଚାରୁକଳା ମହାବିଦ୍ୟାଳୟର ୪ର୍ଥ ବର୍ଷ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ପ୍ରଦର୍ଶନୀର ଉଦଘାଟକ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ର. ପ୍ରସନ୍ନ କୁମାର ସ୍ବାଇଁ ପ୍ରଦର୍ଶନୀକୁ ଉଦ୍ଘାଟନ କରି ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳର ଶିଳ୍ପୀଙ୍କ ଗାରିମା ବିଷୟରେ ଅବଗତ କରିଥିଲେ।ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ଵୈତ ଚରଣ ଗଡନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ କଳାକୃତିର ଭୂୟସୀ ପ୍ରଶଂସା କରିଥିଲେ ।ମୁଖ୍ୟବକ୍ତା ଭାବେ ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ରର କ୍ଷେତ୍ରୀୟ ସମ୍ପାଦକ ରାମକୃଷ୍ଣ ବେଦାଲା ଓଡ଼ିଶାର ଚାରୁ କଳା କ୍ଷେତ୍ରରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅବଦାନ ଅତୁଳନୀୟ ବୋଲି ମତପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ରଶିଳ୍ପୀ ଡ଼. ପଞ୍ଚାନନ ସାମଲ ଯୋଗଦେଇ ସାଂପ୍ରତିକ ଓଡ଼ିଶାର ଯୁବ ଶିଳ୍ପୀମାନେ ବିଭିନ୍ନ ପ୍ରଦର୍ଶନୀରେ ଓଡ଼ିଶାର ନାଁ ଉଜ୍ଜ୍ୱଳ କରିବା ସହିତ ଓଡ଼ିଶାର ସମସାମୟିକ ଚିତ୍ର କଳାର ପ୍ରଚାର ପ୍ରସାର ଓ ବିକାଶରେ ସହାୟକ ହେଉଥିବା ପ୍ରକାଶ କରିଥିଲେ।ପ୍ରାରମ୍ଭରେ “ଆରମ୍ଭ” ତରଫରୁ ପ୍ରତୀକ୍ଷା ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ ପୂର୍ବକ ସମସ୍ତଙ୍କୁ ସ୍ବାଗତ ଜଣାଇ ଥିଲେ।ପ୍ରଦର୍ଶନୀରେ ସ୍ମୃତି ରଞ୍ଜନ ବେହେରା,ଦେବାଶିଷ ବେହେରା ,ସୁନିଲ କୁମାର ମିଶ୍ର, ସ୍ନେହା ସୁବୁଦ୍ଧି,ପ୍ରତୀକ୍ଷା ଷଡ଼ଙ୍ଗୀ,ବିକାଶ କୁମାର ପଣ୍ଡା, ଓ ଲୋକନାଥ ନନ୍ଦଙ୍କ ଚିତ୍ରକଳା,ସୁବ୍ରତ ମୁଦୁଲି, ଆରୟାନ୍ ସାମଲ ଓ ସୋନାଲି ନାୟକଙ୍କ ଆଧୁନିକ ଭାସ୍କର୍ଯ୍ୟ,ସଂକେତ ଦାସଙ୍କ ଫୋଟୋଗ୍ରାଫି,ସୋନାଲି ବିଶ୍ଵାଳଙ୍କ ମୁଦ୍ରଣ କଳା ଏବଂ ଲିପ୍ସା ପ୍ରଧାନଙ୍କ ଇନଷ୍ଟଲେସନ୍ ସହ ମୋଟ ୩୫ଟି ସୃଜନଶୀଳ କଳାକୃତି ପ୍ରଦର୍ଶିତ ହୋଇଛି।ଏହି ପ୍ରଦର୍ଶନୀ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୋଲା ରହିବ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଚନ୍ଦନ କୁମାର ସାମଲ,ରାମଶଙ୍କର ସାହୁ ଓ ଭୂପତି ଭୂଷଣ ପଣ୍ଡା ପରିଚାଳନା କରିଥିଲେ।ପ୍ରଦର୍ଶନୀ ଅବସରରେ ଓଡ଼ିଶାର ବହୁ ଚିତ୍ର ଶିଳ୍ପୀ ଓ କଳା ଅନୁରାଗୀ ଚିତ୍ର ଭାସ୍କର୍ଯ୍ୟ ଗୁଡ଼ିକ ବୁଲି ଦେଖିଥିଲେ।