80 ବର୍ଷ ବୟସରେ ବି ସାମାଜିକ କାମରେ ସକ୍ରିୟ ଲାୟନ ଇଂ ବିପିନି ବିହାରୀ ନାୟକ

କୁହାଯାଏ ବାର୍ଦ୍ଧକ୍ୟର ଅସହାୟତା ମଣିଷକୁ ସାମାଜିକ ଜୀବନରୁ ଦୂରେଇ ରହିବାକୁ ବାଧ୍ୟ କରେ | ଇଛା ଥିଲେବି ବହୁତ କାମରେ ଅଂଶଗ୍ରହଣ କରିବା ସମ୍ଭବ ହୋଇନଥାଏ | ହେଲେ ଏ କ୍ଷେତ୍ରରେ ବ୍ୟତିକ୍ରମ ହେଉଛନ୍ତି ଲାୟନ ଇଂ ବିପିନି ବିହାରୀ ନାୟକ | ବୟସ 80 ଛୁଇଁଥିଲେ ବି ସର୍ବଦା ଚଳଚଞ୍ଚଳ ଥାଆନ୍ତି ବିପିନି ବାବୁ | ସାମାଜିକ କାର୍ଯ୍ୟ ହେଉ କିମ୍ବା ବ୍ୟକ୍ତିଗତ କାମ, ସବୁଠି ସକ୍ରିୟ ଓ ବେଶ କର୍ମତତ୍ପର ହୋଇ ଉଠନ୍ତି ସେ | ତାଙ୍କ ସମସାମୟିକ ବ୍ୟକ୍ତିମାନେ ଆରାମରେ ସମୟ କାଟିବାକୁ ପସନ୍ଦ କରୁଥିବା ବେଳେ ବିପିନି ବାବୁ ଏ ସବୁଠାରୁ ନିଆରା | ଦୀର୍ଘ ସମୟ ଧରି ସରକାରୀ ଚାକିରୀରେ ଇଂଜିନିୟରିଙ୍ଗ ବିଭାଗରେ କାର୍ଯ୍ୟରତ ଥିବା ସମୟରେ ବହୁ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିଛନ୍ତି | ଯେଉଁଥିପାଇଁ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି | କର୍ମ କ୍ଷେତ୍ରରେ ନିଷ୍ଠାପର ଓ ଦାୟିତ୍ୱ ସମ୍ପର୍ଣ୍ଣ ବ୍ୟକ୍ତି ଭାବେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି | ସେବା ନିବୃତ ପରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଛନ୍ତି | ସେ କୁହନ୍ତି, ସମାଜର ଅସହାୟ ବ୍ୟକ୍ତି ମାନଙ୍କ ମୁହଁରେ ହସ ଟିଏ ଦେଖିଲେ ତାଙ୍କୁ ଯେଉଁ ଚରମ ତୃପ୍ତି ମିଳେ ତାହାହିଁ ତାଙ୍କୁ ସାମାଜିକ କାର୍ଯ୍ୟ ପାଇଁ ପ୍ରେରିତ କରେ | ଆହୁରି ବହୁ କାମ କରିବାର ଅଛି, ଯେ ପର୍ଯ୍ୟନ୍ତ କରିପାରୁଥିବି ନିରବିଛିନ୍ନ ଭାବେ ସମାଜ ପାଇଁ କାମ କରି ଚାଲିବି ବୋଲି କୁହନ୍ତି ସେ |

ଚଳିତ ଅଗଷ୍ଟ 2 ତାରିଖରେ ତାଙ୍କର 80 ତମ ଜନ୍ମ ଦିନ ପାଳନ ଅବସରରେ 5 ଜଣ ଗରିବ ମେଧାବୀ ବାଳିକା ମାନଙ୍କ ପାଠ ପଢାର ଖର୍ଚ୍ଚ ବହନ କରିବାର ଘୋଷଣା କରି ଆଉ ଏକ ମହାନତାର ପରିଚୟ ଦେଇଛନ୍ତି | ତାଙ୍କର ଏହି କାର୍ଯ୍ୟକୁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ ବିପିନବିହାରୀ ମିଶ୍ର ସ୍ୱାଗତ କରିବା ସହ ଭୁୟସୀ ପ୍ରଶଂସା କରିଛନ୍ତି | ତାଙ୍କର ନିଷ୍ଠାପର ସାମାଜିକ କାର୍ଯ୍ୟ ପାଇଁ ମର୍ଯ୍ୟାଦାଜନକ ‘ ସୂର୍ଯ୍ୟକ୍ଷେତ୍ର ଜୀବନବ୍ୟାପୀ ସାଧନା ସମ୍ମାନ ‘ ସହ ଲାଏନ୍ସ କ୍ଲବର ସର୍ବଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବିପିନ ନାୟକ | ନିରାଡ଼ମ୍ବର ଜୀବନଶୈଳୀ ସହ ଉଚ୍ଚ ଦୁରଦୃଷ୍ଟି ଓ କର୍ତବ୍ୟବୋଧତା ଲାୟନ ଇଂ ବିପିନି ବିହାରୀ ନାୟକଙ୍କୁ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଭାବେ ଗଢିତୋଳିଛି ଯାହା ଅନେକଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ |

Leave a Reply

Your email address will not be published. Required fields are marked *