ଜୁଲାଇ ୧୮ରେ ପରିବେଶ ରତ୍ନ ସମ୍ମାନ ସମାରୋହର ତୃତୀୟ ସଂସ୍କରଣ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଆସନ୍ତା ୧୮ ଜୁଲାଇ ୨୦୨୪ ତାରିଖରେ ପରିବେଶ ରତ୍ନ ସମ୍ମାନ ସମାରୋହର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ | ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ପରିବେଶ ବିଜ୍ଞାନୀ, ବୁଦ୍ଧିଜୀବି ତଥା ପରିବେଶ ପ୍ରେମୀ ମାନେ ଏକାଠି ହେବେ | ଏହି ଅବସରରେ ‘ଜଳବାୟୁ ପରିବର୍ତ୍ତନ ; ଆହ୍ୱାନ ଏବଂ ସୁଯୋଗ’ ଶୀର୍ଷକ ଏକ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହେବ | ଯେଉଁଥିରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଉପରେ କାମ କରିଆସୁଥିବା ବୈଜ୍ଞାନିକ, ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନେ ଅଂଶଗ୍ରହଣ କରି ନିଜର ମତ ରଖିବେ | ତା ସହ ପରିବେଶ ସୁରକ୍ଷାରେ ବ୍ରତୀ ଥିବା କିଛି ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କୁ ପରିବେଶ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ |

ଅନୁଷ୍ଠାନ ପକ୍ଷରୁ ଆଜି ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧକ୍ଷ ଡ଼ ବିପିନ ବିହାରୀ ମିଶ୍ର କହିଥିଲେ କି ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦୀର୍ଘ ଦିନ ହେବ ପରିବେଶ ସୁରକ୍ଷା ଦିଗରେ କାମ କରି ଆସୁଅଛି | ଆମେ ଦୀର୍ଘ ବର୍ଷ ହେବ ବର୍ଷା ଋତୁ ଆରମ୍ଭରେ ବିଭିନ୍ନ ସ୍ଥାନରେ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ ମାନ ଆୟୋଜନ କରିଆସୁଛୁ | ଆମେ ଦେଖିବାକୁ ପାଇଲୁ ଆମ ପରି ଅନେକ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମଧ୍ୟ ଏମିତି ପରିବେଶ ସୁରକ୍ଷାରେ ନିଜକୁ ବ୍ରତୀ କରିଛନ୍ତି | ସେହି ସମାନ ଚିନ୍ତାଧାରା ରଖିଥିବା ପରିବେଶ ପ୍ରେମୀ ଵ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କୁ ଟିକିଏ ଉତ୍ସାହିତ କରିବା ପାଇଁ, ଟିକିଏ ସହଯୋଗ କରିବା ପାଇଁ ଆମେ ଗତ ୩ ବର୍ଷ ହେବ ପରିବେଶ ରତ୍ନ ସମ୍ମାନ ଦେଇଆସୁଛୁ | ତା ସହ ଗୋଟିଏ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ମଧ୍ୟ ଆୟୋଜିତ କରୁଛୁ ଯାହାର ଶୀର୍ଷକ ହେଉଛି – ‘ଜଳବାୟୁ ପରିବର୍ତ୍ତନ ; ଆହ୍ୱାନ ଏବଂ ସୁଯୋଗ’ | ଆମର ଏ ଛୋଟିଏ ପ୍ରୟାସ ଅନ୍ୟମାନଙ୍କୁ ମଧ୍ୟ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସି କାମ କରିବାକୁ ନିଶ୍ଚିତ ପ୍ରେରଣା ଦେବ ବୋଲି ଆଶା | ଚଳିତ ବର୍ଷ ଆମେ କିଛି ସାମାଜିକ ପ୍ରତିବଦ୍ଧତାରେ ଆଗ୍ରହ ରଖିଥିବା ଉଦ୍ୟୋଗ ମାନଙ୍କୁ ଆମ ସହ ସାମିଲ କରିଛୁ ଯେଉଁମାନେ ନିରନ୍ତର ଭାବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଜନସଚେତନା ସୃଷ୍ଟି କରିଚାଲିଛନ୍ତି | ତା ସହ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଆସିଛନ୍ତି | ଭବିଷ୍ୟତର ଏକ ସୁସ୍ଥ ତଥା ସୁନ୍ଦର ପୃଥିବୀ ପାଇଁ ଅଧିକରୁ ଅଧିକ ବ୍ୟକ୍ତିବିଶେଷ, ଉଦ୍ୟୋଗ ଏବଂ ଅନୁଷ୍ଠାନ ମାନ ଏହି କାର୍ଯ୍ୟକ୍ରମରେ ଯୋଡି ହେବାକୁ ଡ଼ ମିଶ୍ର ଆହ୍ୱାନ ଦେଇଥିଲେ |

ଅନୁଷ୍ଠାନର ଓଡିଶା ମୁଖ୍ୟ ରବିନ୍ଦ୍ରନାଥ ରାଉତରାୟ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ ଏବଂ ସମସ୍ତ ଗଣମାଧ୍ୟମର ବନ୍ଧୁ ମାନଙ୍କୁ ପରିବେଶ ସୁରକ୍ଷା ଓ ସଚେତନତା ନେଇ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଡ଼ ସୁକାନ୍ତି ମିଶ୍ର, ପ୍ରତିଷ୍ଠାତା ସଦସ୍ୟ ଅବସରପ୍ରାପ୍ତ ଆଇଏଏସ ଅକ୍ଷୟ କୁମାର ପାଣି, ଆଇନୀଜୀବୀ ବିରଜା ମିଶ୍ରଙ୍କ ସମେତ ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *