ବିବାହ : ବୈଦିକ ସଂସ୍କାର ଓ ବଦଖର୍ଚ୍ଚ
ଏଇ ସଦ୍ୟ ସଦ୍ୟ ଯାଇଛି ଦେବଶୟନ ଏକାଦଶୀ। ଆରମ୍ଭ ହୋଇଛି ଚତୁର୍ମାସ୍ୟା ବା ଅଶୁଦ୍ଧ କାଳ। ଅର୍ଥାତ ଚାରିମାସ ଲାଗି ମାଙ୍ଗଳିକ କାର୍ଯ୍ୟ ହେବ ନାହିଁ। ତ୍ରାହି ମିଳିଛି ବରଯାତ୍ରୀ ରୋଷଣୀ ନାଁ ରେ କାନଫଟା DJ ଆଉ ଅଧରାତି ଯାଏଁ ବାଣ ଫୁଟା ଶବ୍ଦରୁ। ଆଜି ସେଇ ବିବାହ ବାବଦରେ କିଛି…
ଏକ ସର୍ଭେ ଅନୁଯାୟୀ ଭାରତରେ ଗୋଟିଏ ବର୍ଷରେ ବିବାହରେ ଯେତିକି ଖର୍ଚ୍ଚ ହୁଏ, ତାହା ଅନେକ ଦେଶର GDP ଠାରୁ ଅଧିକ।
ସନାତନ ଧର୍ମରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଯାହା ଉତ୍ତମ୍ ସମାଜ ଓ ପରବର୍ତ୍ତୀ ପିଢ଼ି ଗଢିବାର ପ୍ରଥମ ସୋପାନ। ସେଥିପାଇଁ ବିବାହରେ ବର-କନ୍ୟା ଙ୍କୁ ଲକ୍ଷ୍ମୀ ନାରାୟଣ ଭାବେ ବିବେଚନା କରି ସମସ୍ତ ରୀତିନୀତି କରାଯାଏ। ଅତିଥି ମାନଙ୍କୁ ଦେବଗଣ ତୁଲ୍ୟ ବିଚାର କରାଯାଏ ବୋଲି ଗୁଆ ଦେଇ ନିମନ୍ତ୍ରଣ, ଆସିବାରେ ଅଭ୍ୟର୍ଥନା, ନୂତନ ବସ୍ତ୍ର ଓ ଯିବା ବେଳେ ଦକ୍ଷିଣା ଦିଆଯାଏ। ସେଥିପାଇଁ ନିଜ ପରିବାର ପରିଜନ (ଯେଉଁମାନେ ନିଷ୍ଠା ପୂର୍ବକ ସ୍ବଧର୍ମ ପାଳନ କରୁଛନ୍ତି ବୋଲି ଜଣେ ନିଶ୍ଚିତ ଥାନ୍ତି) ମାନଙ୍କୁ ହିଁ ନିମନ୍ତ୍ରଣ ଦିଆଯାଏ।
କିନ୍ତୁ ଆଜିକାଲି ବିବାହ ଆଉ ଏକ ସଂସ୍କାର ନୁହେଁ ବରଂ ଗୋଟେ ଇଭେଣ୍ଟ। ନିର୍ବନ୍ଧ ହେଉ ବା ବିବାହ ପୂର୍ବରୁ ହେଉଥିବା ଅନ୍ୟାନ୍ୟ ରୀତି, ସେସବୁ ପରିବାର ପରିଜନଙ୍କ ଉପସ୍ଥିତି ରେ ଘର ଭିତରେ ହେଉଥିଲା। କୌଣସି ଦେଖାଣିଆ ତାମଝାମ ନଥିଲା। ସେହି ଦମ୍ପତି ମାନେ ବର୍ତ୍ତମାନର ଦମ୍ପତିଙ୍କ ଠାରୁ ଅଧିକ ସୁଖୀ ଥିଲେ (କାରଣ ଏତେମାତ୍ରାରେ ଛାଡପତ୍ର ଓ ବିବାହୋତ୍ତର ସମ୍ପର୍କ ଦୃଷ୍ଟିରେ ନଥିଲା)। କିନ୍ତୁ ସମାଜ ଓ ସୋସିଆଲ ମିଡିଆରେ ଦେଖେଇ ହେବା ପାଇଁ ବର୍ତ୍ତମାନ କାହାରିକୁ ହୋସ ରହୁନି, କଣ କରିବା ଉଚିତ, କଣ ନୁହେଁ।
ନିଜକୁ ଅନ୍ୟଠାରୁ ଅଧିକ ବିତ୍ତଶାଳୀ/ଧନୀ ଓ ଆଧୁନିକ ଦେଖାଇବା ଚକ୍କରରେ ଦେଖାଣିଆ ପଣ ସୀମାପାର ହୋଇସାରିଛି। ଅଠଚାଳିଶ କିଲୋ ଝିଅକୁ ପଚାଶ କିଲୋର ଲେହେଁଗା ଭାରି ଲାଗୁନି। ବାପା ବୋଉଙ୍କ ସଂସ୍କାର ଆଗରେ କିଲୋ କିଲୋ ମେକପ ହାଲୁକା ଲାଗୁଛି। ପ୍ରତି ଇଭେଣ୍ଟ ରେ ଘଣ୍ଟା ଘଣ୍ଟା ଧରି ଫୋଟୋସୁଟ କରାଇବା ବେଳେ ଆଦୌ ଥକା ଲାଗୁନି, କିନ୍ତୁ ବିବାହ କର୍ମକାଣ୍ଡ ଆରମ୍ଭ ହେବା ମାତ୍ର, “ନନା ଜଲ୍ଦି କର, କେତେ ଲମ୍ବା ଚୌଡା ପ୍ରସେସ ମ !” କହିବାକୁ ଲଜ୍ଜା ବି ଲାଗୁନି।
ଧିରେ ଧିରେ ଏଇ ବାହାଘର ବଦଖର୍ଚ୍ଚ ଏକ ସାମାଜିକ ବାଧ୍ୟବାଧକତା ହେଲାଣି। ଆମ ଓଡ଼ିଆ ପରମ୍ପରା ଓ ବିବାହ ପଦ୍ଧତିରେ ନଥିବା ହଳଦୀ,ମେହେନ୍ଦୀ, ସଙ୍ଗୀତ ନାମକ ଅନାବଶ୍ୟକ ବଦଖର୍ଚ୍ଚ ଓ ବିକୃତି ଜୋରରେ ମାଡିଚାଲିଛି। ଆଗରୁ ବାଡୁଅ ପାଣି ଗାଧୋଇବା ବେଳେ ପରିବାରର ଗୁରୁଜନ ମହିଳା ମାନେ ହଳଦୀ ଲଗେଇ ମଙ୍ଗୁଳା ପାଣିରେ ଗାଧୋଇ ଦେଉଥିଲେ। ଝିଅ ମା ଗୋଡ଼ରେ ବସୁଥିଲା। ସବୁକିଛି ସେଇ ଘର ଅଗଣାରେ ହେଉଥିଲା ଯେଉଁଠି ସେ ବଢିଛି। ସେ ରୀତିରେ ଆବେଗ ଥିଲା। ହୁଳହୁଳି ଭିତରେ ପାଣି ଢାଳିବା ବେଳେ ସମସ୍ତେ ଲୁହରେ ଭିଜୁଥିଲେ ଝିଅକୁ ବିଦା କରିବା କଥା ଭାବି। ହେଲେ ଏବେ ସେଥିପାଇଁ ବିଧିବଦ୍ଧ ଷ୍ଟେଜ ତିଆରି ହେଉଛି। ସମସ୍ତେ ହଳଦିଆ ପୋଷାକ ପିନ୍ଧି ସିନେମା ଷ୍ଟାଇଲରେ ଯାତ୍ରା ଚାଲୁଛି। ଆବେଗ ଓ ସଂସ୍କାର ନକହିଲେ ଭଲ।
ଆଉ ଏକ ଯାତ୍ରା ହେଉଛି ପ୍ରି ୱେଡିଙ୍ଗ ଫୋଟୋସୁଟ। ହିନ୍ଦୁ ବିବାହ ସଂସ୍କାର ଅନୁସାରେ ବିବାହ ଦିନରେ ବି କେତେକ ନିର୍ଦିଷ୍ଟ କର୍ମ ହେବାଯାଏ ବର କନ୍ୟା ପରସ୍ପର ମୁହଁ ଦେଖିବେ ନାହିଁ। ହେଲେ ଫୋଟୋସୁଟ ଲାଗି ଯେତିକି ଯାତ୍ରା ଆଉ ଉଦବାର୍ଯ୍ୟ ହରକତ ହେଉଛି ସେସବୁ ନକହିବା ଭଲ। ତା ଉପରେ ରହିଛି ହଳଦୀ,ମେହେନ୍ଦୀ, ସଙ୍ଗୀତ ର ଥିମ୍ ପାର୍ଟି, ବ୍ୟାଚେଲର ପାର୍ଟି, ଏ ସବୁଥିପାଇଁ ଡିଜାଇନର ଲେହେଁଗା, DJ, ଷ୍ଟେଜ, ସାଜସଜ୍ଜା ଇତ୍ୟାଦି। ବାପା ଅସାମର୍ଥ୍ୟ ବ୍ୟକ୍ତ କଲେ ପୁଅ ଝିଅ ନିଜ ଆଡୁ କହୁଛନ୍ତି ‘ଥରେ ବାହାଘର ହେବ’ ତେଣୁ ଏସବୁ କର। ସେଇ ଅର୍ଥ ନିଜର କିମ୍ବା ପରିବାରର ଭବିଷ୍ୟତ ସୁରକ୍ଷା ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ଏମିତି ବଦଖର୍ଚ୍ଚ କରିବାକୁ କହିବା ସ୍ୱାର୍ଥପର ଓ ଲଜ୍ଜାହୀନ ଆଚରଣ ନୁହେଁ ତ ଆଉ କଣ ?
