ପିଇସିଟି ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ, ସୋଆ ପକ୍ଷରୁ ନିଶୁକ୍ଳ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ
ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟ ଏବଂ ଦନ୍ତ ଚିକିତ୍ସା ବିଭାଗ, ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ , ସୋଆର ମିଳିତ ସହଯୋଗରେ ଏକ ନିଶୁକ୍ଳ ଦାନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଅଛି | ସ୍ଥାନୀୟ ଆଇ.ଆର.ସି ଭିଲେଜ ସ୍ଥିତ ଶ୍ରୀ ରାମେଶ୍ୱର ବରିଷ୍ଠ ନାଗରିକ ସଂଘର ସଭାଗୃହ ଠାରେ ଆୟୋଜିତ ଏହି ଶିବିରରେ ଦାନ୍ତ ରୋଗ ସମ୍ବନ୍ଧୀୟ ପ୍ରାୟ ସମସ୍ତ ପ୍ରକାର ଚିକିତ୍ସା କରାଯିବା ସହିତ ଗଠନ ମୂଳକ ପରାମର୍ଶ ଦିଆଯାଇଥିଲା | ପ୍ରାୟ ୧୫୦ ରୁ ଉର୍ଧ୍ଵ ବରିଷ୍ଠ ନାଗରିକ, ସ୍ଥାନୀୟ ବାସିନ୍ଦା, ମହିଳା ଏବଂ ପିଲାମାନେ ଏହି ଚିକିତ୍ସା ଶିବିରରେ ନିଜ ନିଜର ଦାନ୍ତ ପରୀକ୍ଷା କରାଇଥିଲେ | ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ବହୁ ସହଜ ଓ ସୁବିଧାରେ ବିନା ମୂଲ୍ୟରେ ଲୋକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା | ତା ସହ ଦାନ୍ତ କ୍ଷୟ ଜନିତ ଅବସ୍ଥାକୁ କିପରି ରୋକି ପାରିବେ, ଛୋଟ ପିଲାମାନଙ୍କର ଦେଖା ଯାଉଥିବା ଦାନ୍ତ ରୋଗ ଜନିତ ସମସ୍ୟା ଇତ୍ୟାଦିକୁ କିଭଳି ଚିକିତ୍ସା କରିବେ ସେ ବିଷୟରେ ମଧ୍ୟ ପରାମର୍ଶ ଦିଆଯାଇଥିଲା | ଆବଶ୍ୟକ କ୍ଷେତ୍ରରେ ସ୍କେଲିଙ୍ଗ କରାଯିବା ସହ ମେଡିସିନ ମଧ୍ୟ ପ୍ରଦାନ କରାଯାଇଥିଲା | ଏହି ଶିବିରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ , ସୋଆର ଡାକ୍ତର ଡ଼.ସୌରଭ ଚନ୍ଦ୍ର ବିଦ୍ୟା ସାଗର ବଳ, ଡ଼.ସୁଦୀପ୍ତ ସାହୁ, ଡ଼. ଶିଳ୍ପା ଦାଶ,ଡ.ଲିପ୍ସା ରାଉତ, ଡ଼.ଇପ୍ସିତା ପୃଷ୍ଟି,ଡ. ପୁନମ ନାୟକ ଶିବିର ପରିଚାଳନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ରାମେଶ୍ୱର ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀବିଷ୍ଣୁ ମୋହନ ମହାନ୍ତି, ସଦସ୍ୟ ବଂଶୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଚିକିତ୍ସା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ତପସ୍ୱୀନି ପଣ୍ଡାଙ୍କ ତତ୍ୱାବଧାନରେ ଏହି ନିଶୁକ୍ଳ ଦାନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା | ଜନସାଧାରଣ ଏହି ଶିବିରକୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଅନୁଷ୍ଠିତ କରିବା ନିମନ୍ତେ ଅନୁରୋଧ କରିଥିଲେ।