ବିକଶିତ ପଞ୍ଚାୟତ ହ୍ୱାଟସଆପ୍ ଚାଟବଟ୍ ଓ ସ୍ୱତନ୍ତ୍ର ଇ-ଲର୍ନିଂ ମଡ୍ୟୁଲ ଉନ୍ମୋଚିତ

ଭୁବନେଶ୍ୱର: ‌ଦେଶ ବ୍ୟାପୀ ‘ସାଧନା ସପ୍ତାହ’ ଅଭିଯାନ ପାଳିତ ହେଉଛି। ଏହି ଅବସରରେ ଆଜି ଭୁବନେଶ୍ବର କୃଷିଭବନ ଠାରେ “ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା‘ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାସହ ବିକଶିତ ପଞ୍ଚାୟତ ହ୍ୱାଟସଆପ୍ ଚାଟବଟ୍ ଓ ସ୍ୱତନ୍ତ୍ର ଇ-ଲର୍ନିଂ ମଡ୍ୟୁଲ ଉନ୍ମୋଚିତ ହୋଇଛି।

କ୍ୟାପାସିଟି ବିଲ୍‌ଡିଂ କମିସନ (ସିବିସି), କର୍ମଚାରୀ ଚୟନ ଓ ପ୍ରଶିକ୍ଷଣ ବିଭାଗ, କର୍ମଯୋଗୀ ଭାରତ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ‘ପ୍ରଯୁକ୍ତିବିଦ୍ୟା, ପରମ୍ପରା ଏବଂ ବାସ୍ତବ ପରିଣାମ’ ଆଧାରରେ ତୃଣମୂଳସ୍ତରର ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ, ମୁଖ୍ୟ ଅତିଥି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ କହିଛନ୍ତି,, ସାମଗ୍ରିକ ଓ ସ୍ଥାୟୀ ବିକାଶ ପାଇଁ ଶକ୍ତିଶାଳୀ ପଞ୍ଚାୟତ ହେଉଛି ମୂଳଦୁଆ। ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ସଶକ୍ତ କରିବା ପାଇଁ ନିରନ୍ତର ଓ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଛି। କର୍ମଯୋଗୀ ସରକାରୀ ଅଧିକାରୀଙ୍କ ସହାୟତାରେ ପଞ୍ଚାୟତସ୍ତରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ତାଙ୍କ ସରକାର ସଙ୍କଳ୍ପବଦ୍ଧ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ, ଦକ୍ଷତା ବିକାଶ କମିସନର ସଦସ୍ୟ (ଏଚଆର) ଡ ଆର୍‌ ବାଲାସୁବ୍ରମଣ୍ୟମ, କରିଥିଲେ। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାଜେଶ କୁମାର ସିଂ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିସନର-ତଥା -ସଚିବ ଗିରିଶ ଏସ୍.ଏନ୍, ଏସ୍‌ଆଇଆର୍‌ଡି ନିର୍ଦ୍ଦେଶିକା ମଧୁସ୍ମିତା ସାମଲଙ୍କ ସହ ଓଡ଼ିଶା ପଞ୍ଚାୟତିରାଜ ବିଭାଗର ଅନ୍ୟାନ୍ୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ।

ସ୍ୱତନ୍ତ୍ର ଇ-ଲର୍ନିଂ ମଡ୍ୟୁଲ, ଆଇଗଟ କର୍ମଯୋଗୀ ପ୍ଲାଟଫର୍ମ ମାଧ୍ୟମରେ ଏହି ସୁବିଧା ଉପଲବ୍ଧ ହେବ, ଯାହା ଗ୍ରାମପଞ୍ଚାୟତ ପ୍ରତିନିଧିମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଏବଂ ସମସ୍ୟାର ତୁରନ୍ତ ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ। ଏହି ଅଭିଯାନ ଅଧୀନରେ ଓଡ଼ିଶାର କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ୍‌ ଓ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଗ୍ରାମ ପଞ୍ଚାୟତଗୁଡ଼ିକୁ ପାଇଲଟ ପ୍ରକଳ୍ପ ଭାବେ ଚୟନ କରାଯାଇଛି। ଦେଶର ମୋଟ ୬୦ଟି ପଞ୍ଚାୟତରେ ଚାଲିଥିବା ଏହି ପାଇଲଟ ପ୍ରକଳ୍ପ ମାଧ୍ୟମରେ ତୃଣମୂଳସ୍ତରରେ ଡିଜିଟାଲ ଶିକ୍ଷା, ଗ୍ରାମସଭାରେ ସକ୍ରିୟ ଅଂଶଗ୍ରହଣ ଏବଂ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ବିକାଶ ମୂଳକ ଯୋଜନା ପ୍ରସ୍ତୁତ କରାଯାଉଛି।

Leave a Reply

Your email address will not be published. Required fields are marked *