ସାହିତ୍ୟ ହେଉଛି ସାଧାରଣ ମଣିଷର କଥା : ଚିରଶ୍ରୀ ଇନ୍ଦ୍ରସିଂ
ମାଆଙ୍କର ସାହିତ୍ୟ ଲେଖା ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା କିଛି ଲେଖିବା ପାଇଁ । ଘରେ ବାଜୁଥିବା ରେଡ଼ିଓ ତାଙ୍କ ପାଇଁ ମନୋରଞ୍ଜନର ମୁଖ୍ୟ ସାଧନ ଥିଲା । ଯେଉଁଥିରୁ ସେ ଅନୁପ୍ରାଣୀତା ହେଉଥିଲେ କିଛି ଲେଖିବା ପାଇଁ । ପ୍ରତେକଟି ଉପାଦାନ ଯେଉଁଥିରୁ ସେ ଅନୁପ୍ରାଣିତ ହେଉଥିଲେ, ସେଥିରେ ସେ ଶବ୍ଦ ସଂଯୋଜନା କରି ଲେଖନୀ ଚାଳନା କରୁଥିଲେ | ସେହି ବିଶିଷ୍ଟ ସାହିତ୍ୟିକା ହେଉଛନ୍ତି ଚିରଶ୍ରୀ ଇନ୍ଦ୍ରସିଂ । ବର୍ତ୍ତମାନ ଶ୍ରୀମତୀ ଚିରଶ୍ରୀ ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ପ୍ରାଧ୍ୟାପିକା ଅଛନ୍ତି । ଚିରଶ୍ରୀଙ୍କ ଜନ୍ମ ଏକ ଶିକ୍ଷିତ ପରିବାରରେ ନୟାଗଡରେ ହୋଇଥିଲା । ତାଙ୍କ ପିତା ଶିକ୍ଷକ ଥିଲେ ଓ ମାତା ସୁଲେଖିକା ଓ ଆଦର୍ଶ ଗୃହିଣୀ । ତେବେ ବିଦ୍ୟାଳୟରେ ପଢିବା ସମୟରୁ ନିଜର ଲେଖାଲେଖି ଜୀବନ ଆରମ୍ଭ କରିଥିଲେ ଚିରଶ୍ରୀ । ମନପବନ ପତ୍ରିକାରେ ତାଙ୍କର ଲେଖା ପ୍ରକାଶ ମଧ୍ୟ ପାଇଛି । ଉତ୍କଳ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଚିରଶ୍ରୀ । ଗଙ୍ଗାଧର ମେହେରଙ୍କ ଛନ୍ଦନୀଳମଣି ସାହୁଙ୍କ ଗଭୀରତା,ମନୋଜ ଦାସ, ଫକୀରମୋହନଙ୍କ ଗ୍ରାମୀଣ ଗଳ୍ପ ଓ ଉପନ୍ୟାସ ଚିରଶ୍ରୀଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା । ଶିଶୁ କବିତା,ଗୀତି କବିତାରେ ସିଦ୍ଧହସ୍ତ ପ୍ରାଧ୍ୟାପିକା ଚିରଶ୍ରୀ । ତାଙ୍କ ମତରେ “ସାହିତ୍ୟ ଏକ ପ୍ରବାହ” । ତେବେ ବ୍ୟସ୍ତ ଜୀବନରୁ ଟିକେ ସାହିତ୍ୟ ସାଧନା ପାଇଁ ସମୟ କାଢ଼ିବା ଦରକାର ବୋଲି ନିଜର ମତ ଦେଇଛନ୍ତି ଚିରଶ୍ରୀ | ତତ୍ ସହିତ ସାହିତ୍ୟ ଏକ ନଦୀର ଧାରା ଓ ସାହିତ୍ୟ ହେଉଛି ସାଧାରଣ ମଣିଷର କଥା ବୋଲି କହିଛନ୍ତି ଚିରଶ୍ରୀ।
ପ୍ରାଧ୍ୟାପିକା ଚିରଶ୍ରୀଙ୍କ ରଚିତ କୃତି,ପୁରସ୍କାର-
ଗଳ୍ପ-ବେଙ୍ଗବତୀ କଥା,ଛବି,ବିଡମ୍ବନା,ଅଙ୍କାବଙ୍କା ନଇଁ, ଚିରଶ୍ରୀଙ୍କ ଭଲ କଥା ଇତ୍ୟାଦି।
ଅନୁବାଦ-ଓଷାପୋକ,ବେଶ।
ପୁରସ୍କାର-କାଦମ୍ବିନୀ ସୁଚାରିତା ପୁରସ୍କାର, କଂହେଇଲାଲ୍ ପୁରସ୍କାର, ରାଜଧାନୀ ପୁସ୍ତକ ମେଳା,ମଥଂନ ପୁରସ୍କାର ଇତ୍ୟାଦି।
ବର୍ତ୍ତମାନର ଇଂରାଜୀ ଓ ବିକଶିତ ଯୁଗରେ ମାତୃଭାଷାର ହୀନମନ୍ୟତାକୁ ଦୂର କରିବା ନିତ୍ୟାନ୍ତ ଆବଶ୍ୟକ। ଏଥିସହିତ ପ୍ରତ୍ୟେକ ଶିକ୍ଷକ ଅଭିଭାବକ ନିଜର ପିଲାଙ୍କୁ ନିଜର ଭାଷା ପ୍ରତି ବିଶ୍ୱସ୍ତ ଓ ଶିକ୍ଷଣ କରାଇବା ଆବଶ୍ୟକ ବୋଲି କହିଛନ୍ତି ଲେଖିକା ଚିରଶ୍ରୀ ଇନ୍ଦ୍ରସିଂ।
ପ୍ରସ୍ତୁତି : ଦେବୀ ପ୍ରସାଦ ରଥ