ପ୍ରକୃତି ମନସ୍କ ଜୀବନ ହେଉଛି ଆତ୍ମସନ୍ତୋଷ ଓ ଶାନ୍ତିର ମାଧ୍ୟମ : ମମତା
ଭୁବନେଶ୍ୱର : ପିଲାଟି ବେଳୁ ପ୍ରକୃତି ସହ ବନ୍ଧୁ ହୋଇଯାଇଥିଲେ | ସେଇ ବନ୍ଧୁତ୍ୱ ଏବେ ପାଲଟି ଯାଇଛି ନିଶାରେ, ପେଶାରେ ଆଉ ସାମାଜିକ ଜୀବନରେ ପରିଚୟ ତିଆରି କରିବାର ଉଦ୍ୟମରେ | ଗଛ ଲତା ପ୍ରତି ଥିବା ଅହେତୁକ ଆବେଗ ତାଙ୍କୁ ଆଗେଇ ନେଇଛି ଏକ ନୂଆ ରାସ୍ତାରେ | ଯେଉଁଠି କେବଳ ସେ ନୁହନ୍ତି ଆହୁରି ଅନେକ ମଧ୍ୟ ହେଉଛନ୍ତି ଉପକୃତ | ଯୋଗ, ପ୍ରାକୃତିକ ଚିକିତ୍ସା, ଆକ୍ୟୁପ୍ରେସର ପରି ପୁରାତନ ପ୍ରାଚୀନ ଚିକିତ୍ସା, ସେବା ଓ ପଦ୍ଧତି ସହ ନିଜକୁ ଆପଣେଇ ନେଇଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ମମତା | ମମତା ବିଶ୍ୱାଳ |
ଦୀର୍ଘ 12 ବର୍ଷ ତଳେ ସରକାରୀ ଚାକିରୀରେ ଥିବା ସ୍ୱାମୀଙ୍କ ସହକର୍ମୀ ଓ ବନ୍ଧୁ ମାନଙ୍କ ସହ ମିଶି ଗଢ଼ିଥିଲେ ସେବା ଅନୁଷ୍ଠାନ ଶୁଶୃସା | ଯାହାର ଲକ୍ଷ୍ୟ ଥିଲା ସମାଜର ଅବହେଳିତ ଓ ଅସହ୍ୟ ଲୋକ ମାନଙ୍କର ସେବା କରିବା | ତାଙ୍କ ସଭାପତିତ୍ୱରେ ଏହି ଅନୁଷ୍ଠାନ ଗୋଟିଏ ପରେ ଗୋଟିଏ ସେବା କାମ କରିଚାଲିଥିବା ବେଳେ ଜୀବନରେ ଆସିଥିଲା ଏକ ମୋଡ଼ | ଏହାକୁ ନେଇ ମମତା କୁହନ୍ତି, ଜଙ୍ଗଲ ବିଭାଗରେ କାର୍ଯ୍ୟରତ ମୋର ଜଣେ ପରିଚିତ ବଡ଼ ଭାଇ ପ୍ରଥମେ ମୋତେ ଔଷଧୀୟ ବୃକ୍ଷ, ଚାରା ଓ ଏହାର ଉପକାରିତା ଓ ଆଦୃତି ବିଷୟରେ ଜଣାଇଥିଲେ | ପରେ ଏହା ମୋର ଆଗ୍ରହର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିଗଲା | ଔଷଧୀୟ ଚାରା ବିଷୟରେ ଜାଣିବା, ବୁଝିବା ଓ ଗବେଷଣା କରିବା ଏକପ୍ରକାର ନିଶାରେ ପରିଣତ ହେଲା | ଇମେଜ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏକ ବୈଦ୍ୟ ସମ୍ମିଳନୀରେ ମୋତେ ପ୍ରଥମ କରି ଏହି ସମ୍ବନ୍ଧରେ କିଛି କହିବାକୁ ସୁଯୋଗ ମିଳିଲା | ତା ସହ ସେହି ସବୁ ସମ୍ବନ୍ଧୀୟ ବ୍ୟକ୍ତିତ୍ୱ, ବୈଦ୍ୟ ଓ ଅନ୍ୟାନ ଅନୁଷ୍ଠାନର ସଂସ୍ପର୍ଶରେ ଆସିବାରେ ଲାଗିଲି | ଯାହାର ଭବିଷ୍ୟତ ଆପଣ ମାନେ ଦେଖୁଛନ୍ତି ବୋଲି କୁହନ୍ତି ମମତା |
ପରେ ମମତା ନିଜେ ବିଭିନ୍ନ ଔଷଧୀୟ ଚାରା ବିଷୟରେ ଗବେଷଣା କରିବାକୁ ଲାଗିଲେ | ପୌରାଣିକ ତଥା ଆଧ୍ୟାତ୍ମିକତା ସହ ଜଡିତ ଅନେକ ଚାରା, ଗଛ, ଲତା ଇତ୍ୟାଦି ବିଷୟରେ ଜାଣିବାରେ ଆଗ୍ରହ ତଥା ସେସବୁକୁ ଅନ୍ୟକୁ ଜଣେଇବାରେ ଯେଉଁ ଖୁସି ମିଳୁଥିଲା ସେଥିପାଇଁ ଆଉ ପଛକୁ ଫେରି ଚାହିଁନଥିଲେ ସେ | ଅନେକ ସ୍ଥାନରେ ହୋଇଥିବା ବୈଦ୍ୟ ସମ୍ମିଳନୀରେ ସିଧାସଳଖ ଲୋକଙ୍କ ସହ ଏବିଷୟରେ ଆଲୋଚନା କରିବା ପାଇଁ ସୁଯୋଗ ମିଳିଲା ଯାହା ତାଙ୍କ ଆତ୍ମବିସ୍ୱାଶକୁ ବହୁଗୁଣରେ ବଢ଼ାଇ ଥିଲା |
ପୁରୀର ଏକ ଟ୍ରେନିଂ ପ୍ରୋଗ୍ରାମ, କେନ୍ଦୁଝର ଚମ୍ପୁଆ ଠାରେ ନିକୋଲସନ ହାଇସ୍କୁଲରେ ତିନି ଦିନି ଧରି ଏକ ଟ୍ରେନିଂ ପ୍ରୋଗ୍ରାମ ପରେ ଏହାକୁ ନେଇ ବ୍ୟାପକ କାର୍ଯ୍ୟକ୍ରମ କରିବାପାଇଁ ନିଷ୍ପତ୍ତି ନେଲେ ମମତା | ଯୋଗ, ଆକ୍ୟୁପ୍ରେସର ଓ ପ୍ରାକୃତିକ ଚିକିତ୍ସା ସହ ଅନେକ ଦିନରୁ ଜଡିତ ଥିବା ହେତୁ ତାଙ୍କୁ ଆହୁରି ସହଜ ହୋଇଥିଲା ଔଷଧୀୟ ଚାରା ବିଷୟରେ ଅଧିକ ଆଗକୁ ବଢିବା ପାଇଁ | ଘରୋଇ ଚିକିତ୍ସା କ୍ଷେତ୍ରରେ ଔଷଧୀୟ ଚାରାର ସଫଳ ପ୍ରୟୋଗ ତାଙ୍କୁ କରିଥିଲା ଅଧିକ ଉତ୍ସାହିତ |
ଓଡିଶା ସ୍ୱାସ୍ଥ୍ୟ ସେବା ସଂଘ ଟ୍ରେନିଂ ଓ ଭାରତ ଯୋଗ ସଂସ୍ଥା ତରଫରୁ ମମତାଙ୍କୁ ସୁଯୋଗ ମିଳିଥିଲା ଯୋଗ ଶିଖାଇବାକୁ | ଯାହାକୁ ସେ ସଫଳତାର ସହ ସମ୍ପନ୍ନ କରିଥିଲେ | ଏବେ ମଧ୍ୟ ଭୁବନେଶ୍ୱର କେଶରୀ ଫିଲ୍ମ ହଲର ପଛପଟେ ଥିବା ଭୁବନେଶ୍ୱରୀ ମନ୍ଦିର ହଲରେ ଲୋକମାନଙ୍କୁ ନିଶୁକ୍ଲ ଶିକ୍ଷା ଦେଇ ଆସୁଛନ୍ତି ମମତା | ଯୋଗ, ଆକ୍ୟୁପ୍ରେସର ଓ ପ୍ରାକୃତିକ ଚିକିତ୍ସା ସହ ଅନ୍ୟାନ ତାଲିମ ମଧ୍ୟ ଦିଆଯାଉଛି ଏଠାରେ |
କିପରି ଗଢିଉଠିଲା ଦିବ୍ୟଦିଗନ୍ତ ?
