ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ; ଉପରିସ୍ଥ ଅଧିକାରୀଙ୍କ ରିପୋର୍ଟ ପରେ ହିଁ ତଦନ୍ତ ଆଦେଶ ଦେଇ ପାରିବେ ମାଜିଷ୍ଟ୍ରେଟ୍
କଟକ: କର୍ତ୍ତବ୍ୟ ସଂପାଦନ ବେଳେ ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ଯଦି କୌଣସି ଆପରାଧିକ ଘଟଣାରେ ସଂପୃକ୍ତି ନେଇ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଅଭିଯୋଗ ହୁଏ ତେବେ ସିଧାସଳଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବନାହିଁ। ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୭୫(୪)ରେ ଥିବା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପରେ ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ। ସମ୍ପୃକ୍ତ ଘଟଣାରେ ଉପରିସ୍ଥ ଅଧିକାରୀଙ୍କ ରିପୋର୍ଟ ମିଳିବା ପରେ ବା ଅଭିଯୁକ୍ତ କର୍ମଚାରୀଙ୍କ ପକ୍ଷ ଶୁଣିବା ପରେ ହିଁ ମାମଲା ରୁଜୁ ସହ ତଦନ୍ତ ପାଇଁ ମାଜିଷ୍ଟ୍ରେଟ ଆଦେଶ ପ୍ରଦାନ କରି ପାରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଧାରା ୧୭୫(୪)ରେ ଥିବା ବ୍ୟବସ୍ଥା ଏକ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା। ଯେଉଁ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ରହିଥିବ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିକଟରୁ ସତ୍ୟାସତ୍ୟ, ଘଟଣା ବେଳର ପରିସ୍ଥିତି ସଂକ୍ରାନ୍ତୀୟ ରିପୋର୍ଟ ମିଳିବା ପରେ ଯାଇ ମାଜିଷ୍ଟ୍ରେଟ୍ ଏହାକୁ ବିଚାର କରିବେ। ଅଭିଯୋଗର ଶିକାର ହୋଇଥିବା କର୍ମଚାରୀଙ୍କ ପକ୍ଷ ମଧ୍ୟ ମାଜିଷ୍ଟ୍ରେଟ୍ ବିଚାରକୁ ନେବେ। ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପିପି ନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଏଥି ସହିତ ଆବେଦନକାରୀଙ୍କ ଅଭିଯୋଗର ବିଚାର କରି ଭୁବନେଶ୍ବର ଜେଏମ୍ଏଫ୍ସି-୨ ପ୍ରଦାନ କରିଥିବା ୨୦୨୪ ଅକ୍ଟୋବର ୯ର ତଦନ୍ତ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ ପାଇଁ ମାମଲାକୁ ପୁଣି ଜେଏମ୍ଏଫ୍ସି ଅଦାଲତକୁ ହାଇକୋର୍ଟ ଫେରାଇ ଦେଇଛନ୍ତି। ବିଏନ୍ଏସ୍ଏସ୍ରେ ଥିବା ବ୍ୟବସ୍ଥା ଅନୁସରଣ କରି ଆବେଦନକାରୀଙ୍କ ଅଭିଯୋଗ ଉପରେ ଜେଏମ୍ଏଫ୍ସି ଅଦାଲତ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ଆବେଦନକାରୀ ଓ ତାଙ୍କ ପତ୍ନୀ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏତଲା ପଞ୍ଜୀକରଣ କରି ନଥିଲା। କେତେକ ବରିଷ୍ଠ ପୁଲିସ ଅଧିକାରୀ ତାଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଚାପ ପ୍ରୟୋଗ କରିଥିଲେ। ଏଥିପାଇଁ ଆବେଦନକାରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଆବେଦନକାରୀ ଜେଏମ୍ଏଫ୍ସି ଅଦାଲତରେ ଆବେଦନ କରିଥିଲେ। ଅଦାଲତ ଆବେଦନକାରୀଙ୍କ ଅଭିଯୋଗର ଶୁଣାଣି କରି ମଞ୍ଚେଶ୍ବର ଥାନା ଆଇଆଇସିଙ୍କୁ ଏତଲା ପଞ୍ଜୀକରଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମଧ୍ୟ ଏତଲା ପଞ୍ଜୀକରଣ ହୋଇ ନଥିଲା। ଆବେଦନକାରୀ ପୁଲିସ ନିଷ୍କ୍ରିୟତା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।