ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ବିରୋଧରେ ଜୁଲାଇ ୬ ତାରିଖରେ “ଓସା” ର ଭୁବନେଶ୍ବରରେ ବିକ୍ଷୋଭ ଏବଂ ରାଜ୍ୟବ୍ୟାପି ଆନ୍ଦୋଳନ ପାଇଁ ଆହ୍ବାନ

ରାଜ୍ୟରେ ସ୍ବଚ୍ଛତା ପାଇଁ ଲଢେଇ ଏବଂ ଦୁର୍ନୀତି ଓ ଖଣି ହରିଲୁଟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଥିବା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଙ୍କ ବିରୁଦ୍ଧରେ ଯାଜପୁର ପୋଲିସର ଲଗାତାର ମିଥ୍ୟା ମାମଲା ଓ ବିଭିନ୍ନ ଜିଲ୍ଲାରେ ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଥିବା ସୂଚନା ଅଧିକାର କର୍ମୀମାନଙ୍କ ଉପରେ ମରଣାତ୍ମକ ଆକ୍ରମଣ, ହତ୍ୟା ଧମକ ଓ ମିଛ କେଶ ରୁଜୁକୁ “ଓସା” ର ନିନ୍ଦା କରାଯାଇଛି ।

ଭୁବନେଶ୍ୱର: ଗତ ଜୁନ ୧୩ ତାରିଖରେ ଯାଜପୁର ଜିଲ୍ଲାର ବିଶିଷ୍ଟ ସୂଚନା ଅଧିକାର କର୍ମୀ ଶ୍ରୀ ସର୍ବେଶ୍ବର ବେହୁରା ଙ୍କ ବିରୁଦ୍ଧରେ ମୋରମ ଚୋରି ମିଥ୍ୟା କେଶ କରି ଧର୍ମଶାଳା ପୋଲିସ ତାଙ୍କୁ ଆରେଷ୍ଟ କରି ଜେଲରେ ଭର୍ତ୍ତି କରିଥିଲେ । ସେ ୧୩ ଦିନ ଜେଲରେ ରହି ଖଲାସ ହୋଇଥିଲେ । ଗତ କାଲି ତା ୩.୭.୨୩ ରିଖରେ ଦର୍ପଣ ତହସିଲଦାର ଙ୍କ ଅଭିଯୋଗ ଆଧାରରେ ବାଲିଚନ୍ଦ୍ରପୁର ଥାନାଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ସର୍ବେଶ୍ବର ଙ୍କ ଘର ରେଡ଼ କରିଛି ।ଅଭିଯୋଗ ହେଉଛି ବଡଚଣୀ ବ୍ଲକ ଅଧିନସ୍ଥ ମାଣ୍ଡୁକା ପାହାଡରେ ଲିଜ ଅଂଚଳ ବାହାରେ ସର୍ବେଶ୍ବର ଙ୍କ ମାଳିକାନାତ୍ବରେ ଥିବା JCB ପୋକଲିନ ମେସିନ ବ୍ୟବହାର କରାଯାଇ ମୋରମ ବୁହା ହୋଇଛି । କିନ୍ତୁ ମାଣ୍ଡୁକ ପାହାଡର ଲିଜଧାରୀ ଯିଏକି ଲିଜ ବାହାର ଅଞ୍ଚଳରେ ମୋରୁମ ଉତ୍ତୋଳନ କରୁଛି, ତାଙ୍କ ବିରୁଦ୍ଧରେ ପୋଲିସ କେଶ ରୁଜୁ କରି ନାହିଁ । ସେହିପରି ସର୍ବେଶ୍ବର ତାଙ୍କ JCB ମେସିନ ଲିଜ ଆକାରରେ ଅନ୍ୟ ଜଣକୁ ଭଡାରେ ଦେଇଥିଲେ । ତେଣୁ ଲିଜ ଅଂଚଳ ବାହାରେ ମୋରମ ଖୋଲା ସହିତ ସର୍ବେଶ୍ବର ଙ୍କ କୌଣସି ସମ୍ପୃକ୍ତି ନାହିଁ । ସର୍ବେଶ୍ବର ଙ୍କୁ ହଇରାଣ କରିବା, ମାନସିକ ନିର୍ଯ୍ୟାତନା ଦେବା, ତାଙ୍କ ପରିବାର ଜୀବନ ପ୍ରତି ବିପଦ ସୃଷ୍ଟି କରିବା ହେଉଛି ଜିଲ୍ଲା ପ୍ରଶାସନ ଓ ବିଜେଡି ଦଳର ନେତାଙ୍କ ସୁଚିନ୍ତିତ ଯୋଜନା ବଦ୍ଧ ଷଡଯନ୍ତ୍ର । ଏଠାରେ ସୂଚନାଯୋଗ୍ୟ ଯେ, ଧର୍ମଶାଳା ତହସିଲ ଅଧୀନରେ ସ୍ଥାନୀୟ ବିଧାୟକ ପ୍ରଣବ ବଲବନ୍ତରାୟ, ଖଣି ମାଫିଆ ଓ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀ ଙ୍କ ଦ୍ବାରା ଚାଲିଥିବା ବ୍ୟାପକ ଖଣି ହରିଲୁଟ ଓ ବେଆଇନ କୁଶ ର ୟୁନିଟ ସ୍ଥାପନ ସମ୍ପର୍କରେ ସର୍ବେଶ୍ବର ସୂଚନା ଅଧିକାର ଆଇନ ରେ ତଥ୍ୟ ହାସଲ ସହିତ ଉକ୍ତ ହରିଲୁଟର ତଦନ୍ତ
ପାଇଁ ଲୋକାଯୁକ୍ତ ଙ୍କ ଠାରୁ ଆରମ୍ଭ କରି ହାଇକୋର୍ଟରେ ଅଭିଯୋଗ କରି ଆସୁଥିଲେ । ଲୋକାଯୁକ୍ତ ସର୍ବେଶ୍ବର ଙ୍କ ସମସ୍ତ ଅଭିଯୋଗକୁ ଗ୍ରହଣ କରି ବିଛାଖଣ୍ଡି କଳାପଥର ଖଣି ଲୁଟ ର ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସ ଆରୁହା ପାହାଡ଼ ଖଣି ଲୁଟ ପାଇଁ କ୍ରାଇମ ବ୍ରାଞ୍ଚ ତଦନ୍ତ, ସ୍ଥାନୀୟ ବିଧାୟକ ଙ୍କ ଭାଇ ପ୍ରଭାତ ବଲବନ୍ତରାୟ ନିଜର ଇଟାଭାଟିକୁ ସରକାରୀ ଅର୍ଥରେ ରାସ୍ତା ନିର୍ମାଣ କରିବା ଅଭିଯୋଗର ଲୋକାଯୁକ୍ତ ନିଜ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ କରେଇବା, ଏନ. ଜି.ଟି. ରେ କେଶ କରି ହଂକାରୀ ଖଣି ଲୁଟ ବନ୍ଦ କରିବା ଇତ୍ୟାଦି ହୋଇଛି । ସର୍ବେଶ୍ବର ଙ୍କ କେଶ ଉପରେ ଯାଜପୁର ଜିଲ୍ଲାର ତକ୍ରାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ କୁ ଲୋକାଯୁକ୍ତ ନୋଟିସ କରିଛନ୍ତି । ଏଣୁ ସର୍ବେଶ୍ବର ଙ୍କୁ ଦମନ କରିବା ପାଇଁ ଖଣି ମାଫିଆ, ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀ ଙ୍କ ଏହା ଏକ ବଡ ଚକ୍ରାନ୍ତ । ଏଠାରେ ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୭, ୨୦୨୧ ତାରିଖରେ ସର୍ବେଶ୍ବର ଙ୍କୁ ହତ୍ୟା କରିବା ପାଇଁ ବୋମାମାଡ଼ ହୋଇଥିଲା ।

ରାଜ୍ୟରେ ସୂଚନା ଅଧିକାର କର୍ମୀ ମାନଙ୍କ ଉପରେ ଆକ୍ରମଣ କେବଳ ସର୍ବେଶ୍ବର ଙ୍କ କ୍ଷେତ୍ରରେ ସୀମିତ ନାହିଁ । ଏହା ଏକ ରାଜ୍ୟସ୍ତରୀୟ ଘଟଣା ହୋଇଛି । ଗତ ଜୁନ ୨୭,୨୦୨୩ ତାରିଖରେ ବାଲେଶ୍ବର ଜିଲ୍ଲାର ସୋର ବ୍ଲକର ସୂଚନା ଅଧିକାର କର୍ମୀ ଦିବାକର ପଣ୍ଡାଙ୍କୁ ମଧ୍ୟ ରାତ୍ରିରେ ମରଣାତ୍ମକ ଆକ୍ରମଣ ହେଲା । ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେ ବର୍ତ୍ତମାନ କଟକ ମେଡ଼ିକାଲ ରେ ଚିକିଶ୍ଚିତ ହେଉଛନ୍ତି । ସରପଞ୍ଚ ଓ ବିଜେଡି ଗୁଣ୍ଡାମାନେ ତାଙ୍କୁ ଏହି ଆକ୍ରମଣ କରିଥିଲେ । ସେହିପରି ଗତ ଏପ୍ରିଲ ୨୮,୨୦୨୩ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ର ସୂଚନା ଅଧିକାର କର୍ମୀ ଆଳୟ ସାମନ୍ତରାୟ ଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିଲା । ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ ମାର୍ଶାଘାଇ ଥାନାଧ୍ୟାକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ ଏହି ଆକ୍ରମଣ କରାଇଥିଲେ ବୋଲି ସର୍ବେଶ୍ବର ଏସପି ଙ୍କ ନିକଟରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସ ପ୍ରାୟ ମାସକ ପରେ ଅର୍ଥାତ ୨୨.୫.୨୩ ରେ କେଶ ନଂ ୩୦୯/୨୩ ପଞ୍ଜିକୃତ କରିଥିଲା । ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାରୁ କଟକ ଜିଲ୍ଲାର ଟାଙ୍ଗି ବ୍ଲକର ସୂଚନା ଅଧିକାର କର୍ମୀ ନବ ଦାସ ଙ୍କୁ ଆକ୍ରମଣ ହୋଇଥିଲା ।୨୬.୨.୨୩ ରେ ଟାଙ୍ଗି ଥାନାଧ୍ୟାକାରୀ ଏଫ.ଆଇ.ଆର ପଞ୍ଜିକୃତ ( କେଶ ନଂ ୪୦/୨୩) କରିଥିଲେ ମଧ୍ୟ ଲାଞ୍ଚ ନେଇ ଅପରାଧୀଙ୍କୁ ସୁରକ୍ଷା ଦେଇଥିଲେ । ଗତ ୨୭.୫.୨୩ ତିଖରେ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକର ସୂଚନା ଅଧିକାର କର୍ମୀ ସୀମାନ୍ତ କୁମ୍ଭୀର ପାତ୍ରଙ୍କୁ ଦୁର୍ନୀତି ବିରୁଦ୍ଧରେ କହିବାରୁ ବିଜେଡି ଗୁଣ୍ଡାମାନେ ଲଙ୍ଗଲା କରି ରାସ୍ତାରେ ଚଳେଇ ମାନସିକ ନିର୍ଯ୍ୟାତନା ଦେଇଥିଲେ । ପୋଲିସ ଅଭିଯୋଗକୁ ପଞ୍ଜିକୃତ ( କେଶ ନ – ୨୦୫/୨୩) କରିଥିଲେ ମଧ୍ୟ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ରାଜ୍ୟର ରେ ଗତ ୧୫ ବର୍ଷ ମଧ୍ୟରେ ୭୦ ରୁ ଉର୍ଦ୍ଧ୍ବ ସୂଚନା ଅଧିକାର କର୍ମୀ ମାନଙ୍କ ଉପରେ ଆକ୍ରମଣ ହୋଇଛି, ଚାରି ଜଣ ସୂଚନା କର୍ମୀଙ୍କୁ ହତ୍ୟା କରାଯାଇଛି । ଅନେକ ଙ୍କ ନାମରେ ମିଥ୍ୟା ମକଦ୍ଧମା କରସଯାଇ ଜେଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଏସବୁ ସତ୍ତ୍ବେ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଦାବି ଯାଇ ନାହିଁ । ସୂଚନା କର୍ମୀମାନେ ଆନ୍ଦୋଳନ କୁ ଆହୁରି ତେଜିୟାନ କରିଛନ୍ତି । ଶାସକ ଓ ବିରୋଧୀ ଦଳ ମିଳିତ ଭାବେ ରାଜ୍ୟକୁ ଲୁଟ କରୁଛନ୍ତି ।ତେଣୁ ସୂଚନା କର୍ମୀ ମାନଙ୍କୁ ଟାର୍ଗେଟ କରସଯାଉଛି । ଗୋଟିଏ ପଟେ ୫ଟି ଓ ମୋ ସରକାର ଓ ଦୁର୍ନୀତି ପ୍ରତି ମୁଖ୍ୟମନ୍ତ୍ରୀ ଙ୍କ ଶୁନ୍ୟ ସହନଶୀଳତା ପ୍ରଚାର ଚାଲୁଥିବା ବେଳେ ସେହି ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିବା ସୂଚନା କର୍ମୀ ମାନଙ୍କୁ ଆକ୍ରମଣ କାହିଁକି ହେଉଛି ବୋଲି ଆମ୍ଭେ ପ୍ରଶ୍ନ କରୁଛୁ ।

ସର୍ବେଶ୍ବର ଙ୍କ ସମେତ ସୂଚନା ଅଧିକାର କର୍ମୀ ମାନଙ୍କ ବିରୁଦ୍ଧରେ ହେଉଥିବା ଆକ୍ରମଣ ବିରୁଦ୍ଧରେ ଜୁଲାଇ ୭ ତାରିଖରେ ଭୁବନେଶ୍ବର ରେ ପ୍ରତିବାଦ ବିକ୍ଷୋଭ କରାଯିବ ଏବଂ ଜୁଲାଇ ୧୫ ତାରିଖରେ ରାଜ୍ୟବ୍ୟାପି ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ହେବ । ଓସା ତରଫରୁ ସୂଚନା କର୍ମୀ ମାନଙ୍କୁ ସାହାଯ୍ୟ ଓ ନୌତିକ ସମର୍ଥନ ଦେବା ପାଇଁ ଓଡିଶା ବାସୀଙ୍କୁ ଆମ୍ଭେ ନିବେଦନ କରୁଛୁ ।

Leave a Reply

Your email address will not be published. Required fields are marked *