ଆଜି ପ୍ରଥମାଷ୍ଟମୀ
ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ | ଏହା ଓଡ଼ିଆମାନଙ୍କର ଅନ୍ୟତମ କୃଷିଭିତ୍ତିକ ପ୍ରମୁଖ ପର୍ବ | ଏହି ପର୍ବରେ ମା’ଷଠୀ ଦେବୀଙ୍କୁ ପୂଜା କରାଯାଇ ଘରର ବଡ ପୁଅ ଵା ଝିଅ ର ସୁଖ, ସମୃଦ୍ଧି ଆୟୁଷ କାମନା କରାଯାଏ, ଵା ସେମାନଙ୍କୁ ପୋଢ଼ୁଁଆ କରାଯାଏ | ଜ୍ୟେଷ୍ଠ ପୁଅ ଵା ଝିଅଙ୍କୁ ପିଢାରେ ବସାଇ ବନ୍ଦାପନା କରି ସେମାନଙ୍କର କୁଶଳ ମଙ୍ଗଳ କାମନା କରାଯାଉଥିବାରୁ ଏହାକୁ ଜ୍ୟେଷ୍ଠାଷ୍ଟମୀ ମଧ୍ୟ କୁହନ୍ତି |ଏଥିରୁ ପିତା ମାତା ତଥା ପରିବାରର ସମସ୍ତ ସଦସ୍ୟ ବଡ ସନ୍ତାନ ପ୍ରତି କେତେ ସ୍ନେହ ଆଦର ପ୍ରକାଶକରନ୍ତି ତାହା ଏ ପର୍ବରୁ ଜଣାପଡେ |ଆଉ ସେମାନଙ୍କ ପାଇଁ ମାମୁଁ ଘରୁ ନୂତନ ବସ୍ତ୍ର ଓ ମିଠା ଆସିଥାଏ |ଏଥିପାଇଁ ମାମୁଁଙ୍କୁ ଅଷ୍ଟମୀ ବନ୍ଧୁ କହନ୍ତି | ଏ ପର୍ବରେ ନୂଆ ଅରୁଆ ଚାଉଳ, ବିରିରେ ଛେନା, ନଡ଼ିଆ ପୁର ଦେଇ ହଳଦୀ ପତ୍ର ପିଠା ପ୍ରସ୍ତୁତ କରାଯାଇ ଷଷ୍ଠୀଦେବୀଙ୍କୁ ଲାଗି କରାଯାଏ | ଆଉ ସୁସ୍ୱାଦୁ ଏଣ୍ଡୁରି ପିଠା ଓ କ୍ଷୀରି ପ୍ରସ୍ତୁତ ହୁଏ | ପ୍ରଥା ଅନୁଯାୟୀ ଏଣ୍ଡୁରି ହାଣ୍ଡି ସାତ ଦିନ ଯାଏଁ ରହେ ଓ ତା ପରେ ଭଙ୍ଗାଯାଏ |
ଶ୍ରୀମନ୍ଦିର ପରମ୍ପରାରେ ମଧ୍ୟ ଏହି ପର୍ବପାଳିତ ହୁଏ |ଏଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ପୋଢୁଆଁ ହୁଅନ୍ତି | ଏଥିପାଇଁ ଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବ ମନ୍ଦିରରୁ ଅଷ୍ଟମୀ ଭାର ଆସେ | ଏହି ଭାରରେ ବିରି, ଚାଉଳ, ନଡ଼ିଆ, ଗୁଡ଼, ପାନ, ଗୁଆ, ନୂଆ ବସ୍ତ୍ର, ତୁଳସୀ, ପଦ୍ମଫୁଲ ଏବଂ ବିଭିନ୍ନ ପ୍ରକାର ଫଳ ଆସେ | ଅଷ୍ଟମୀରେ ଏସବୁ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ | ଆଉ ଲିଙ୍ଗରାଜ ମଧ୍ୟ ପୋଢ଼ୁଁଆ ହେବାକୁ ମିତ୍ରେଶ୍ଵର ବରୁଣେଶ୍ଵର ମନ୍ଦିରକୁ ଯାଇଥାନ୍ତି | ଓଡ଼ିଶାରେ ବିଭିନ୍ନ ମନ୍ଦିରରେ ପୂଜିତ ଦେବା ଦେବୀ ମଧ୍ୟ ପୋଢ଼ୁଁଆ ହୋଇଥାନ୍ତି | ଘରର ଜ୍ୟେଷ୍ଠସନ୍ତାନ ଏହି ପର୍ବରେ ପୋଢ଼ୁଁଆ ହେଉ ଥିବାରୁ ଏହା ମଧ୍ୟ ପୋଢ଼ୁଁଆ ଅଷ୍ଟମୀ ନାମରେ ପ୍ରସିଦ୍ଧ ଅଟେ | ଆଉ ମଧ୍ୟ ଏହା ସୌଭାଗିନୀ ଅଷ୍ଟମୀ ନାମରେ ଜଣାଯାଏ, କାରଣ ଏହି ଦିନ କୃଷକ ଜମିରୁ ଅଧିକ ଉତ୍ପାଦନ ତଥା ନିଜ ପରିବାରର ସୌଭାଗ୍ୟ ବୃଦ୍ଧି ପାଇଁ ମା’ସୌଭାଗିନୀଙ୍କୁ (ଲକ୍ଷ୍ମୀଙ୍କୁ )ପୂଜା କରିଥାଏ |ଆଉ ମଧ୍ୟ ଅନେକ ଏହାକୁ ଭୈରବ ଅଷ୍ଟମୀ ବୋଲି ସମ୍ବୋଧନ କରିଥାନ୍ତି, କାରଣ ଭୈରବଙ୍କ ଆଶୀର୍ବାଦରୁ ସମସ୍ତ ଭୟ, ରୋଗ, ଶୋକ ଦୁରେଇଯାଏ ବୋଲି ବିଶ୍ୱାସ ରହିଛି |ଇହୁଦୀ ମାନେ ମଧ୍ୟ ଏ ପର୍ବରେ ଜ୍ୟେଷ୍ଠମାନଙ୍କ ସୁଖ ସମୃଦ୍ଧି ପାଇଁ ଉପବାସ ରଖିଥାନ୍ତି | କେତେକ ପରିବାରରେ ପ୍ରଥମ ସନ୍ତାନ ସହ ଦ୍ଵିତୀୟକୁ ମଧ୍ୟ ବନ୍ଦାପନା କରାଯାଏ, ଯାହାକୁ ‘ଦୁହାଁ ‘ କହନ୍ତି | ‘ଦୁହାଁ’ ‘ପୋଢ଼ୁଁଆ ‘ ପୂଜା ପରମ୍ପରା ଓଡ଼ିଶାରେ ବହୁ ପ୍ରାଚୀନ ପ୍ରଥା |
ତେବେ ଏ ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜ୍ୟେଷ୍ଠକୁ ଘରର ପରବର୍ତ୍ତୀ ମୁରବୀ ଭାବେ ସ୍ୱୀକାର କରାଯାଏ ଓ ସେ ମଧ୍ୟ ପିତାଙ୍କର ଵା ମୁରବୀଙ୍କ ମୃତ୍ୟୁ ପରେ ଘରର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିବାକୁ ଆଗ୍ରହୀ ହୁଏ | ପ୍ରାଥମାଷ୍ଟମୀକୁ ଦାୟିତ୍ୱ ବୋଧର ପର୍ବ କହିଲେ ଅତ୍ୟୁକ୍ତି ହେବନି | ପରିତାପର ବିଷୟ ଯେ ଏ ପର୍ବ ଏବେ କେବଳ ପରମ୍ପରାରେ ରହିଯାଇଛି |ଯେଉଁ ପିତା, ମାତା କଷ୍ଟ ସହି ଜ୍ୟେଷ୍ଠ ପୁଅକୁ ଏତେ ସମ୍ମାନ ଦେଇଥାନ୍ତି, ସେ ବଡପୁଅ ପ୍ରାୟ ପିତା, ମାତାଙ୍କୁ ବାର୍ଦ୍ଧକ୍ୟରେ ଅବହେଳା ପ୍ରଦର୍ଶନ କରିବାର ଦେଖା ଯାଉଛି | ନିଜର ଦାୟିତ୍ୱ ଭୁଲିଯାଇ ସେମାନଙ୍କୁ ଘରୁ ବାହାର କରିଦେବା ଵା ଆବଶ୍ୟକ ସ୍ଥଳେ ଜରା ନିବାସରେ ଶେଷ ଜୀବନରେ ଛାଡିଦେଇ ଆସିବାର ଉଦାହରଣ ଅନେକ | ଏହା ସୁସ୍ଥ ସମାଜର ଲକ୍ଷଣ ନୁହେଁ | ଯେଉଁଠି ସୃଷ୍ଟି ଅବହେଳିତ ହୋଇ ଶେଷ ଜୀବନ ଯନ୍ତ୍ରଣାରେ କାଟିବାକୁ ବାଧ୍ୟ ହୁଅନ୍ତି, ସେତେବେଳେ ଏ ପର୍ବ ତାର ଗୁରୁତ୍ୱ ହରେଇବା ସ୍ୱାଭାବିକ | ସମାଜରେ ଏଭଳି ଅନେକ ଉଦାହରଣ ଦେଖାଯାଉଛି |
ଆଜିର ଏ ପବିତ୍ର ଦିବସରେ ପ୍ରତି ଜ୍ୟେଷ୍ଠ ପୁଅ ବା ଝିଅଙ୍କୁ (‘ଦୁହାଁ’ପୋଢ଼ୁଁଆ )’ନିବେଦନ ସେମାନେ ଏ ପର୍ବର ଗୁରୁତ୍ୱ ବୁଝି ପିତା ମାତାଙ୍କ ସେବା କରନ୍ତୁ | ସେବା ଯତ୍ନ ମାଧ୍ୟମରେ ସେମାନେ ପିତୃ ମାତୃଋଣରୁ ମୁକ୍ତି ପାଇବେ | କେବଳ ପରମ୍ପରାରେ ଏ ପର୍ବ ପାଳନ ନ ହୋଇ ଜ୍ୟେଷ୍ଠର ଜ୍ୟେଷ୍ଠତ୍ବ ପ୍ରତିପାଦନ କରିବାରେ ସହାୟ ହେଉ |ଏହା ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ | ଶ୍ରୀକାନ୍ତ ଦାଶ, ସଭାପତି “ଅବି ‘ଓ ସାଧାରଣ ସମ୍ପାଦକ” ଓଡ଼ିଆ ଜାତୀୟ ସମ୍ମିଳନୀ |