ରୋଟାରୀ ଅନ୍ତର୍ଜାତୀୟ ଜିଲ୍ଲା ୩୨୬୨ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ ଶୀର୍ଷକ ଆଲୋଚନାଚକ୍ର
ଭୁବନେଶ୍ୱର : ରୋଟାରୀ ଅନ୍ତର୍ଜାତୀୟ ଜିଲ୍ଲା ୩୨୬୨ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ ଶୀର୍ଷକ ଆଲୋଚନାଚକ୍ର ମଞ୍ଚେଶ୍ବର ସ୍ଥିତ ରୟାଲ୍ କଲେଜ ଅଫ୍ ସାଇଇନ୍ସ ଏଣ୍ଡ ଟେକ୍ନୋଲୋଜିଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲାପାଳ ରୋଟାରିଆନ ନିରଞ୍ଜନ ସାହୁ ଯୋଗଦେଇ ତାଙ୍କର ଚାକିରୀ କାଳର ବିଭିନ୍ନ ଅଭିଜ୍ଞତା ବର୍ଣନା କରିବା ସହିତ ମହିଳା ଏବଂ ଶିଶୁମାନଙ୍କ ନିମନ୍ତେ ଥିବା ବିଭିନ୍ନ ବିଧି ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ଦେଇଥିଲେ। ଅନ୍ୟତମ ଅତିଥି, ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ମୋହନ ମହାନ୍ତି କହିଥିଲେ ଯେ, ଝିଅ ପୁଅ ସମସ୍ତଙ୍କୁ ଆମ ସଂସ୍କୃତି ଏବଂ ପରମ୍ପରା ସହିତ ପରିଚିତ କରାଇ ଭଲ ମଣିଷ ଭାବରେ ଗଢ଼ିବା ଦାୟୀତ୍ବ ଆମ ସମସ୍ତଙ୍କର। ଜିଲ୍ଲା ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ରୋଟାରି ଜିଲ୍ଲାରେ ଅନୁଷ୍ଠିତ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସଭାରେ ମହିଳା ସଶକ୍ତିକରଣ ଅଧ୍ୟକ୍ଷ ପ୍ର. ଜୟନ୍ତୀ ଜଗଦେବ ସଭାପତିତ୍ଵ କରିଥିଲେ। ରୋଟାରୀ ପ୍ରଥମ ମହିଳା ଇତୁନ୍ ମହାପାତ୍ର ଓ ନିହାରୀକା ମିଶ୍ର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।
ପରବର୍ତୀ ଅଧିବେସନରେ ଡ. ପ୍ରଣବ ମହାପାତ୍ର, ଡ. ଦେବଦତ୍ତା ମହାପାତ୍ର ଓ ଅନୁରାଧା ମହାପାତ୍ର ସମାଜରେ ନାରୀମାନଙ୍କର ମାନସିକ ଏବଂ ଶାରୀରିକ ବିକାଶ ଏବଂ ସେମାନଙ୍କର ମନସ୍ତତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅଧିବେଶନକୁ ଡ. ଆରତି ବିଶ୍ୱାଳ ପରିଚାଳନା କରିଥିଲେ। ପରବର୍ତୀ ଅଧିବେଶନରେ ସରକାରଙ୍କଦ୍ୱାରା ମହିଳାମାନଙ୍କ ବୃତ୍ତିମୂଳକ ଓ କୌଶଳ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନ୍ୟତମ ଅତିଥି ଇଂ ଜିତାମିତ୍ର ଶତପଥି ସୂଚନା ଦେଇଥିଲେ।ଇଚ୍ଛୁକ ମହିଳାମାନଙ୍କୁ ରୋଟାରିଆନ୍ ସୁଚିତ୍ରା ପ୍ରସାଦ ନିଃଶୁଳ୍କ ବିୟୁଟିସିଆନ ଟ୍ରେନିଂଦେବା ପାଇଁ କହିଥିଲେ। ଏଥିରେ ଡ. ରେଖା ଦାସ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଲବର ସଭ୍ଯ, ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ଶେଷରେ ରୋଟାରିଆନ ଡ. ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।