ଏପ୍ରିଲ ୧୮ ରୁ ଆରମ୍ଭ ହେବାକୁ ଯାଉଛି ପୁରୀ ସାହିତ୍ୟ ଉତ୍ସବ ୨୦୨୫

ଭୁବନେଶ୍ବର : ଏପ୍ରିଲ ୧୮ ରୁ ୨୦, ୨୦୨୫ ଅଧ୍ୟୟନ ଫାଉଣ୍ଡେସନ୍ ଫର ପଲିସି ଆଣ୍ଡ ରିସର୍ଚ୍ଚ (AFPR), ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାର, ଏବଂ
ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ (NBT)ର ମିଳିତ ଆନୁକୂଲ୍ୟରେ, ୨୦୨୫ ଏପ୍ରିଲ୍ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀର ତାଜ ହୋଟେଲ ଠାରେ ପୁରୀ ସାହିତ୍ୟ ଉତ୍ସବ (Puri Lit Fest 2025) ର ଉଦଘାଟନୀ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ସଂଳାପ, ପ୍ରଦର୍ଶନ ଏବଂ ବିତର୍କ ମାଧ୍ୟମରେ ଭାରତର ପ୍ରାଚୀନ ଜ୍ଞାନକୁ ଏହାର ସମସାମୟିକ ମହତ୍ତ୍ବାକାଂକ୍ଷା ସହିତ ଯୋଡ଼ିବା ହେଉଛି ଏହି ଐତିହାସିକ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଏହି ଉତ୍ସବର ଉଦ୍ଘାଟନ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଅଛି | ଓଡ଼ିଶା ସରକାରଙ୍କ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମାନ୍ୟବର ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବେ। ସମାପନ ଏବଂ ପୁରସ୍କାର ବିତରଣ ଉତ୍ସବରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ। ତା ସହ ଦେଶ ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ରହିବେ |

ଏହି ମଞ୍ଚରେ ରମାକାନ୍ତ ରଥ ସାହିତ୍ୟ ପୁରସ୍କାରର ଶୁଭାରମ୍ଭ କରାଯିବ ଯାହା ଏହାର ମୁଖ୍ୟ ଆକର୍ଷଣ ହେବ |
ଏହି ସାହିତ୍ୟ ଉତ୍ସବରେ ପ୍ରକାଶକ ସମ୍ମିଳନୀ, ସାମାଜିକ ଉଦ୍ୟୋଗ, ସାହିତ୍ୟରେ ମହିଳାଙ୍କ ଅବଦାନ, ପରିବେଶ, ଆଧୁନିକ ଯୁଗରେ ଇତିହାସ ଲିଖନ, ବଲିଉଡର ସାଂସ୍କୃତିକ ପ୍ରଭାବ ଏବଂ ଓଡ଼ିଶାର ସାମାଜିକ-ସାଂସ୍କୃତିକ ବିକାଶ ତଥା ଏକବିଂଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟ ଆଦି ଉପରେ ଆଲୋଚନା ରହିବ। ତା ସହ ଐତିହ୍ୟ ପଦଯାତ୍ରା, ବାଲୁକା କଳା, ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ, ଏବଂ ଓଡ଼ିଆ ଖାଦ୍ୟର ପରିବେଷଣ ମଧ୍ୟ ରହିବ |

“ଭବିଷ୍ୟତର କାର୍ଯ୍ୟପନ୍ଥା’ ଡକ୍ୟୁମେଣ୍ଟ ସହ ଏହି ଉତ୍ସବର ସମାପନ ହେବ। ଯେଉଁଥିରେ ଭବିଷ୍ୟତର ସାଂସ୍କୃତିକ ଏବଂ ନୈତିକ ପଦକ୍ଷେପଗୁଡ଼ିକୁ ମାର୍ଗଦର୍ଶନ କରିବା ପାଇଁ ୨୦ଟି ଅଧୂବେଶନରୁ ପ୍ରାପ୍ତ ଅନ୍ତଦୃଷ୍ଟିକୁ ସଂଶ୍ଳେଷଣ କରାଯିବ। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବର ପ୍ରତିଷ୍ଠାତା ନିର୍ଦ୍ଦେଶକ ଓମ୍ ପ୍ରିୟଦର୍ଶୀ ଛୋଟରାୟ, ଶିବମ୍ ରଘୁବଂଶୀ ଏବଂ ଶଶାଙ୍କ ଶେଖର ସିଂହ ସୂଚନା ଦେଇ କହିଛନ୍ତି ଯେ, ଏହି ମହୋତ୍ସବ ଓଡ଼ିଶାର କାଳଜୟୀ ଐତିହ୍ୟ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଏବଂ ସ୍ବଦେଶୀ ଜ୍ଞାନରେ ନିହିତ ବୈଶ୍ବକ ଆଲୋଚନାକୁ ପ୍ରେରଣା ଦେବା ପାଇଁ ଏକ ମଞ୍ଚହେବ |

Leave a Reply

Your email address will not be published. Required fields are marked *