ଆଜି ବିଶ୍ୱ ମାତୃଭାଷା ଦିବସ
ଆଜି ବିଶ୍ୱ ମାତୃଭାଷାଦିବସ | ଓଡ଼ିଆ ଭାଇଭଉଣୀ ମାନଙ୍କୁ ଆଉଥରେ ମନେ ପକେଇ ଦେବା ଉଚିତ ହେବ ଯେ ଭାଷା ଭିତ୍ତିକ ରାଜ୍ୟ ଭାବରେ ଓଡିଶା ରାଜ୍ୟ ପ୍ରଥମେ ଆତ୍ମ ପ୍ରକାଶ କରିଥିଲା | ଏହାରି ମୂଳରେ ମଧୁସୂଦନ, ଗୋପବନ୍ଧୁ, ପାରଳା ମହାରାଜା କୃଷ୍ଣ ଚନ୍ଦ୍ରଗଜପତି, ନୀଳମଣି ବିଦ୍ୟାରତ୍ନ, ବ୍ୟାସ କବି ଫକୀର ମୋହନ ସେନାପତି ଓ ଅନ୍ୟ ଅନେକ ଯୋଗଜନ୍ମା ମନୀଷୀ ମାନଙ୍କର ତ୍ୟାଗ ନିହିତ ଥିଲା | ସେଇ କଷ୍ଟ ଲବ୍ଧ ଓଡିଶା ତଥା ଓଡ଼ିଆ ଭାଷାର ଦଶା ଆପଣଙ୍କ ସାମନାରେ | ଜଣାପଡେ ସତେ ଯେମିତି ଆମେ 30 ବର୍ଷ ତଳକୁ ଚାଲିଯାଇଛେ | ଏହି ଦିବସ ଆସିଲେ ଅନେକ ସଂଗଠନ ଦିବସକୁ ଯାକ ଯମକ ରେ ପାଳନ କରିବାକୁ ଆଗେଇ ଆସନ୍ତି | ଭାଷଣରେ ଭାଷା ଓ ସୀମା ସୁରକ୍ଷାର ବଜ୍ର ଶପଥ ନିଆଯାଏ | ପ୍ରତି ବର୍ଷ ଏହା ହୁଏ ଗତାନୁଗତିକ ଧାରାରେ | ସତରେ ଯଦି ସବୁ ସଂଗଠନ ଭୀଷ୍ମଙ୍କ ପରି ଶପଥ କାର୍ଯ୍ୟକାରି କରିଥାନ୍ତେ | ତେବେ ଆଜି ଅବସ୍ଥା ଏମିତି ନ ଥାନ୍ତା | କୋଉଠି ନା କୋଉଠି ନିଜକୁ ଦେଖେଇ ହବାର, ଲୋଭ ରହିଯାଉଛି |ଏଣୁ କାର୍ଯ୍ୟକ୍ରମ ସଫଳ ହେଉନାହିଁ |ଏତେ ସଂଗଠନ ଯଦି ଗୋଟିଏ ସ୍ୱରରେ ସାରା ପ୍ରଦେଶରେ ଭାଷା ଓ ସୀମା ସୁରକ୍ଷା ଅଭିଯାନ ଚାଲୁ ରଖନ୍ତେ ତେବେ ଅବସ୍ଥା ସୁଧୁରି ଯାନ୍ତା | ସମସ୍ତଙ୍କୁ ଅନୁରୋଧ ଟିକେ ଅନ୍ତର ଭିତରେ ଚିନ୍ତା କରନ୍ତୁ, ପ୍ରତିବର୍ଷ ବଜେଟରେ ବିକାଶ ପାଇଁ ଅର୍ଥ ବ୍ୟବସ୍ଥା ହୁଏ, ଓ ସେହି ଅର୍ଥ ସତରେ କାର୍ଯ୍ୟରେ ଲାଗିଲେ ଗୋଟିଏ ବର୍ଷରେ ଗରୀବ ଶବ୍ଦ ଉଚ୍ଚାରଣ ହେଉନଥାନ୍ତା | ଦେଶ ରାଜ୍ୟ ସବୁଥିରେ ଆତ୍ମ ନିର୍ଭର ହୋଇଥାନ୍ତା | ମାତ୍ର ତାହା ହୋଇନି | ଆମ ଭାଷା, ସାହିତ୍ୟ, ସଂସ୍କୃତି ଅବହେଳିତ | ଏବେ ଶାସନ ବଦଳିଛି | ନୂଆ ସରକାର ଓଡ଼ିଆ ଭାଷା ସୁରକ୍ଷା କଥା, ଓଡ଼ିଆ ଅସ୍ମିତା କଥା କହି ଶାସନକୁ ଆସିଲେ | ମାତ୍ର ଓଡ଼ିଆ ଭାଷା ଆଇନ କାର୍ଯ୍ୟକାରୀ କରିନାହାନ୍ତି | କେବେ କରିବ ତାହା ଭବିଷ୍ୟତ କହିବ | ନୂଆ ବୋତଲରେ ପୁରୁଣା ମଦ ଭଳି ଶାସନ ଲାଗୁଛି | ତେବେ ଅପେକ୍ଷା କରିବା ଏ ସରକାର କେବେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଆଇନଗତ ପଦକ୍ଷେପ ନେଉଛନ୍ତି, ଭାଷା ବିଦ୍ବେଷ କାରୀଙ୍କ ପାଇଁ ଦଣ୍ଡ ବିଧାନ କରୁଛନ୍ତି | ତେବେ କିଛି ପରିବର୍ତ୍ତନ ନ ହୋଇ ଏହି ଧାରା ଚାଲିଲେ ଆମେ ଆଉ କିଛି ବର୍ଷ ପରେ ଦେଖିବା ଓଡିଶା ଭୂଖଣ୍ଡ ଥିବ, ଜଣେ ଓଡ଼ିଆ ନ ଥିବେ | ସମୟର ଆବଶ୍ୟକତାକୁ ଦେଖି ସୃଷ୍ଟି ହେଇଥିବା ସଙ୍କଟରୁ ଆମ ଭାଷାର ସୁରକ୍ଷା ପାଇଁ ଆମକୁ ଦୃଢ଼ ସ୍ୱର ଉତ୍ତୋଳନ କରିବାକୁ ହେବ | ଓଡ଼ିଆ ଭାଷା ସରକାରୀ କାର୍ଯ୍ୟାଳୟର ଭାଷା ନ ହେଲେ ଏ ଭାଷା ବଞ୍ଚିବନି | ଏବେ ସରକାର ଆଦର୍ଶ ବିଦ୍ୟାଳୟ ସବୁ ସ୍ଥାପନ କରି ଓଡ଼ିଆ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ସବୁକୁ କବର ଦେବାରେ ଲାଗିଛନ୍ତି | ତାର ବିରୋଧ ହେବା ଦରକାର | ଆଉ ସେଇ ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ଭାଷାକୁ ବାଧ୍ୟତା ମୂଳକ କରାଯିବାର ଆବଶ୍ୟକତା ରହିଛି | ସରକାରଙ୍କ ସାକ୍ଷୀଗୋପାଳ ଠାରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପ୍ରସ୍ତାବ କେବେ ବାସ୍ତବ ରୂପ ନେବ ଦେଖିବାର କଥା | ସରକାରଙ୍କୁ ଅନୁରୋଧ ଆମ ମାତୃଭାଷା ଓଡ଼ିଆ | ଏହାକୁ କୃତି ଓ ବୃତ୍ତିର ଭାଷା କରନ୍ତୁ | ଭାଷା ଆଇନ ସଂଶୋଧନ ଯଥାଶୀଘ୍ର କରି ଓଡ଼ିଆ ଭାଷାକୁ ଯଥା ମର୍ଯ୍ୟାଦା ପ୍ରଦାନ କରନ୍ତୁ | ଓଡ଼ିଆ ଜାତୀୟ ସମ୍ମିଳନୀ ଭାଷାଦିବସରେ ସରକାରଙ୍କୁ ଭାଷା ଆଇନ ସଂଶୋଧନ ପୂର୍ବକ ଆମ ଭାଷାକୁ ଶାସନର ଭାଷା କରିବାକୁ ଆଉଥରେ ଅନୁରୋଧ କରୁଛି | ଭାଷା, ସଂସ୍କୃତି ପାଇଁ କାର୍ଯ୍ୟ କରୁଥିବା ସମସ୍ତ ସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ବିନମ୍ର ନିବେଦନ ସମସ୍ତେ ଏକସଙ୍ଗେ ଭାଷା ବିରୋଧୀଙ୍କୁ ଉଚିତ ଜବାବ ଦେବାକୁ ଆଗେଇ ଆସନ୍ତୁ | ଓଡ଼ିଆ ଜାତୀୟ ସମ୍ମିଳନୀ ଏ ଦିଗରେ ସମସ୍ତଙ୍କୁ ସକ୍ରିୟ ସହଯୋଗ ପ୍ରଦାନ କରିବ |
ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