ସମାଜ ଓ ରାଷ୍ଟ୍ର ଗଠନ ଦିଗରେ ସଚେତନ ନାଗରିକଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର

ଭୁବନେଶ୍ୱର : ସମାଜରେ ଭାଇଚାରା ଦିନକୁ ଦିନ କମିବାରେ ଲାଗିଛି | ରାଷ୍ଟ୍ର ପ୍ରତି ଥିବା ଦାୟିତ୍ୱବୋଧ ଏବଂ ନୈତିକ ଉତ୍ତରଦାୟିତ୍ୱ ଆଜି କେବଳ ଏକ ପ୍ରହସନ ପରିଣତ ହୋଇଛି | ଏହାକୁ ପୁନଃ ଜାଗ୍ରତ କରିବା ସହ ସାଧାରଣ ଲୋକଙ୍କୁ ବିଶ୍ୱ ଭାତୃତ୍ଵର ମୂଲ୍ୟବୋଧ ସହ ପରିଚିତ କରାଇବା ଜରୁରୀ ହୋଇ ପଡିଛି | ଏଥିପାଇଁ ସମସ୍ତ ସାମାଜିକ ସଂଗଠନ, ବ୍ୟକ୍ତିବିଶେଷ ଆଗେଇଆସି ସବୁ ସ୍ତରରେ କାର୍ଯ୍ୟକୁ ବ୍ୟାପକ କରିବା ଦରକାର | ସମାଜ ଓ ରାଷ୍ଟ୍ର ଗଠନରେ ଜଣେ ସଚେତନ ନାଗରିକଙ୍କ ଭୂମିକା କଣ ହେବ ଦରକାର ସେ ନେଇ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି | ଗୋପବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସ୍ଥାନୀୟ ବୁଲନ ଭାଇ ସେବା ସଦନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ପ୍ରାୟ 30 ଜଣ ବୁଦ୍ଧିଜୀବୀ ଓ ସାମାଜିକ କାମରେ ଜଡିତ ଥିବା ବ୍ୟକ୍ତି ମାନେ ଯୋଗ ଦେଇଥିଲେ | ଏହି ଅବସରରେ କାର୍ଯ୍ୟକ୍ରମର ଆବାହକ ରଞ୍ଜନ କର ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନା କରିଥିଲେ | ଏକ ସୁସ୍ଥ ସମାଜ ଓ ଶକ୍ତିଶାଳୀ ରାଷ୍ଟ୍ର ଗଠନ ଦିଗରେ ବାଧକ ଥିବା ସମସ୍ୟା ସବୁକୁ ଚିହ୍ନଟ କରି ଆବଶ୍ୟକ ହେଉଥିବା ସଚେତନତା ଓ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀଯୁକ୍ତ କର ମତ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଜାଗ୍ରତ ଓଡ଼ିଶାର ଆବାହକ ମୃତ୍ୟୁଞ୍ଜୟ ଦାସ, ଭେଟରାନ ପଞ୍ଚାନନ ସୁବୁଦ୍ଧି , ଭେଟରାନ ହିମାଂଶୁ ନାୟକ, ଡ ନଗେନ୍ଦ୍ର ନାଥ ମିଶ୍ର ଓ ଅନ୍ୟ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ନିଜର ମତ ରଖିଥିଲେ | ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ସବୁକୁ ବ୍ୟାପକ କରାଯିବା ନେଇ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ମତ ଦେଇଥିଲେ |

କାର୍ଯ୍ୟକ୍ରମରେ ନିମ୍ନ ୧୦ ଗୋଟି ସଂକଳ୍ପ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା

୧- ଦେଶରେ ଦେଖାଦେଇଥିବା ସାମାଜିକ ବିଶୃଙ୍ଖଳା ଓ ଆଇନୀ ବ୍ୟବସ୍ଥା ବିପର୍ଯ୍ୟୟରେ ରାଜନୈତିକ ଲୋକଙ୍କ ସଂପୃକ୍ତି ନେଇ ସଚେତନତା
୨- ନିଶା ମୁକ୍ତ ସମାଜ ଗଠନ ଦିଗରେ ବ୍ୟାପକ କାର୍ଯକ୍ରମ ହାତକୁ ନିଆଯିବ
୩- ପ୍ରାକୃତିକ ସମ୍ପଦର ଅପବ୍ୟବହାର ରୋକିବା ସହ ସଂରକ୍ଷଣ ଦିଗରେ ଜନ ସଚେତନତା
୪- ଗୋ- ସମ୍ପଦର ସୁରକ୍ଷା ଓ ବିଶ୍ୱ କଲ୍ୟାଣ ନିମନ୍ତେ ଏହାର ସୁବିନିଯୋଗ ପାଇଁ ଦିର୍ଘସୁତ୍ରୀ ଯୋଜନା
୫- ଗୋ ମାତା କୁ ରାଷ୍ଟ୍ରମାତା ଭାବେ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବୀ
୬- ସମ୍ବିଧାନ ପ୍ରଦତ୍ତ ମୌଳିକ ତଥା ମାନବିକ ଅଧିକାରର ସୁରକ୍ଷା ସହ ଏହାର ଉଲଙ୍ଘନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରିବା
୭- ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଲାଗି ତ୍ୱରିତ ବିଚାର ବ୍ୟବସ୍ଥା ସହ ମୃତ୍ୟୁ ଦଣ୍ଡ ଭଳି କଠୋର ଦଣ୍ଡ ବିଧାନ ବ୍ୟବସ୍ଥା
୮- ଭୋଟ ରାଜନୀତିକୁ ବର୍ଜନ କରି ସମସ୍ତ ନାଗରିକ ଙ୍କ ଲାଗି ମାଗଣା ଶିକ୍ଷା, ସ୍ଵାସ୍ଥ୍ୟ ଓ ମୌଳିକ ଆବଶ୍ୟକତାକୁ ନିଶ୍ଚିତ କରିବା
୯- ଅନୁପ୍ରବେଶ ସମସ୍ୟାର ସମାଧାନ ଲାଗି ସାମ୍ବିଧାନିକ ଅନୁଯାୟୀ ସରକାରୀ ସ୍ତରରେ କଠୋର ବ୍ୟବସ୍ଥା
୧୦- ବେକାରୀ ସମସ୍ୟାର ସମାଧାନ ଖୋଜିବା ଲାଗି ବିଶେଷଜ୍ଞ ମାନଙ୍କ ସହାୟତା ନେଇ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରି ସମସ୍ତ ପଦବୀ ପୂରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା

Leave a Reply

Your email address will not be published. Required fields are marked *