କିଛି ବର୍ଷ ପୂର୍ବେ ନିଜ ପାରିବା ଠାରୁ ଅଧିକ ଭବ୍ୟ ରିସେପସନ ଭୋଜିର ଅନ୍ଧଦୌଡ଼ ଆରମ୍ଭ ହୋଇଥିଲା। ଯାହା ଧିରେ ଧିରେ ଏକ ସାମାଜିକ ବାଧ୍ୟତା ପାଲଟିଗଲା। ଏଥିରେ ସବୁଠାରୁ ଅଧିକ ପେଶୀ ହୁଅନ୍ତି ମଧ୍ୟବିତ୍ତ ପରିବାର। ଏସବୁ ଭିତରେ ଲାଭ କରନ୍ତି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଗୁଡିକ।
କେହି ସେ ବାପ ଭାଇଙ୍କ କଥା ଭାବୁ ନାହାନ୍ତି ଯିଏ ଜୀବନ ସାରା ପରିଶ୍ରମ କରି ରୋଜଗାର କରିଥିବା ଅର୍ଥ ଏମିତି ଫାଲତୁ ଦେଖାଣିଆ ଯାତ୍ରାରେ ଅପଚୟ କରିବାକୁ ବାଧ୍ୟ ହେଉଛନ୍ତି କେବଳ ଏଇଥିପାଇଁ ଯେ ବୃଦ୍ଧାବସ୍ଥାରେ କେହି ନକହୁ “ତୁମେ ମୋ ଲାଗି କଣ କରିଥିଲ ଯେ !”
ସମାଜକୁ ଓ ପରିବାର ମାନଙ୍କୁ ଏଦିଗରେ ଏବେଠାରୁ ସତର୍କ ହେବାକୁ ପଡ଼ିବ। ନହେଲେ ଦେଖାଣିଆ ବଦଖର୍ଚ୍ଚ ବୋଝ ତଳେ ଚାପି ହୋଇ ବୈଦିକ ବିବାହ ସଂସ୍କାର ଲୋପ ପାଇଯିବ।
ଏବେ କେତୋଟି ସାମାନ୍ୟ ପ୍ରଶ୍ନ, ନିଜେ ବିଚାର କରିବେ
ସୂର୍ଯ୍ୟାସ୍ତ ପରେ ବେଦ ପାଠ ନିଷିଦ୍ଧ, ତେବେ ରାତିରେ ବିବାହ କାହିଁକି (ମୋଗଲ କାଳରେ ସେମାନେ କନ୍ୟାକୁ ଉଠାଇ ନେଉଥିଲେ ବୋଲି ରାତି ଅନ୍ଧାରରେ ଲୁଚିକି ବାହାଘର ହେଉଥିଲା। ଏବେ କାହା ଭୟ ?)
ବଉଳପାଟ ଓ ଆମ ପାରମ୍ପରିକ ବିବାହ ବସ୍ତ୍ର କାହିଁକି ଲେହେଁଗା ଦ୍ୱାରା replace ହେବ ?
ଯେଉଁମାନେ ଦେବଗଣ ଭାବେ ନିମନ୍ତ୍ରିତ, ସେମାନେ ମଦ ମାଂସ ଖାଇ ବୈଦିକ କାଣ୍ଡରେ ଯୋଗ ଦେଉଛନ୍ତି କେମିତି ?
ପ୍ରି ୱେଡିଙ୍ଗ ଫୋଟୋସୁଟ, ହଳଦୀ, ମେହେନ୍ଦୀ, ସଙ୍ଗୀତ, ବ୍ୟାଚେଲର ପାର୍ଟି ଇତ୍ୟାଦିର ବୈଦିକ ସଂସ୍କାରରେ ଉଲ୍ଲେଖ ଅଛି କି ?
ଯଦି ସଂସ୍କାର କରିବାର ଅଛି ତାହା ଯେମିତି ହେବା ଉଚିତ ସେମିତି ହେଉ। ସେଥିରେ ଅପମିଶ୍ରଣ ଠିକ କି ?
ଏସବୁ ଦେଖାଣିଆ କାମରେ ନୁହେଁ ବରଂ କର୍ମକାଣ୍ଡ ଯେପରି ସଠିକ ଭାବରେ ହୁଏ, ସେଥିରେ ଧ୍ୟାନ ଦେଲେ ବିବାହର ଗୁରୁତ୍ୱ ରହିବ।
-ପ୍ରତିଭା ପ୍ରିୟଦର୍ଶିନୀ