ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା
ସାବିତ୍ରୀ ବ୍ରତ ହିନ୍ଦୁ ସଧବା ମହିଳାଙ୍କ ଏକ ପବିତ୍ର ବ୍ରତ | ଏହା ଜ୍ୟେଷ୍ଠ ଅମାବାସ୍ୟାରେ ଭାରତୀୟ ରାଜ୍ୟ ଓଡିଶା, ବିହାର, ଉତ୍ତର ପ୍ରଦେଶ ଓ ,ପଡୋଶୀ ଦେଶ ନେପାଳରେ ପାଳିତ ହୁଏ | ଲୋକ କଥା ଅନୁସାରେ ମଦ୍ରଦେଶର ରାଜା ଅଶ୍ୱପତିଙ୍କ କନ୍ୟା ସାବିତ୍ରୀ, ଅନ୍ଧ ତଥା ରାଜ୍ୟ ହରେଇଥିଵା ରାଜା ଦ୍ୟୁମତସେନଙ୍କ ପୁତ୍ର ସତ୍ୟବାନଙ୍କୁ ବିବାହ କରିଥିଲେ | ସତ୍ୟବାନ ଅଳ୍ପ ବୟସରେ ଜଙ୍ଗଲରେ ପ୍ରାଣ ତ୍ୟାଗ କଲେ | ସାଥିରେ ସାବିତ୍ରୀ ଥିଲେ | ମାତ୍ର ସେ ଏକାଗ୍ରତାର ସହ ନିଜର ଭକ୍ତିପୂର୍ଣ୍ଣ କଥାରେ ଯମଙ୍କୁ ପ୍ରୀତକରି ନିଜ ପିତାଙ୍କ ଦୃଷ୍ଟି ଶକ୍ତି, ଓ ରାଜ୍ୟ ଉଦ୍ଧାର କରିଥିଲେ | ନିଜ ପିତାମାତାଙ୍କୁ ଶତ ପୁତ୍ର ପ୍ରଦାନ କରେଇଥିଲେ ଓ ନିଜେ ଶତ ପୁତ୍ରର ଜନନୀ ହେବାର ବର ପ୍ରାପ୍ତ କରି ଯମରାଜଙ୍କୁ ଭ୍ରମିତ କରିଥିଲେ | ଶେଷରେ ଯମ ସତ୍ୟବାନଙ୍କୁ ଜୀବନ୍ୟାସ ଦେଇଥିଲେ | ସେଥିପାଇଁ ସ୍ୱାମୀମାନଙ୍କ ମଙ୍ଗଳ କାମନା କରି ସଧବା ନାରୀମାନେ ଏ ବ୍ରତ ପାଳନ କରନ୍ତି |
ଅଧିକାଂଶ ନାରୀ ନୂଆ ଶାଢ଼ୀ, ଚୁଡି, ଶଙ୍ଖା ତଥା ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ ବ୍ୟବହାର କରି ସଜେଇ ହୋଇ ଫଳ ମୂଳ ଖାଇ ଦେବ ଦର୍ଶନ କରିଦେଲେ ଏ ବ୍ରତପାଳନ ହୋଇଗଲା ବୋଲି ଆତ୍ମ ତୃପ୍ତି ଅନୁଭବ କରନ୍ତି | ସାବିତ୍ରୀଙ୍କ ଜୀବନକୁ ଅନୁସରଣ କରୁଥିଲେ ହୁଏତ ଆଜିକାଲି ସମାଜରେ, ଘରେ ଅଶାନ୍ତ ପରିସ୍ଥିତି ଦେଖା ଯାଉ ନଥାନ୍ତା | ସାବିତ୍ରୀ ଥିଲେ ସ୍ନେହ, ପ୍ରେମ, ଭକ୍ତି, ଧୈର୍ଯ୍ୟ ର ପ୍ରତୀକ | ଯୁବତୀ ଅବସ୍ଥାରେ ବଣରେ ସତ୍ୟବାନଙ୍କୁ ଦେଖି ତାଙ୍କୁ ଭଲ ପାଇଲେ ଓ ପିତାଙ୍କୁ ତାଙ୍କୁ ବିବାହ କରିବାକୁ ଜଣେଇଲେ | ପିତା ଋଷି ମାନଙ୍କ ସହ ପରାମର୍ଶ କରି ଜାଣିଲେ ଯେ ସତ୍ୟବାନଙ୍କ ଆୟୁଷ କମ ଓ ଠିକ ବର୍ଷକ ପରେ ତାଙ୍କ ମୃତ୍ୟୁ ସୁନିଶ୍ଚିତ | ପିତା ମାତା ସାବିତ୍ରୀଙ୍କୁ ଅନ୍ୟ ପାତ୍ର ସନ୍ଧାନ କରିବାକୁ କହିଲେ, ମାତ୍ର ସେ ମନାକରି ସତ୍ୟବାନଙ୍କୁ ବିବାହ କରିବାକୁ ଇଚ୍ଛା କଲେ | ସେ ବିବାହ କରି ବଣରେ ଶାଶୁ ଶ୍ୱଶୁର ଓ ସ୍ୱାମୀଙ୍କ ସହ ରହିଲେ ଓ ଦିନ ଗଣି ସତ୍ୟବାନଙ୍କ ମୃତ୍ୟୁ କିପରି ନ ହେବ ସେଥିପାଇଁ ଅନ୍ତର ମଧ୍ୟରେ ପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ | ଶେଷରେ ସେ ଦିନ ଆସିଲା ଓ ସେ ନିଜର ନିଷ୍ଠା, ଅଚଳା ଭକ୍ତି, ତତ୍ତ୍ୱପୂର୍ଣ୍ଣ ଯୁକ୍ତିରେ ଯମରାଜାଙ୍କୁ ପ୍ରୀତ କରି ସତ୍ୟବାନଙ୍କ ଜୀବନ ଫେରେଇ ଆଣିବାରେ ସଫଳ ହେଲେ | ଶ୍ୱଶୁର ଘର ଓ ନିଜ ପିତା ମାତାଙ୍କ ପାଇଁ ସୁଖଦ ଖବର ଆଣିଲେ | ଉଭୟ ପରିବାରରେ ଖୁସି ଭରିଗଲା | ସାବିତ୍ରୀଙ୍କ ନିଷ୍ଠା ପାଇଁ ଦୁଇ କୁଳର ମଙ୍ଗଳ ହେଲା | ସେଥିପାଇଁ କୁହାଯାଏ “ଦୁହିତା, ଦୁଇ କୂଳକୁ ହିତା ” | ଆଜିର ସମାଜରେ ଗୋଟିଏ ଶୃଙ୍ଖଳିତ ଘର ପାଇବା ସ୍ୱପ୍ନ |
“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ” |
ଘରକୁ ବୈକୁଣ୍ଠ କରିବା ଦାୟିତ୍ୱ ଗୃହିଣୀଙ୍କ ଉପରେ | ପୁରୁଷ ତାକୁ ସହଯୋଗ ଦେଇ ତା କାର୍ଯ୍ୟକୁ ସଫଳ କରିଥାଏ |ଏ ସବୁ ଏବେ ବିରଳ | ଆଜିର ସାବିତ୍ରୀ ସତ୍ୟବାନମାନଙ୍କୁ ନିବେଦନ ସେମାନେ ସାବିତ୍ରୀ, ସତ୍ୟବାନଙ୍କ ଚରିତ୍ରରୁ ଶିକ୍ଷା ଲାଭ କରନ୍ତୁ | ପିତା ମାତାଙ୍କୁ ଜରାଶ୍ରମରେ ନ ରଖି ନିଜେ ସେମାନଙ୍କୁ ଦେଖାରଖା କରନ୍ତୁ | ଟିକେ ନିଜ ପିଲାଦିନକୁ ମନେ ପକାନ୍ତୁ | ପିତା ମାତା ଅନ୍ୟ ଗୁରୁଜନମାନେ ସେମାନଙ୍କ ଯତ୍ନ କେମିତି ନେଉଥିଲେ | ଖାଲି କଥାରେ “ବାଳ ବୃଦ୍ଧ ସମାନ “ନ କହି କାର୍ଯ୍ୟରେ କରନ୍ତୁ | ଆଉ ସମସ୍ତେ ଦୁଇ ସନ୍ତାନ ନୀତି ଗ୍ରହଣ କରନ୍ତୁ |ନଚେତ ସମାଜରେ ଅନେକ ସମ୍ପର୍କ ଯେମିତି ଦାଦା, ଖୁଡି, ମାମୁଁ, ମାଇଁ, ବଡ଼ ବାପା ଓ ମା’, ମଉସା, ମାଉସୀ ଇତ୍ୟାଦି ଲୋପ ପାଇଯିବ |ଆଉ ଗୋଟିଏ ପିଲା ସ୍ନେହ ପାଇ ବିପଥ ଗାମୀ ହେବା ସମ୍ଭାବନା ଅଧିକ | ସେ କାହା ସହ ନିଜ ଭାବ ଆଦାନ ପ୍ରଦାନ କରିପାରିବନି | ସାମାନ୍ୟ ଅସୁବିଧାରେ ମନ ଭାଙ୍ଗି ଵିମର୍ଷ ଭାବର ଶିକାର ହେବ ଓ ଆତ୍ମହତ୍ୟା ପ୍ରବଣତା ତା ଭିତରେ ସୃଷ୍ଟି ହେବ | ନାରୀ ମାନେ ଜାଣିବା ଦରକାର ଯେ ସେମାନେ କେତେ ଶକ୍ତିର ଅଧିକାରିଣୀ | ସେମାନେ ସବୁ କିଛିର ସୁପରିବର୍ତ୍ତନ କରିପାରିବେ | ଚିନ୍ତାମଣି ବିଲ୍ଵ ମଙ୍ଗଳଙ୍କୁ କୁପଥରୁ ଆଣି ବିଶ୍ୱ ଚିନ୍ତାମଣିଙ୍କ ଦର୍ଶନ କରେଇ ପାରିଥିଲେ | ଲକ୍ଷ୍ୟହୀରା କିପରି ବିଷ୍ଣୁଦାସଙ୍କୁ ବେଶ୍ୟା ଶକ୍ତ ହେବାରୁ ନିବୃତ କରି ସତୀ ଅନସୂୟାଙ୍କ ମନରେ ଶାନ୍ତି ଭରିଥିଲେ ତାହା ଆମେ ଜାଣିଛେ | ସତୀ ଅନସୂୟା ସ୍ୱାମୀଙ୍କୁ ରାତିରେ ନେଇ ଯାଉଥିବା ବେଳେ ଶୁଳି ଦଣ୍ଡ ଭୋଗୁଥିବା ମାଣ୍ଡବ୍ୟ ଋଷିଙ୍କୁ ଝୁଣ୍ଟି ତାଙ୍କ ଠାରୁ ଅଭିଶାପ ପାଇଥିଲେ “ରାତି ପାହିଲେ ତୁ ବିଧବା ହେବୁ “ସତୀ ଏଥିରେ ବିଚଳିତ ନ ହୋଇ ରାତି ପାହିବନି ବୋଲି କହିଥିଲେ, ଯାହା ସତ ହେଲା | ଏସବୁ ରାମାୟଣର କଥା | ତାକୁ ପଢନ୍ତୁ ଓ ନିଜ ଶକ୍ତି, ସାମର୍ଥ୍ୟକୁ ଜାଣନ୍ତୁ |.ଆଧୁନିକ ଯୁଗର ଅନେକ ନାରୀ ସାହିତ୍ୟ, ସମାଜସେବା, ବିଜ୍ଞାନ, କ୍ରୀଡା, ଆଇନ ସେବା,ଓ ଅନ୍ୟ ଅନେକ କ୍ଷେତ୍ରରେ ସୁ ପ୍ରତିଷ୍ଠିତା |
ଦୁଃଖ ଲାଗେ ଆଧୁନିକତାର ଦ୍ୱାହି ଦେଇ ଅନେକ ଶଙ୍ଖା ସିନ୍ଦୁର ପିନ୍ଧୁନାହାନ୍ତି | ଆଜି ନାରୀଟିଏ ପାଠୁଆ ପତ୍ନୀ ହେଉଛି , ମାତ୍ର ମା’, ସେବିକା, ସ୍ନେହମୟୀ ଜନନୀ, ଧୈର୍ଯ୍ୟଶିଳା ଗୃହିଣୀ ହୋଇ ପାରୁନି | ଏ ସବୁ ତାଙ୍କୁ ବୋଝ ମନେ ହେଉଛି | ମୁଖବାଦ୍ୟ ଵା ହୁଳହୁଳି ସ୍ବପ୍ନ ହେଲାଣି | ଏ ସବୁ ଭୂଷଣକୁ ନାରୀମାନେ ଆପଣାର କରନ୍ତୁ, ସମାଜ ଓ ଘର ସଜାଡି ହୋଇଯିବ | ସାବିତ୍ରୀ ବ୍ରତ ପାଳନର ଉଦ୍ଦେଶ୍ୟ ପୂରଣ ହେବ
ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ , ଓଡ଼ିଆ ଜାତୀୟ ସମ୍ମିଳନୀ