ଏ ପ୍ରଶ୍ନରେ ଟିକେ ହସି ମମତା କୁହନ୍ତି, ନିଜର ଇଚ୍ଛା ଶକ୍ତି ଥିଲା କି ଯେଉଁଠୁ ଏତେ ସବୁ କାମ କରୁଛୁ ତେବେ ଏପରି ଏକ ସଂସ୍ଥା ଗଢି ଉଠୁ ଯାହା କେବଳ ସମାଜ ପାଇଁ ଲୋକମାନଙ୍କ ପାଇଁ କିଛି କରିବ | କିଛି ବର୍ଷ ହେବ ବାରମ୍ବାର ପ୍ରାକୃତିକ ବିପର୍ଯୟରେ ବହୁ ଗଛ ନଷ୍ଟ ହୋଇଯାଇଥିଲା ଏବଂ କୋଭିଡ ସମୟରେ ପ୍ରାୟ ଲୋକ ତୁଳସୀ ଠାରୁ ଆରମ୍ଭ କରି ପ୍ରାକୃତିକ ଚିକିତ୍ସା ଉପରେ ନିର୍ଭରଶୀଳ ହେବାରେ ଲାଗିଲେ | ତୁଳସୀ, ଜୁଆଣି, ଅଦା, ପୋଦିନା ଇତ୍ୟାଦିର କାଢା ପ୍ରସ୍ତୁତ କରି ଲୋକମାନେ ସେବନ କରୁଥିଲେ | ଯାହା ପରବର୍ତ୍ତୀ ସମୟରେ ସେମାନଙ୍କର ଆଗ୍ରହ ପରିସରକୁ ଆସିଲା | ଏଇ ସବୁ ଦେଖୀ ଔଷଧୀୟ ବୃକ୍ଷ ଓ ସମ୍ବନ୍ଧୀୟ ଚିକିତ୍ସା ପାଇଁ କିଛି କରିବାକୁ ଇଚ୍ଛା ଥିଲା | ଯାହା ଲୋକମାନଙ୍କ କାମରେ ଆସିବ, ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇବ | ଯାହା କି ଗାଁ ରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ସୁବିଧାରେ ଲୋକଙ୍କୁ ମିଳିପାରୁଥିବ | ସେହି ସମୟରେ ପୁରୀରେ ଅନୁଷ୍ଠିତ ହେଉଥିବା ଦେବ ଦୀପାବଳି ବେଳେ ଦିବ୍ୟଦିଗନ୍ତର ଅନ୍ୟତମ ସହଯୋଗୀ ଜୟ ପ୍ରକାଶ ମିଶ୍ରଙ୍କ ସହ ଏ ବିଷୟରେ ଆଲୋଚନା ହୋଇଥିଲା | ଜୟ ପ୍ରକାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ସହଯୋଗ ଫଳରେ 2019ରେ ପଞ୍ଜିକରଣ ହୋଇ ଜନ୍ମ ନେଲା ଦିବ୍ୟଦିଗନ୍ତ ଅନୁଷ୍ଠାନ | ହେଲେ ଏହାର ବହୁତ ପୂର୍ବରୁ ଆମେ ଏହା ଉପରେ କାମ କରିଆସୁଥିଲୁ | ବର୍ତ୍ତମାନ ଦିବ୍ୟଦଗନ୍ତ ଦୀର୍ଘ ଦିନ ହେବ କାମ କରି ଆସୁଅଛି | ତିନି ବର୍ଷ ହେବ ଭୁବନେଶ୍ୱରରେ ଔଷଧୀୟ ବୃକ୍ଷ ପ୍ରଦର୍ଶନୀ ଆୟୋଜନ କରିଆସୁଛୁ | ଏହା ଦ୍ୱାରା ସହରୀ ଜୀବନରେ ପ୍ରାକୃତିକ ଚିକିତ୍ସା, ଔଷଧୀୟ ବୃକ୍ଷ ତଥା ପାରମ୍ପରିକ ଜୀବନ ବିଷୟରେ ତଥ୍ୟ,ମ ସୂଚନା ସହ ସଚେତନତା ବୃଦ୍ଧି ପାଇବାରେ ଲାଗିଛି | କୁନି କୁନି ପିଲାମାନଙ୍କୁ ଏବିଷୟରେ ଯୋଡିବା ପାଇଁ ସ୍କୁଲ କଲେଜରେ ମଧ୍ୟ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି | ରାଜ୍ୟ ଔଷଧୀୟ ବୃକ୍ଷ ବୋର୍ଡ ଏବଂ ଅନ୍ୟ ସରକାରୀ ଅନୁଷ୍ଠାନ ମାନେ ମଧ୍ୟ ଆଗ୍ରହ ପ୍ରକାଶ କରି ସହଯୋଗ କରିଆସୁଛନ୍ତି | ଆଗାମୀ ଦିନରେ ଏହାକୁ ଅଧିକରୁ ଅଧିକ ବ୍ୟାପକ କରିବା ପାଇଁ ଆମେ ଉଦ୍ୟମରତ |
ଏହା ବାଦ ମଧ୍ୟ ମମତା ଭବିଷ୍ୟତ ଯୋଜନାରେ ଲାଗିପଡିଛନ୍ତି | ବିଭିନ୍ନ ସ୍ଥାନରେ ଅଳ୍ପ କିଛି ବୈଦ୍ୟ ମାନଙ୍କୁ ନେଇ ଟ୍ରେନିଂ ପ୍ରୋଗ୍ରାମ ହେଉ କିମ୍ବା ସଚେତନତା କାର୍ଯ୍ୟକ୍ରମ ହେଉ ଆୟୋଜନ କରୁଛନ୍ତି | ଗତ କିଛି ବର୍ଷ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ପ୍ରାକୃତିକ ଚିକିତ୍ସା ପଦ୍ଧତ୍ତି , ଔଷଧୀୟ ଚାରା ଓ ଏହାର ସୁଗୁଣ ତଥା ପାରମ୍ପରିକ ଜୀବନ ଶୈଳୀ ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି | ଯାହାକୁ ଏକ ସୁସ୍ଥ ବାତାବରଣ ଏବଂ ଲୋକାଭିମୁଖୀ ପ୍ରକ୍ରିୟା ମଧ୍ୟରେ ବ୍ୟାପକ କରିବାକୁ ଚାହୁଁଥିବା କୁହନ୍ତି ମମତା | କାରଣ ପ୍ରକୃତି ମନସ୍କ ଜୀବନ ହିଁ ଆତ୍ମସନ୍ତୋଷ ସହ ଶାନ୍ତିର ଏକ ମାଧ୍ୟମ |