ସାହିତ୍ୟ ହେଉଛି ଜୀବନର ବାସ୍ତବ ଅନୁଭବ : ଶ୍ୱେତ ପଦ୍ମାସିନୀ
ନିଜ ଜୀବନର ଦୁଃଖ ଓ ଯନ୍ତ୍ରଣା ତାଙ୍କ ପାଇଁ ଥିଲା ପ୍ରେରଣା କିଛି ଲେଖିବାର।ସାନ ଭାଇର ମୃତ୍ୟୁ ଓ ମାତାଙ୍କ ମାନସିକ ଭାରସାମ୍ୟ ହରାଇବା ରୂପକ ବିଚ୍ଛେଦ ଏବଂ କଷ୍ଟର ଲାଘବ ପାଇଁ ଲେଖା ତାଙ୍କ ପାଇଁ ସାଜିଥିଲା ଯନ୍ତ୍ରଣାର ଏକମାତ୍ର ଉପଶମ।ତେବେ ଏହି ସାହିତ୍ୟିକା ଜଣକ ହେଉଛନ୍ତି ଶ୍ୱେତ ପଦ୍ମାସିନୀ ମହାନ୍ତି।ବୃତ୍ତିଗତ ଜୀବନରେ ପୋଷ୍ଟ ମାଷ୍ଟର ଥିଲେ ଏହି ଶ୍ରୀମତୀ ମହାନ୍ତି।
କଟକ ଜିଲ୍ଲାର ଆଠଗଡ଼ରେ ଜନ୍ମିତା ଶ୍ୱେତ ପଦ୍ମାସିନୀ ରମାଦେବୀ ମହିଳା ମହାବିଦ୍ୟାଳୟରେ ଦ୍ୱାଦଶ ପଢ଼ୁଥିବା ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଯାନ୍ତି।ତେବେ ପିଲାଟି ଦିନରୁ ଖୁବ୍ ମେଳାପୀ ଥିଲେ ଏହି ଲେଖିକା ଜଣକ।ଅନ୍ୟ ମାନଙ୍କ ସହିତ ନିଜର ସୁଖ ଦୁଃଖ ବାଣ୍ଟୁଥିଲେ ଶ୍ୱେତ ପଦ୍ମାସିନୀ।ତେବେ ନିଜ ସାନ ଝିଅଙ୍କ ଜନ୍ମପରେ ବିଧିବଦ୍ଧ ଭାବେ ଲେଖା ଲେଖନ୍ତି ଏହି ଲେଖିକା।
ଗଳ୍ପ ଓ ଉପନ୍ୟାସ ସାହିତ୍ୟରେ ସିଦ୍ଧହସ୍ତ ଶ୍ୱେତ ପଦ୍ମାସିନୀ।ଓଡ଼ିଆ ଭାଷା ସାହିତ୍ୟରେ ଫକୀରମୋହନ ସେନାପତି,ପ୍ରତିଭା ରାୟ ପ୍ରମୁଖଙ୍କୁ ନିଜର ଆଦର୍ଶ ମାନନ୍ତି ଶ୍ୱେତ ପଦ୍ମାସିନୀ।ନିଜର ସାହିତ୍ୟ ଜରିଆରେ ପାରିବାରିକ ଓ ନାରୀ ସମସ୍ୟା ଉପରେ ଗୁରୁତ୍ୱ ଦିଅନ୍ତି
ଏହି ସୁଲେଖିକା।
ସାହିତ୍ୟିକା ଶ୍ୱେତ ପଦ୍ମାସିନୀ ମହାନ୍ତିଙ୍କ କୃତି ଓ ପୁରସ୍କାର ସମ୍ବନ୍ଧରେ କିଛି-
ଏଯାବତ୍ ତାଙ୍କ ଦ୍ୱାରା ରଚିତ ୧୦ ଗୋଟି ଉପନ୍ୟାସ ଓ ୧ଗଳ୍ପ ପ୍ରକାଶ ପାଇଅଛି।
ଉପନ୍ୟାସ-ପରାଜିତ ନାୟକ,ମିନାକ୍ଷୀ,ଜୀବନର ଭିନ୍ନ ସ୍ୱାଦ,ଦୀପ ତଳ ଅନ୍ଧାର,ମନୀଷା,ଶେଷ ସ୍ପର୍ଶ ଇତ୍ୟାଦି।
ଗଳ୍ପ-ଆଞ୍ଜୁଳାଏ ସ୍ବପ୍ନ ପ୍ରମୁଖ।
ପୁରସ୍କାର-ଜୀବନ ରଙ୍ଗ ପୁରସ୍କାର,ଖୋର୍ଦ୍ଧା ସାହିତ୍ୟ ସଂସଦ,କୁନ୍ତଳା କୁମାରୀ ସମ୍ମାନ ଇତ୍ୟାଦି।
ଏହାଛଡ଼ା ପ୍ରଜାତନ୍ତ୍ର,ସମାଜ,ସୌରଭ,ଇନ୍ଦ୍ରଧନୁ ପତ୍ରିକାରେ ଶ୍ୱେତ ପଦ୍ମାସିନୀଙ୍କ କୃତି ମଧ୍ୟ ପ୍ରକାଶିତ ହୋଇଅଛି।
ସାହିତ୍ୟିକା ଶ୍ୱେତ ପଦ୍ମାସିନୀଙ୍କ ମତରେ “ସାହିତ୍ୟ ରଚନା ଅତି ସରଳ ହେବା ଆବଶ୍ୟକ।ଭାରି ଶବ୍ଦ ଦ୍ୱାରା ପାଠକଙ୍କୁ କଷ୍ଟ ନ ଦେଇ ସୁନ୍ଦର ରଚନା ମାଧ୍ୟମରେ ପାଠକଙ୍କ ହୃଦୟରେ ପହଂଚିବା ଏକାନ୍ତ କାମ୍ୟ ହେବା ଆବଶ୍ୟକ।ସାହିତ୍ୟ ହେଉଛି ଆମ ଜୀବନ ସହିତ ଅଂଗାଙ୍ଗୀ ଭାବେ ଜଡ଼ିତ ଅଟେ।ଜୀବନର ଅନୁଭବ ସାହିତ୍ୟ ଅଟେ।ଏହା ପରିବର୍ତ୍ତନର ଧାରା”। ଆଗାମୀ ଦିନରେ ନିଜର ଏକ ଆତ୍ମଜୀବନୀ ପ୍ରକାଶିତ କରିବାର ଲକ୍ଷ୍ୟ ରଖିଛନ୍ତି ଶ୍ୱେତ ପଦ୍ମାସିନୀମହାନ୍ତି।