ବେଳ ଓ ବଳର ସଦୋପୋଯୋଗ ମଣିଷକୁ ସଫଳତା ଦେଇଥାଏ

ଭୁବନେଶ୍ବର: ୨୫/୧ ଯୁବ ସମାଜ ଦେଶର ମେରୁଦଣ୍ଡ । ଯୁବ ସୁଧାରରେ ହିଁ ସମାଜ ସୁଧାର । କର୍ମଯୋଗୀ ହିଁ ସଫଳତା ପାଇବେ । କଷ୍ଟ କଲେ କୃଷ୍ଣ ମିଳେ । ଏକତା ହିଁ ଅଖଣ୍ଡତା । ମାନବିକତା ହିଁ ପରମ ଧର୍ମ । ସେବା ଓ ପରୋପକାର ଏକ ଉପାସନା । ତ୍ୟାଗ ଓ ବଳିଦାନ ଦ୍ବାରା ସଂଗଠନ ଜୀବିତ ରୁହେ । ନମ୍ରତା ହିଁ ଭଦ୍ରତାର ପରିଚୟ ।
ଏହିଭଳି ମତାମତ ଦେଖିବାକୁ ମିଳିଛି, ୟୁନିଟ-୪ ସ୍ଥିତ ମସଜିଦ ହମଦ୍ ଠାରେ ଅନୁଷ୍ଠିତ ଓଡିଶା ଯୁବ ସଂଗଠନ ମଜଲିସ ଖୁଦ୍ଦାମୁଲ ଅହମଦୀୟାର ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକରେ । ଏହି ବୈଠକରେ ସଭାପତିତ୍ବ କରିଥିଲେ , ମଜଲିସ ଖୁଦ୍ଦାମୁଲ ଅହମଦୀୟା ଭାରତର ଉପ-ସଭାପତି ସିଦ୍ଦିକ ଖାଁ । ମୁଖ୍ୟ ଅତିଥି ଭାବେ ମଜଲିସ ଖୁଦ୍ଦାମୁଲ ଅହମଦୀୟା ଭାରତର ପୂର୍ବତନ ଉପ-ସଭାପତି ସୟଦ ଅକିଲ ଅହମଦ ଯୋଗ ଦେଇଥିଲେ । ପବିତ୍ର କୋରାନ ପାଠ କଟକ ଯୁବ ସଭାପତି ସୟଦ ୟହିଆ ଅହମଦ କରିଥିଲେ । ସଂଗଠନର ସଂକଳ୍ପ ପାଠ ମଜଲିସ ଖୁଦ୍ଦାମୁଲ ଅହମଦୀୟା ଭାରତର ଉପ-ସଭାପତି ସିଦ୍ଦିକ ଖାଁ କରାଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଖୋର୍ଦ୍ଧା-ନୟାଗଡ ଜିଲ୍ଲାର ଯୁବ ସଭାପତି ସୋଲେମାନ ଖାଁ, ବାଲେଶ୍ବର ଜିଲ୍ଲାର ଯୁବ ସଭାପତି ମୁଖତାର ଖାଁ, କଟକ ଜିଲ୍ଲାର ଯୁବ ସଭାପତି ସଫାଉଦ୍ଦିନ ଖାଁ ଏବଂ ଭୁବନେଶ୍ବର ମୌଲାନା ହଲିମ ଖାଁ ପଦାଧିକାରୀଙ୍କ ଦାୟିତ୍ବ ଏବଂ ସଂଗଠନର ବିଭିନ୍ନ ବିଭାଗୀୟ ବାର୍ଷିକ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲାଇବା ବିଷୟରେ ମତାମତ ରଖିଥିଲେ ।
ମୁଖ୍ୟ ଅତିଥି ସୟଦ ଅକିଲ ଅହମଦ ଭାଷଣରେ କହିଲେ, ବେଳ ଓ ବଳର ସଦୋପୋଯୋଗ ମଣିଷକୁ ସଫଳତା ଦେଇଥାଏ । ସଭାପତିତ୍ବ ଭାଷଣରେ ସଭାପତି କହିଲେ, ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା,ପ୍ରଭୁଙ୍କ ପ୍ରସନ୍ନତା ହାସଲ କରିବା । ଧର୍ମପରାୟଣ ହେବା । ସଂଗଠନର ପ୍ରତ୍ୟେକ ବ୍ୟକ୍ତି ସତ୍ୟବାଦୀ, ଉପାସକ, ପ୍ରଭୁଭକ୍ତ, ଅମାନତଦାର ଏବଂ ନ୍ୟାୟବନ୍ତ ହେବା ଉଚିତ୍ । ଏହି ମହାନ ଚରିତ୍ରକୁ ଆପଣାଇବାକୁ ହେବ । ନିଜେ ମହାନ ହେବା ସହିତ ଅନ୍ୟମାନଙ୍କୁ ମହାନ ଭାବେ ଗଢିବାକୁ ହେବ । ପିଲା, ଯୁବକ, ବୃଦ୍ଧ ଏବଂ ମହିଳାମାନଙ୍କ ମଧ୍ୟରେ ଏକ ପରିବର୍ତ୍ତନ ଆଣିବାକୁ ହେବ । ଏହି ନୈତିକତାକୁ ଆପଣାଇବା ଦ୍ବାରା ଆମେ ବିଶ୍ବରୁ ଅତ୍ୟାଚାର ଓ ବର୍ବରତାକୁ ଲୋପ କରିପାରିବା । ଏବଂ ବିଶ୍ବରେ ଶାନ୍ତି ଓ ନ୍ୟାୟ ପ୍ରତିଷ୍ଠା କରିପାରିବା । ଏହି ବୈଠକରେ ବିଭିନ୍ନ ଗ୍ରାମର ଅହମଦୀୟା ଯୁବ ସଂଗଠନର ପ୍ରତିନିଧି ଏବଂ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *