ବାଲିକୁଦା-ଏରସମାରେ ଗଣିତ ବିଗାଡିବେ ସସ୍ମିତା

ଜଗତସିଂହପୁର : ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଜୋରସୋରରେ ଚାଲିଛି ପ୍ରଚାର | ଜୁନ ୧ ରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ତଥା ଗୁରୁତ୍ୱପୂର୍ଣ୍ଣ ଆସନ ସବୁରେ ଭୋଟ ପଡ଼ିବାକୁ ଥିବାରୁ ବେଶ ଚର୍ଚ୍ଚାରେ ରହିଛି ଏହି ନିର୍ବାଚନ ମଣ୍ଡଳୀ | ତେବେ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ମାନେ ଆପଣେଇଥିବା ପ୍ରଚାର ତରିକାକୁ ଟକ୍କର ଦେଉଛନ୍ତି ଜଣେ ସ୍ୱାଧୀନ ମହିଳା ପ୍ରାର୍ଥୀ | ସେ ହେଉଛନ୍ତି ସସ୍ମିତା ଦାସ | ସସ୍ମିତା ଅପା ନାମରେ ସେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା | ଜଣେ ଲେଖିକା ଭାବେ ଓ ସାମାଜିକ କର୍ମୀ ଭାବେ ମଧ୍ୟ ସେ ବେଶ ଲୋକପ୍ରିୟ ଅଟନ୍ତି | ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ସେ ଦୀର୍ଘ ଦିନ ହେବ ବିଜେଡି ଦଳର ସାଙ୍ଗଠନିକ କାମରେ ଲୋକଙ୍କ ସହ ଯୋଡିହୋଇ ରହିଥିବାରୁ ତୃଣମୂଳ ସ୍ତରରେ ତାଙ୍କର ବେଶ ଲୋକପ୍ରିୟତା ରହିଛି | ତା ସହ ବିଭିନ୍ନ ସାମାଜିକ କାମ ଯେମିତି କି, ମହିଳା ସଶକ୍ତିକରଣ, ଅସହାୟ ମାନଙ୍କ ପାଖରେ ସୁଖଦୁଃଖରେ ଠିଆ ହେବା ତଥା ସବୁ ସମୟରେ ଅଂଚଳ ସହ ଯୋଡି ହୋଇ ରହିବା ତାଙ୍କୁ ଅନ୍ୟ ପ୍ରାର୍ଥୀ ମାନଙ୍କ ଠାରୁ କରିଛି ସ୍ୱତନ୍ତ୍ର ଓ ଭିନ୍ନ | ସ୍ୱାଧୀନ ପ୍ରାର୍ଥୀ ଭାବେ ମିଳିଥିବା ହ୍ୱିସିଲ ଚିହ୍ନରେ ସେ ନିର୍ଵାଚନ ଲଢ଼ୁଛନ୍ତି | ତାଙ୍କର ପ୍ରଚାର ତରିକା ମଧ୍ୟ ଅନ୍ୟମାନଙ୍କ ଠାରୁ ବେଶ ବାରି ହୋଇ ପଡୁଛି | ପ୍ରଚାର ବେଳେ ଭୋଟର ମାନେ ବିଶେଷ କରି ମହିଳା ମାନେ ଖୁବ ଆଦର ସହକାରେ ତାଙ୍କୁ ସ୍ୱାଗତ କରୁଛନ୍ତି | ଘର ଘର ବୁଲି ଭୋଟରଙ୍କୁ ଭେଟିବା ବେଳେ ଲୋକଙ୍କ ଭଲପାଇବା ଦେଖି ଭାବବିହ୍ୱଳ ହୋଇ ସସ୍ମିତା କୁହନ୍ତି ଯେ, ମୋର ଅର୍ଥ କିମ୍ବା ବାହୁବଳ ନାହିଁ | ହେଲେ ଦୀର୍ଘ ସମୟ ହେବ ସାଧାରଣ ଲୋକଙ୍କ ସହ ମୁଁ ଯୋଡି ହୋଇ ରହିଛି | ଯାହା ମୋତେ ସାହସ ଦେଇଛି ଏ ନିର୍ବାଚନରେ ଭାଗନେବାକୁ | ମୋ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ କଥାକୁ ସମ୍ମାନ ଦେଇ ମୁଁ ଲଢ଼େଇକୁ ଓହ୍ଲେଇଛି | ଆଉ ମୋର ଦୃଢ଼ ବିଶ୍ୱାସ ଯେ, ସେମାନେ ହିଁ ମୋତେ ଆଶୀର୍ବାଦ କରିବେ | ଆସନ୍ତା ଜୁନ ୧ ତାରିଖରେ କୌଣସି ପ୍ରକାର ପ୍ରଭାବିତ ନହୋଇ ବ୍ୟକ୍ତିତ୍ୱକୁ ବିଚାର କରି ହ୍ୱିସିଲ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି ସେ | ତେବେ ସେ ଯାହା ହେଉନା କାହିଁକି ଭୋଟରେ ସସ୍ମିତା ଅନ୍ୟ ଦଳ ମାନଙ୍କ ଗଣିତ ବିଗାଡିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଧରିଛି | ଶାସକ ବିଜେଡି ପ୍ରତି ଲୋକଙ୍କ ମୋହ ଭଙ୍ଗ ସହ ବାଲିକୁଦା-ଏରସମାରେ ବିଜେପିର ଗ୍ରହଣୀୟତା ନଥିବାରୁ ସସ୍ମିତା ଅନ୍ୟତମ ବିକଳ୍ପ ଭାବେ ଭୋଟରଙ୍କ ପ୍ରଥମ ପସନ୍ଦରେ ଅଛନ୍ତି ବୋଲି ଜଣାପଡୁଛି |

Leave a Reply

Your email address will not be published. Required fields are marked *