ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ୱାର୍ଲଡ ଓଡ଼ିଶା ସୋସାଇଟି ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଅକାଳ ବିୟୋଗରେ ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏକ ଶୋକବାର୍ତ୍ତାରେ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଓଡ଼ିଶା ଜଣେ ଦୂରଦୃଷ୍ଟି ସମ୍ପନ୍ନ, କାମିକା ଏବଂ କୁଶଳୀ ନେତାଙ୍କୁ ହରାଇଲା ବୋଲି ସୂଚାଇଛନ୍ତି । ତାଙ୍କର ପରଲୋକରେ ରାଜ୍ୟର ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଦଳମତ ନିର୍ବିଶେଷରେ ସାଧାରଣ ଲୋକଙ୍କର ସେବା କରୁଥିବା ଭଳି ଜଣେ ରାଷ୍ଟ୍ରନୀତିଜ୍ଞଙ୍କର ଅର୍ନ୍ତଧ୍ୟାନ ଘଟିଲା ବୋଲି ଶ୍ରୀ ଦ୍ୱିବେଦୀ ଦର୍ଶାଇଛନ୍ତି । ବିଶେଷ କରି କରୋନା ମହାମାରୀ କାଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଶ୍ରୀ ଦାସ ଯେଭଳି ଭାବରେ ଅତ୍ୟନ୍ତ ସକ୍ରୀୟ ରହି ଓଡ଼ିଶାର କୋଭିଡ୍‍ ପରିଚାଳନାକୁ ତଦାରଖ କରୁଥିଲେ ଏବଂ ବିଦେଶରୁ ଅମ୍ଳଜାନ ମଗାଇବା ଠାରୁ ଆରମ୍ଭ କରି ଅତ୍ୟାଧୁନିକ ସ୍ୱାସ୍ଥ୍ୟଗତ ସୁବିଧା ସୁଯୋଗ ଉପଲବ୍ଧ କରାଇ ମୃତ୍ୟୁ ହାରକୁ କାବୁରେ ରଖି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗର୍ବ, ଗୌରବ ଏବଂ ପ୍ରଶଂସାର ବାହକ ହୋଇଥିଲେ, ତାହା ଅତୁଳନୀୟ ଥିଲା ବୋଲି ୱାଓସୋ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇ କୁହାଯାଇଛି । ବ୍ୟକ୍ତିଗତ ଭାବରେ ଶ୍ରୀ ଦାସ, ତାଙ୍କର କନିଷ୍ଠ ଭାଇ ସଦୃଶ ପାରିବାରିକ ହିତାକାଂକ୍ଷୀ ଥିଲେ ବୋଲି ଉଲ୍ଲେଖ କରି ଶ୍ରୀ ଦ୍ୱିବେଦୀ, ତାଙ୍କର ସ୍ମୃତି ଓ ସାନ୍ନିଧ୍ୟ ଚିର ସ୍ମରଣୀୟ ରହିବ ବୋଲି କହିଛନ୍ତି । ଘୋର କୋଭିଡ କାଳରେ ବହୁ ବ୍ୟସ୍ତତା ସତ୍ତ୍ୱେ ଶ୍ରୀ ଦାସ ଯେଭଳି ଶୀ ଦ୍ୱିବେଦୀଙ୍କର ଭୁବନେଶ୍ୱରସ୍ଥିତ ବାସଭବନକୁ ଆସି ରାଜ୍ୟର ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ବିଷୟରେ ତାଙ୍କ ସହିତ ଦୀର୍ଘ ୩ ଘଣ୍ଟା କାଳ ଆଲୋଚନା କରିଥିଲେ ସେହି ଆତ୍ମୀୟତା ଓ ଅନ୍ତରଙ୍ଗ ମୁହୂର୍ତ୍ତକୁ କେବେ ଭୁଲି ପାରିବେ ନାହିଁ ବୋଲି ଶ୍ରୀ ଦ୍ୱିବେଦୀ ପ୍ରକାଶ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀ ଦାସଙ୍କର ଅମର ଆତ୍ମାକୁ ଚିର ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କର ପତ୍ନୀ, ଝିଅ, ପୁଅ ଏବଂ ଅନ୍ୟାନ୍ୟ ପରିବାରବର୍ଗଙ୍କୁ ଏହି ଅକସ୍ମାତ ଦାରୁଣ ଦୁଃଖକୁ ବରଦାସ୍ତ କରିବାକୁ ଅସୀମ ଧର୍ଯ୍ୟ ତଥା ଅଜସ୍ର ଶକ୍ତି ଯୋଗାଇ ଦେବାକୁ ଶ୍ରୀ ଦ୍ୱିବେଦୀ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *