ସ୍ଥାପନା ଦିବସରେ ସନାତନ ହିନ୍ଦୁ ବୋର୍ଡ଼ ପାଇଁ ଦାବି ରଖିଲା ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ

ଭୁବନେଶ୍ଵର: ସଙ୍ଗଠନର ଦ୍ଵାଦଶ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସନାତନ ସାଧୁସନ୍ଥଙ୍କ ଆଶୀର୍ବାଦ ନେଇ ଭାରତରେ ସନାତନ ହିନ୍ଦୁ ବୋର୍ଡ଼ର ସ୍ଥାପନା ପାଇଁ ଦାବି ରଖିଛି ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ଓଡ଼ିଶା ପ୍ରାନ୍ତ । ଆଜି ନିଳାଦ୍ରୀ ବିହାର ସ୍ଥିତ ପ୍ରାନ୍ତୀୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ପ୍ରତିଷ୍ଠା ଉତ୍ସବ ବୈଠକ ସମୟରେ ଉପରୋକ୍ତ ବୋର୍ଡ଼ର ଆବଶ୍ୟକତା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଦେଶରେ ସନାତନୀ ହିନ୍ଦୁଙ୍କ ମୌଳିକ ଅଧିକାର ସୁରକ୍ଷା ନେଇ ସନାତନ ହିନ୍ଦୁ ବୋର୍ଡ଼ ଗଠନର ଆବଶ୍ୟକତା ଉପରେ ନିଜର ବକ୍ତବ୍ୟ ରଖି ସଙ୍ଗଠନର ଓଡ଼ିଶା ଅଧ୍ୟକ୍ଷ ଦୀନବନ୍ଧୁ ଷଡ଼ଙ୍ଗୀ କହିଛନ୍ତି ଯେ ହିନ୍ଦୁମାନଙ୍କ ଧାର୍ମିକ ମାମଲାରେ ସୁପ୍ରିମକୋର୍ଟର ଅଯଥା ହସ୍ତକ୍ଷେପ ଅନେକ ସମୟରେ ସନାତନୀ ହିନ୍ଦୁଙ୍କୁ ଆହତ କରୁଛି । ସୁପ୍ରମକୋର୍ଟ ଏକ ସିକୁଲାର୍ ସଂସ୍ଥା ହୋଇଥିଲା ବେଳେ ଧାର୍ମିକ ମାମଲାରେ ଅଯଥା ହସ୍ତକ୍ଷେପ ନ କରି ନିଜର ଅକ୍ଷମତା ପ୍ରକାଶ କରିବା କଥା । ବ୍ରିଟିଶ୍ ଢାଞ୍ଚାରେ ସ୍ଥାପିତ ସୁପ୍ରିମକୋର୍ଟ ହିନ୍ଦୁଙ୍କ ବ୍ୟବସ୍ଥା ନୁହେଁ । ସିକୁଲାର୍ ପାଠ ପଢ଼ି ଆସିଥିବା ବିଚାରପତି ଇଂରାଜୀ ଭାଷାରେ ଭାବ ବିନିମୟ କରୁଥିବା ସମୟରେ ସାଧାରଣ ଭାରତୀୟଙ୍କ ଭାବନାକୁ ଭୁଲିଯାଆନ୍ତି । ଏଇଥି ପାଇଁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପାଇଁ ଏକ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିଥିଲା । ଗତ କରୋନା କାଳରେ ହିନ୍ଦୁ ବିରୋଧୀ ଶକ୍ତିଙ୍କ ପ୍ରଭାବରେ ଅଣଓଡ଼ିଆ ଓକିଲଙ୍କ କଥା ଶୁଣି ସୁପ୍ରିମକୋର୍ଟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ୍ କରାଇବାର ଦୁଃସାହସ କରିଥିଲେ । ପୁରୀ ଶ୍ରୀମନ୍ଦିରର ଦୁଇ ହଜାର କିଲୋମିଟର ଦୂରରେ ଅବସ୍ଥିତ ସୁପ୍ରିମକୋର୍ଟ ଏଠାକାର ବସ୍ତୁସ୍ଥିତି ଉପରେ କୌଣସି ଜ୍ଞାନ ନରଖି ଏକତରଫା ନିଷ୍ପତ୍ତି ଶୁଣାଇଥିଲେ । ପରବର୍ତ୍ତୀ ସମୟରେ ଓଡ଼ିଶାବାସୀଙ୍କ ସାମୁହିକ ଚାପ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ କିଭଳି ରଥଯାତ୍ରା ସମ୍ଭବ ହେଲା ତାହା ସମସ୍ତେ ଜାଣନ୍ତି। ଏଣୁ ସନାତନୀ ହିନ୍ଦୁ ଧର୍ମ ସମ୍ପର୍କୀୟ ମାମଲାର ସମାଧାନ ପାଇଁ ଏକ ସନାତନ ହିନ୍ଦୁ ବୋର୍ଡ଼ ଗଠିତ ହେଉ ବୋଲି ନିଜର ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ । ସଂଗଠନର ଅନ୍ୟତମ ସକ୍ରିୟ ସଦସ୍ୟ ଉଜ୍ଜଳ ପଣ୍ଡା ନିଜର କ୍ଷୋଭ ପ୍ରକଟ କରି କହିଲେ ଯେ ୱାକଫ୍ ବୋର୍ଡ଼ ହିନ୍ଦୁଙ୍କ ସମ୍ପତ୍ତି ହଡ଼ପ କରିବା ସହ ହିନ୍ଦୁ ମନ୍ଦିର ଅକ୍ତିଆର କରୁଥିବା ବେଳେ କୌଣସି କୋର୍ଟ କାମକୁ ଆସୁ ନାହାନ୍ତି । କିନ୍ତୁ ସୁପ୍ରିମକୋର୍ଟର ଆଦେଶ କେବଳ ହିନ୍ଦୁଙ୍କ ଭାବାବେଗ ସହ ଖେଳିବା ପାଇଁ ଉଦ୍ଦିଷ୍ଟ । ଅତୀତରେ ଲିଭ୍ ଇନ୍ ରିଲେଶନସିପ୍, ସମଲିଙ୍ଗୀ ବିବାହ ଆଦି କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଆଦେଶ ଭାରତୀୟ ସଭ୍ୟତା ସଂସ୍କୃତିର ବିରୋଧୀ । ସନାତନ ହିନ୍ଦୁ ପରମ୍ପରାର ବିରୋଧି । ଏସବୁ କ୍ଷେତ୍ରରେ ସମସ୍ୟାର ସମାଧାନ ପାଇଁ ସନାତନ ହିନ୍ଦୁ ବୋର୍ଡ଼ ଗଠନ ହେବା ନିହାତି ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ । ଭାରତ ସ୍ବାଭାବିକ ଭାବରେ ସନାତନ ହିନ୍ଦୁ ପରମ୍ପରାର ରାଷ୍ଟ୍ର ହୋଇଥିଲା ବେଳେ ଏହାକୁ କୃତ୍ରିମ ଭାବରେ ସିକୁଲାର୍ ଲେଖାଯାଇ ଭାରତର ଜନମାନସକୁ ଦୁର୍ବଳ କରାଯାଇଛି । ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ପାଇଁ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ସଙ୍କଳ୍ପକୁ ସମସ୍ତ ସଭ୍ୟମାନେ ଦୋହରାଇ ଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ପାତାଳସିଂ, ଟାଇଫୁନ୍ ପରିଜା, ନମିତା ବେହେରା, ସୌଦାମିନୀ ରାଉତ, ଚିତ୍ରକାନ୍ତ ପତି, ସତ୍ୟବାନ ଜେନା, ଭେଟେରାନ୍ ଜଗବନ୍ଧୁ ସାହୁ, ମାନସ ସୁନ୍ଦର ଶତପଥୀ, ସୁଶାନ୍ତ କୁମାର ମହାନ୍ତି, ବନ୍ଧନ ଦାସ, ଶ୍ରୀକାନ୍ତ ରଥ, ରୁଦ୍ର ପ୍ରସନ୍ନ, ନବକିଶୋର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *