ୱାର୍ଲଡ୍ ଓଡ଼ିଶା ସୋସାଇଟି ତରଫରୁ ସୁରଞ୍ଜିତା ରଣାଙ୍କୁ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ : ମୁମ୍ବାଇଠାରେ ନିକଟରେ ଅନୁଷ୍ଠିତ ଶ୍ରୀମତୀ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ଜିତି ଥିବା ଶ୍ରୀମତୀ ସୁରଞ୍ଜିତା ରଣାଙ୍କୁ ୱାର୍ଲଡ୍ ଓଡ଼ିଶା ସୋସାଇଟି ତରଫରୁ ଉତ୍ସ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ପ୍ରେସ କ୍ଲବ ଅଫ ଇଣ୍ଡିଆଠାରେ ଏହି ଉପଲକ୍ଷେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଶ୍ରୀମତୀ ରଣାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ପ୍ରଶସ୍ତି ଫଳକ ପ୍ରଦାନ କରି ବଧାଇ ଜଣାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୁମ୍ବାଇଠାରେ ଭେଲେନୋ ତରଫରୁ ତୁଷାର ଧଳିୱାଲଙ୍କ ଦ୍ଵାରା ଆୟୋଜିତ ବିଶ୍ବସ୍ତରୀୟ ଶ୍ରୀମତୀ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଶ୍ରୀମତୀ ରଣା, ”ମିସେସ କ୍ୱିନ ଅଫ ଏସିଆ ୟୁନିଭର୍ସ ୨୦୨୩-୨୪” ଏବଂ “ଫେସ୍ ଅଫ ଇଅର୍ ୨୦୨୩-୨୪ ଓଡ଼ିଶା” ଆଦି ଦୁଇଟି ସମ୍ମାନାସ୍ପଦ ପୁରସ୍କାର ଶ୍ରେଣୀରେ ବିଜୟୀ ଘୋଷିତ ହୋଇଛନ୍ତି। ବାଲେଶ୍ଵର ନିବାସୀ ଶ୍ରୀମତୀ ରଣା ଏବେ ନୋଏଡା ଠାରେ ଜଣେ ବ୍ୟାଙ୍କ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଏହା ପୂର୍ବରୁ ସୁରଞ୍ଜିତା ୨୦୧୯ ମସିହାରେ “ମିସେସ ଇଣ୍ଡିଆ ଇଣ୍ଟରନ୍ୟାସନାଲ” ଏବଂ ୨୦୨୧ ମସିହାରେ “ମିସେସ ମୁମ୍ବାଇ ଗ୍ଲୋବାଲ ଇଣ୍ଡିଆ ଡିଭାଇନ୍” ସମ୍ମାନ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବାହକ ହୋଇଥିଲେ। ସଭାରେ ଅଧ୍ୟକ୍ଷତା କରି ୱାଓସୋର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଶ୍ରୀମତୀ ରଣାଙ୍କୁ ସ୍ବାଗତ ଜଣାଇବା ସହିତ ଆନ୍ତର୍ଜାତିକ ସ୍ତରରେ ନିଜର ପ୍ରତିଭା ଓ ପାରଦର୍ଶିତା ପ୍ରଦର୍ଶନ କରି ସେ ଯେଉଁ ପ୍ରସିଦ୍ଧି ହାସଲ କରିଛନ୍ତି, ତାହା ସାମ୍ପ୍ରତିକ ପିଢ଼ିର ମହିଳାମାନଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ କରିଥିଲେ।

ସମ୍ବର୍ଦ୍ଧନାର ଉତ୍ତର ଦେଇ ଶ୍ରୀମତୀ ରଣା ୱାର୍ଲଡ୍ ଓଡ଼ିଶା ସୋସାଇଟିକୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ଭବିଷ୍ୟତରେ ଆନ୍ତର୍ଜାତିକ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ଓଡ଼ିଶା ଓ ଭାରତବର୍ଷର ଟେକ ରଖିବା ନେଇ ସେ ସମସ୍ତଙ୍କର ସାହାଯ୍ୟ, ସହଯୋଗ ଓ ସଦିଚ୍ଛା କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବନୀ ସାହୁ, ସୁଧୀର ଦାଶ, ବିନାୟକ ଦାସ,ପୁଷ୍ପାଞ୍ଜଳି ବାରିକ ଆଦି ୱାର୍ଲଡ୍ ଓଡ଼ିଶା ସୋସାଇଟିର ବରିଷ୍ଠ କର୍ମକର୍ତ୍ତାମାନେ ଏହି ଅବସରରେ ଶ୍ରୀମତୀ ରଣାଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଥିଲେ। ଉପସ୍ଥିତ ମାନଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଏସ.କେ.ଅଗ୍ରୱାଲ, ନରେନ୍ଦ୍ର କୁମାର ବର, ଦେବାଶିଷ ଶତପଥୀ, ଧରମପାଲ ଭରଦ୍ୱାଜ, ଦିନେଶ କୁମାର, ଏମ.ଏସ.ଜମାନ,ବିଭୁପ୍ରସାଦ ସାହୁ,ଏସ ଏସ ଡୋଗ୍ରା,ଭି.ପି.ଶର୍ମା, ଡ଼ଃ.ଜ୍ୟୋତି ନନ୍ଦ, ଉତ୍ତମ କୁମାର ଦେଓ,ସୁଶାନ୍ତ ପଣ୍ଡା, ଆଦିତ୍ୟ ରାଜ ଦାଶ ଓ ଅପୁର୍ବ ଶ୍ରୀବାସ୍ତବ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।ସଭା ଆୟୋଜନ କରିବାରେ ୱାଓସୋର ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀକ୍ଷେତ୍ର ଶାଖାର ସଭାପତି ବିମଳ ଭଲ ଓ ସାଧାରଣ ସମ୍ପାଦକ ଜ୍ଞାନ ପ୍ରକାଶ ଜେନା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୱାଓସୋର ମହିଳା ଶାଖାର ଉପସଭାପତି ରୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *