ରୋଟାରି କ୍ଲବ ଏକାମ୍ର କ୍ଷେତ୍ର ଏବଂ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ରଜ ଉତ୍ସବ ପାଳିତ

ଭୁବନେଶ୍ୱର : ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ର ଏବଂ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଆନୁକୁଲ୍ୟରେ ଉତ୍ତରାସ୍ଥିତ ଆନନ୍ଦମାର୍ଗ ଆକାଡେମୀର ଅଫ୍ ଲାଇଟ୍ (AMAL)ର ପ୍ରାୟ ତିରିଶରୁ ଉର୍ଦ୍ଧ ଦୃଷ୍ଟିବାଧିତ ଝିଅ ଏବଂ ଦଶ ଜଣ ଦୃଷ୍ଟିବାଧିତ ପୁଅମାନଙ୍କୁ ନେଇ ରଜ ଉତ୍ସବ ପାଳନ କରାଯାଇଅଛି।ଏହି ଅବସରରେ ସକାଳେ ସେମାନେ ଜୟଦେବ ବିହାର ସ୍ଥିତ ସୁନ୍ଦର୍ଶନ ଆର୍ଟ ଏବଂ କ୍ରାଫ୍ଟ ଭିଲେଜ ବୁଲି ଦେଖିବାସହ ଦୋଳି ଖେଳର ମଜା ନେଇଥିଲେ।ସେଠାରେ ସେମାନଙ୍କପାଇଁ ପୋଡ଼ପିଠା,ଆରିଶା,ଇଡ୍ଲି ଓ ଘୁଗୁନି ଇତ୍ୟାଦି ଜଳଯୋଗର ବ୍ୟବସ୍ଥା କରାଯାଇଥିଲା।ତତ୍ପରେ ସେମାନଙ୍କୁ ଏକାମ୍ର ବିହାର ସ୍ଥିତ ଓଡ଼ିଶା ପରିବେଶ ସମିତିକୁ ଅଣାଯାଇ ସେମାନଙ୍କ ମଧ୍ଯରେ quiz, ପୁଚିଖେଳ, ଗୀତ, ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପିଲାମାନେ ବହୁତ ଉତ୍ସାହର ସହିତ ସମସ୍ତ ପ୍ରତିଯୋଗିତାରେ ଭାଗ ନେଇ ଥିଲେ।
ବିଜୟୀ ପ୍ରତିଯୋଗିଙ୍କୁ ପୁରସ୍କାର ସ୍ୱରୂପ ଅର୍ଥରାଶୀ ଏବଂ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା।ଏହି ଉତ୍ସବରେ ରୋଟାରୀ ଏକାମ୍ର କ୍ଷେତ୍ରର ସଭାପତି ଡ. ମମତା ଦାଶ, ପ୍ରଶାନ୍ତି ଟ୍ରଷ୍ଟର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା ପୌରାହିତ୍ୟ କରିଥିଲେ। ରୋଟାରି କ୍ଲବର ପୂର୍ବତନ ସଭାପତି ରାଜଲକ୍ଷ୍ମୀ ମହାପାତ୍ର, ସରୋଜଲକ୍ଷ୍ମୀ ପଟ୍ଟନାୟକ, ଡ.ରେଖା ଦାସ, ସୂର୍ଯ୍ୟନାରାୟଣ ସାହୁ, ସମ୍ପାଦିକା ମଧୁଛନ୍ଦା ବଳ, କୋଷାଧ୍ୟକ୍ଷ ସଞ୍ଜୟ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏକାଡେମୀର ମଞ୍ଜରୀ ଦିଦି ଏବଂ ପ୍ରଭାସିନୀ ଦିଦି ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ।ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଅନ୍ତେବାସୀ ବହୁ ସଂଖ୍ୟାରେ ଯୋଗଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ।ମଧ୍ଯାହ୍ନ ଭୋଜନ ପରେ ସଭା ସାଙ୍ଗ ହୋଇଥିଲା।ଶେଷରେ ସମସ୍ତଙ୍କୁ ଅଳତା, କୁଙ୍କୁମ, କାନଫୁଲ ଇତ୍ୟାଦି ଦେଇ ସେମାନଙ୍କର ପରିବହନର ବନ୍ଦୋବସ୍ତ କରାଯାଇଥିଲା।ନିକଟସ୍ଥ ବ୍ୟକ୍ତି ବିଶେଷ ରୋଟାରି ଏବଂ ପ୍ରଶାନ୍ତି ଟ୍ରଷ୍ଟର ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *