ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କର ଆଜି ଜନ୍ମଦିନ

ଇଂରେଜ ଶାସନ ବେଳର ବିଶିଷ୍ଟ ଓଡ଼ିଆ ନାରୀନେତ୍ରୀ, ଉତ୍କଳ ଭାରତୀ,ଭାରତୀ ଭୂଷଣ, ଡାକ୍ତର କୁନ୍ତଳା କୁମାରୀଙ୍କର ଆଜି ଜନ୍ମଦିନ | ସେ ଥିଲେ ଏକାଧାରରେ ସୁଲେଖିକା, କବୟିତ୍ରୀ, ସ୍ୱାଧୀନତା ସଂଗ୍ରାମୀ ଓ ସମାଜସଂସ୍କାରକ | 1901 ରୁ 1938ମସିହାର ମାତ୍ର 37 ବର୍ଷର ଜୀବନ କାଳ ମଧ୍ୟରେ ସେ ଯେଉଁ କାର୍ଯ୍ୟ କରି ଯାଇଛନ୍ତି, ତାହା ତାଙ୍କୁ ଅମର କରି ରଖିଛି, ରଖିବ ଚିରକାଳ | ଜାତିପ୍ରଥା, ବାଲ୍ୟ ବିବାହ ପରି କୁସଂସ୍କାରର ବିଲୋପ ପାଇଁ ସେ ସ୍ୱର ଉତ୍ତୋଳନ କରିବା ସହିତ ନାରୀ ଶିକ୍ଷା, ବିଧବା ବିବାହ, ନାରୀ ସଶକ୍ତିକରଣ ସପକ୍ଷରେ କାର୍ଯ୍ୟକ୍ରମ କରୁଥିଲେ | ସେ ମଧ୍ୟ ସୃଷ୍ଟି କରିଥିଲେ ଅନେକ କାଳଜୟୀ କବିତା, ଉପନ୍ୟାସ, କାବ୍ୟ ଗ୍ରନ୍ଥ. ପ୍ରବନ୍ଧ | ତାଙ୍କ ରଚିତ ଶେଫାଳି ପ୍ରତି , କମଳ ପ୍ରତି, ପୂଜା, ଆବାହନ ଏଵେ ବି ଲୋକପ୍ରିୟ ହୋଇ ରହିଛି. ଆଉ ମଧ୍ୟ ଉତ୍କଳ ବାଣୀଭଣ୍ଡାରକୁ ଦାନ କରିଥିବା ଅମୁଲ୍ୟ ରଚନା ମଧ୍ୟରେ ରହିଛି ଅଞ୍ଜଳି, ଉତ୍ସାସ , ଅର୍ଚ୍ଚନI, ପ୍ରେମ ଚିନ୍ତାମଣି ଆଦି କବିତା ସଂକଳନ ଓ ନ’ତୁଣ୍ଡି,କାଳୀବୋହୂ, ପରଶମଣି, ରଘୁ ଅରକ୍ଷିତ, ଆଦି ଲୋକପ୍ରିୟ ଉପନ୍ୟାସ | ଜଣେ ସଫଳ ସମ୍ପାଦିକା ଭାବରେ ହିନ୍ଦୀ ପତ୍ରିକା ସ୍ତ୍ରୀ ଭୂଷଣ, ନାରୀ, ଭାରତୀ, ଜୀବନ ଆଦିର ସମ୍ପାଦନା କରିଥିଲେ | ସେ ମଧ୍ୟ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆଲାହାବାଦ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ବକ୍ତୃତା ପ୍ରଦାନ କରିଥିଲେ |ଭାରତୀ ତପୋବନ ସଙ୍ଘ ଗଠନ କରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିଲେ | ତାଙ୍କର ସାମାଜିକ ଜୀବନ ଓ ଲେଖିକା ଜୀବନକୁ ଅନେକ ସରୋଜିନୀ ନାଇଡ଼ୁଙ୍କ ସହ ତୁଳନା କରନ୍ତି | ତେବେ ସ୍ୱଳ୍ପ ଜୀବନକାଳ ମଧ୍ୟରେ ତାଙ୍କ ଉପଲବ୍ଧି ତାଙ୍କୁ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି | ତାଙ୍କ କବିତାରୁ କେତୋଟି ପଦ |

 "ଶେଫାଳି !
   ତୋ' ପରି କ୍ଷୁଦ୍ର ମୁହିଁ ତୋହ ପରି କ୍ଷଣିକ
  ହସେ ବାସେ ରସେ ମାତ୍ର ଫୁଟିଅଛି ଘଡ଼ିକ
              ମାଟିରେ ମିଶିବୁ ତୁହି
              ମାଟିରେ ମିଶିବି ମୁହିଁ
ତଥାପି ମୋ ଆତ୍ମା ଫୁଲ ନ ଯିବରେ ମଉଳି
ତେଣୁ ଆଶା ବହି ଦିନ କାଟେ ଗଙ୍ଗଶିଉଳି"

 ପୁଣି ଯେମିତି କି --

 "ପ୍ରଚଣ୍ଡ ମାର୍ତ୍ତଣ୍ଡ ତାପେ ଦଗ୍ଧ କ୍ଳିଷ୍ଟକ୍ଳାନ୍ତ
   ପଥଶ୍ରାନ୍ତ ପାନ୍ଥେ ଦେଉ ଛାୟା ଅବିଶ୍ରାନ୍ତ
   ମହତ ହିତ ବ୍ରତର ଏ କି ତୋ ଦୃଷ୍ଟାନ୍ତ !
              ଶିଖାଅ ହେବି ତୋ ସମ
               ସୁଵିନୀତ ନମ୍ର ମନ,
    ଅକାତରେ ଭଵ ସେବା ଯାଉଥିବି କରି
 ମୋ କ୍ଷୁଦ୍ର ଆୟାସେ ବହୁ କ୍ଲେଶ ନେବି ହରି
   ପ୍ରତିଦାନ ବିନାହିତ କରିବି ତୋ ପରି !!"

ଆହୁରି ମଧ୍ୟ: ବଡ଼ ହୁଏ ଯଦି ପୂର୍ଣ୍ଣ ଚନ୍ଦ୍ରପରି ଆଉ କି ପାରିବ ବଢ଼ି, ଫୁଟିଲା ଫୁଲ କି ଫୁଟେ ଆଉଥରେ ଫୁଟେ ସିନା ଫୁଲ କଢି | ‘କମନୀୟ ଛନ୍ଦରେ ଗଢ଼ା ଏହି କାଳଜୟୀ କାବ୍ୟକୃତି ତାଙ୍କ ପ୍ରତିଭାର ପରିଚୟ ଦିଏ’ | ସେଇ ବିସ୍ମୟ ବ୍ୟକ୍ତିତ୍ୱ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ପ୍ରତି ଯଥୋଚିତ ମର୍ଯ୍ୟାଦା ପ୍ରଦାନ କରାଯାଇନାହିଁ | ତାଙ୍କର ଶହେ ପଚିଶତମ ଜୟନ୍ତୀରେ ତାଙ୍କ ଅମର ଆତ୍ମା ପ୍ରତି ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଶତକୋଟି ପ୍ରଣାମ ।

ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ ଓ ସଭାପତି,’ଅବି’

Leave a Reply

Your email address will not be published. Required fields are marked *