ଅଟିଜିମରେ ପୀଡ଼ିତ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସବୁ ସ୍ତରରେ ପ୍ରୟାସ ହେବା ଆବଶ୍ୟକ
ଭୁବନେଶ୍ୱର : ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ବର ଏକାମ୍ର କ୍ଷେତ୍ର ଓ କ୍ୟାପିଟାଲ ବାଳିକା ହାଇସ୍କୁଲ ୟୁନିଟ୍-୨, ୧୯୮୮ ବ୍ୟାଚ୍ ର ମିଳିତ ସହଯୋଗରେ ଏକ ଅଟିଷ୍ଟିକ୍ ଥେରାପି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ସ୍ଥାନୀୟ ଆଇ ଆର ସି ଭିଲେଜ ସ୍ଥିତ ବରିଷ୍ଠ ନାଗରିକ ସଂଘ ଡେ କେୟାର ସେଣ୍ଟର ଠାରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକାମ୍ର ଭୁବନେଶ୍ବରର ମାନ୍ୟବର ବିଧାୟକ ବାବୁ ସିଂ କହିଥିଲେ କି, ଅଟିଜିମରେ ପୀଡ଼ିତ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ କରିବା ଆବଶ୍ୟକ
ଅଟିଜିମ୍ ବା ମାନସିକ ସମସ୍ୟା କେବଳ ଭାରତରେ ନୁହେଁ ବରଂ ବିଶ୍ବସ୍ତରରେ ମଧ୍ୟ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି । କିନ୍ତୁ ଅଟିଜିମ ହେଉଛି ଏକ ସମସ୍ୟା, ଯାହାର କୌଣସି ଚିକିତ୍ସା ନଥାଏ । ଏପରି ପରିସ୍ଥିତିରେ, ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର ମନୋଭାବ ଦେଖାଯାଏ । ଯାହାକି ଅନେକ ନକରାତ୍ମକ ପ୍ରଭାବ ପକାଇଥାଏ । ଏହା ସାଧାରଣତଃ ଶୈଶବରେ ଦେଖାଯାଇଥାଏ । ଶିଶୁମାନଙ୍କ ଭାଷାର ବିକାଶରେ ଅସୁବିଧା ହୋଇଥାଏ । ଏମିତି ସବୁ ଥେରାପୀ କାର୍ଯ୍ୟକ୍ରମ ଦ୍ବାରା ଏହି ସମସ୍ୟାକୁ ଅନେକାଂଶରେ ଦୂର କରାଯାଇପାରିବ ବୋଲି କହିବା ସହ ଅନୁଷ୍ଠାନକୁ ଏନେଇ ଯଥା ସମ୍ଭବ ସହଯୋଗ ରଖିବେ ବୋଲି କହିଥିଲେ ।
ଓଡ଼ିଶା ସରକାରଙ୍କ ଡେପୁଟି ସେକ୍ରେଟାରୀ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ସନ୍ୟାସୀ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ କି ସାଧାରଣ ଜନତା ଅଟିଜିମ୍ ବିଷୟରେ ବୁଝିବା, ଲୋକଙ୍କୁ ଏହି ଅବସ୍ଥାର ଚିକିତ୍ସା ତଥା ପରିଚାଳନା ବିଷୟରେ ସଚେତନ କରାଇବା ଏବଂ ଏହି ଦିଗରେ ପ୍ରୟାସରେ ଉନ୍ନତି ଆଣିବା ପାଇଁ ବ୍ୟକ୍ତିଗତ ସ୍ତରର ସଂଗଠନ ତଥା ଲୋକଙ୍କୁ ନିବେଦନ କରିବା ପାଇଁ ଏହା ଏକ ପ୍ରକାର ସୁଯୋଗ ଅଟେ ।
ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ରୋଟାରୀଆନ ଯାଜ୍ଞଶିଷ ମହାପାତ୍ର କହିଥିଲେ କି, ବିଶ୍ବରେ ଅଟିଜିମ ରୋଗ ଦ୍ବାରା ପୀଡିତଙ୍କ ଉପରେ ସଚେତନତା ସୃଷ୍ଟି ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତର ସାମିଲ କରିବା ନେଇ ବହୁ ସାମାଜିକ ଅନୁଷ୍ଠାନ କାମ କରୁଛନ୍ତି । ଅଟିଜମରେ ପୀଡିତ ଶିଶୁ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ କିଭଳି ସାଧାରଣ ଲୋକଙ୍କ ଭଳି ଜୀବନ ବିତାଇପାରିବ ସେ ନେଇ ମଧ୍ୟ କାମ ଚାଲିଛି |
ଏହି ସେଣ୍ଟରରେ ଅଟିଜିମରେ ପୀଡ଼ିତ ପିଲାଙ୍କୁ ସ୍ପିଚ ଥେରାପି, ବିହେଭିଅର ଥେରାପି, ସ୍ପର୍ଶ ଥେରାପି, ଫିଜିଓ ଥେରାପି ଭଳି ଚିକିତ୍ସା ମାନ ଦିଆଯିବ |
ପ୍ରଥମ ପର୍ଯ୍ୟାୟରେ 10 ଜଣ ପିଲାଙ୍କର ଦାୟିତ୍ୱ ନିଆଯାଇଛି, ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯିବାକୁ ପ୍ରୟାସ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଥିଲା ।
ସମସ୍ତ ଖର୍ଚ୍ଚ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ବର ଏକାମ୍ର କ୍ଷେତ୍ର ଓ କ୍ୟାପିଟାଲ ବାଳିକା ହାଇସ୍କୁଲ ୟୁନିଟ୍-୨, ୧୯୮୮ ବ୍ୟାଚର କର୍ମକର୍ତ୍ତା ମାନଙ୍କ ଦ୍ୱାରା ବହନ କରାଯିବ ।
ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ବର ଏକାମ୍ର କ୍ଷେତ୍ରର ସଭାପତି ରୋଟାରୀଆନ ମଧୁଛନ୍ଦା ବଳ, ରୋଟାରୀଆନ ଡ.ରେଖା ଦାସ, ରୋଟାରୀଆନ ତପସ୍ୱିନୀ ପଣ୍ଡା , ରାଜଲକ୍ଷ୍ମୀ ମହାପାତ୍ର, ଅଶୋକ ବଳ, ଗୋକୁଳ କୁମାର ଜେନା,
ଏବଂ କ୍ୟାପିଟାଲ ୟୁନିଟ୍-୨ ବାଳିକା ବିଦ୍ୟାଳୟର ଆଲୁମିନ ସଦସ୍ୟ ପ୍ରଣତି ସେନାପତି, ପ୍ରଣତୀ ମିଶ୍ର, ଉର୍ମିଳା ମହାପାତ୍ର, ଅର୍ପିତା ଅପରାଜିତା, ସସ୍ମିତା ପୃଷ୍ଟି ଉପସ୍ଥିତ ଥାଇ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |