ଉତ୍ତରପ୍ରଦେଶ ବରେଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୭ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ : ଶୋଇପଡିଲେ ଆମ୍ବୁଲାନ୍ସ ଡ୍ରାଇଭର। ବେପରୁଆ ଡ୍ରାଇଭିଂ ହେଲା କଳା। ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ। ଆଜି ଭୋରୁ ଉତ୍ତରପ୍ରଦେଶ ବରେଲୀରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆମ୍ବୁଲାନ୍ସ ଡ୍ରାଇଭରର ଖାମଖିଆଲି ଡ୍ରାଇଭିଙ୍ଗ ଯୋଗୁଁ ଘଟଣା ସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ଅମ୍ବୁଲାନ୍ସଟି ରୋଗୀ ନେଇ ଦିଲ୍ଲୀରୁ ବରେଲିର ଅଭିମୁଖେ ଯାଉଥିଲା। ଡ୍ରାଇଭର ସମେତ ଆମ୍ବୁଲାନ୍ସରେ ୭ଜଣ ଥିଲେ। ଡ୍ରାଇଭରକୁ ନିଦ ଲାଗିବାରୁ ତା’ର ଆଖି ଲାଗିଯାଇଥିଲା। ଫଳରେ ଫତେହଗଞ୍ଜ ପଶ୍ଚିମାଞ୍ଚଳରେ ଆମ୍ବୁଲାନ୍ସଟି ଡିଭାଇଡରରେ ପିଟି ହୋଇ ରାସ୍ତା ପାର୍ଶ୍ୱରେ ଯାଉଥିବା ଏକ କଣ୍ଟେନର୍‌ ସହ ବାଡେଇ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୪ ପୁରୁଷ ଓ ୩ ମହିଳା ଥିବା ଜଣାପଡିଛି। ସମସ୍ତ ମୃତକ ପିଲଭିତ ଅଞ୍ଚଳର ବୋଲି କୁହାଯାଉଛି।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରିଛି। ଏସ୍‌ପି ରାଜକୁମାର ଅଗ୍ରୱାଲଙ୍କ କହିବା ମୁତାବକ, ଯାତାୟତ ଯେପରି ବାଧାପ୍ରାପ୍ତ ନହେବ ସେଥିପାଇଁ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସଟିକୁ କ୍ରେନ୍‌ ସହାୟତାରେ ରାସ୍ତାର ଗୋଟିଏ ପାର୍ଶ୍ୱକୁ ଅଣାଯାଇଛି। ଆମ୍ବୁଲାନ୍ସ ଡ୍ରାଇଭର ଶୋଇପଡିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି। ତେବେ ବର୍ତ୍ତମାନ ଯାଏଁ ମୃତକ ପରିଚୟ ମିଳିନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *