ପ୍ରାଚୀତଟ ବିଶ୍ବାମିତ୍ର ମଠରୁ ଆଜି ମହାପ୍ରଭୁଙ୍କ ପାଇଁ ଆସିଲା ଅଣସର ଫଳ ଭାର

ଚାରିଛକ: ପ୍ରାଚୀତଟ ବିଶ୍ବାମିତ୍ର ମଠରୁ ଆଜି ଶ୍ରୀକ୍ଷେତ୍ରକୁ ଫଳଭାର ପଠାଯାଇଛି । ସ୍ନାନପୂର୍ଣ୍ଣିମା ପରଠାରୁ ଶ୍ରୀଜିଉମାନେ ଜ୍ବରରେ ପୀଡ଼ିତ ହୋଇ ଶ୍ରୀମନ୍ଦିର ଅଣସର ପିଣ୍ତିରେ ଉପଚାରରେ ଅଛନ୍ତି । ଖବର ପାଇ ମହାପ୍ରଭୁଙ୍କ ଜ୍ବର ଉପଚାର ପାଇଁ ପ୍ରାଚୀତଟ ବିଶ୍ବାମିତ୍ର ମଠରୁ ଭକ୍ତମାନେ ସ୍ବାଦିଷ୍ଟ ଫଳ ଭାର ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଶ୍ରୀକ୍ଷେତ୍ର ହାତୀଆଖଡ଼ା ମଠ ବିଶ୍ବାମିତ୍ର ମଠର ମୂଳମଠ ହୋଇଥିବାରୁ ଭକ୍ତମାନେ ମଠ ମହନ୍ତ ଶ୍ରୀ ସୁଖରାମ ଦାସ ମହାରାଜଙ୍କୁ ସାଥିରେ ନେଇ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ। ବିଶ୍ବାମିତ୍ର ମଠ ପରିଚାଳକ ଜଟାବାବା ମଧ୍ୟ ଅଣସର ଫଳସମ୍ଭାର ଭାରୁଆ ଓ ସଂର୍କୀତନମଣ୍ତଳୀଙ୍କୁ ପରିଚାଳନା କରୁଛନ୍ତି।

ଶ୍ରୀମନ୍ଦିର ନୃସିଂହ ଛକଘରେ ସମସ୍ତ ଅମୁଣିଆ ଫଳଭାର ବିଧି ବିଧାନ ସହ ଦାଖଲ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ପଟ୍ଟଦିଅଁଙ୍କୁ ଦର୍ଶନ ସାରି ଭକ୍ତମାନେ ଫେରିଆସିବେ। ଅଖଣ୍ତ କଳିଙ୍ଗର ମହାରାଜା ଯଯାତି କେଶରୀ ଆଦିଶଙ୍କରଙ୍କ ମାର୍ଗଦର୍ଶନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରଥମ ନବକଳେବର କରାଇ ଶ୍ରୀମନ୍ଦିରର ସମସ୍ତ ପର୍ବ ପର୍ବାଣି, ଯାନିଯାତ୍ରା, ପୂଜାବିଧି ପୁନଃ ପ୍ରଚଳନ କରିଥିଲେ। ସେ ମଧ୍ୟ ପ୍ରାଚୀତଟର ମଠ, ମନ୍ଦିର, ଦେବସ୍ଥଳୀର ବିକାଶ ଘଟାଇ ଶ୍ରୀମନ୍ଦିର ସହ ଯୋଡ଼ିଥିଲେ। ବାରମ୍ବାର ବିଧର୍ମୀଙ୍କ ଦ୍ବାରା ଶ୍ରୀମନ୍ଦିର ଆକ୍ରମଣ ହେବାରୁ ଅନେକ ଦୁର୍ଲ୍ଲଭ ସେବା ବନ୍ଦ ହୋଇଯାଇଥିଲା। ୧୯୯୨ ମସିହାରୁ ବରିଷ୍ଠ ପ୍ରାଚୀ ସଂସ୍କୃତି ଗବେଷକ ପଣ୍ତିତ ତ୍ରିଲୋଚନ ମିଶ୍ର ପ୍ରାଚୀତଟବାସୀଙ୍କ ସହଯୋଗ ନେଇ ଏହି ସବୁ ସେବାକୁ ପୁନଃ ପ୍ରଚଳନ କରାଇଛନ୍ତି । ଏପରିକି ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରଥମାଷ୍ଟମୀ ଭାର ମଧ୍ୟ ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଯିବା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *