ମହିଳା ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କଳିଙ୍ଗ ପୁସ୍ତକ ମେଳାର ସଂପାଦିକା ରେଣୁକା ମିଶ୍ର ସମ୍ମାନିତ

ଭୁବନେଶ୍ବର : ସରଳା ଦେବୀ ସ୍ମାରକୀ ଟ୍ରଷ୍ଟ୍ ଏବଂ ଜଗତସିଂହପୁର ବିକାଶ ପରିଷଦ ପକ୍ଷରୁ ଓଡିଶାର ବୀର ନାରୀ ସ୍ବାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ୧୨୧ତମ ଜୟନ୍ତୀରେ କଳିଙ୍ଗ ପୁସ୍ତକ ମେଳାର ସଂପାଦିକା ରେଣୁକା ମିଶ୍ରଙ୍କୁ ସମ୍ମାନିତ କରାଯାଇଛି । ମହିଳା ମାନଙ୍କ ଦ୍ବାରା ପରିଚାଳିତ ହୋଇଆସୁଥିବା ଦେଶର ଏକମାତ୍ର ପୁସ୍ତକ ମେଳା କଳିଙ୍ଗ ପୁସ୍ତକ ମେଳାକୁ ଦୀର୍ଘ ୨୭ ବର୍ଷ ଧରି ସଫଳତାର ସହ ଆୟୋଜନ କରି ଆସୁଛନ୍ତି ଜଗତସିଂହପୁର ମାଟିର ଝିଅ ରେଣୁକା । ଗୋଷ୍ଠୀଗତ ସହଭାଗିତା ଓ ମହିଳା ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ କରାଯାଇଛି ବୋଲି ଆୟୋଜକଙ୍କ ପକ୍ଷରୁ ସୁଚନା ଦିଆଯାଇଛି । ଯାହାକୁ ନେଇ ରେଣୁକା ମିଶ୍ରଙ୍କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ସମ୍ମାନ ଗ୍ରହଣ ପରେ ରେଣୁକା ମିଶ୍ର ତାଙ୍କ ପ୍ରତକ୍ରିୟାରେ କହିଛନ୍ତି କି ଏହା ତାଙ୍କୁ ଆହୁରି ଅଧିକ ଦାୟିତ୍ୱ ସମ୍ପନ୍ନ ସହକାରେ କାମ କରିବା ପାଇଁ ପ୍ରେରଣା ଦେବ । ଏଥି ପାଇଁ ସେ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ସୁରମା ପାଢୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ, ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଏରସମା-ବାଲିକୁଦା ବିଧାୟକ ସାରଦା ଜେନା ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *