ପବିତ୍ର ମହାଶିବରାତ୍ରି
”ଚୁଡୋତ୍ତ°ସିଂହ ଚନ୍ଦ୍ରଚାରୁ କଳିକା ଚଞ୍ଚଛିଖାଭାସ୍ଵରେ,
ଲୀଳା ଦଗ୍ଧ ଵିଲୋଳ କାମ ଶଲଭଃଶ୍ରେୟେ ଦଶାଗ୍ରେସୁରନ୍,
ଅନ୍ତଃ ସ୍ଫୁର୍ଜଦପାର ମୋହତିମିର ପ୍ରାଗ୍ଭାର ମୁଚ୍ଚାଟୟ°,
ଶ୍ଲେତସ୍ ପଦ୍ମନି ଯୋଗୀନା°ବିଜୟତେ ଜ୍ଞାନପ୍ରଦୀପୋ ହରଃ” ||
ଯାହାଙ୍କର ଶିରୋଦେଶରେ ଅଗ୍ନି ଶିଖା ସଦୃଶ ମନୋରମ ଚନ୍ଦ୍ରକଳା ଶୋଭାପାଏ, ଯାହାଙ୍କର ପ୍ରଖର ତେଜରେ ମଦନ ପତଙ୍ଗ ପରି ଜଳିଯାଏ, ସେହି ଜ୍ଞାନ ରୂପକ ପ୍ରଦୀପ, ଯୋଗୀମାନଙ୍କର ହୃଦୟ ନିବାସୀ ମହାଦେବ ମୋର ହୃଦୟରେ ଥିବା ପୁଞ୍ଜିଭୂତ ମୋହ ଅନ୍ଧକାରକୁ ଦୂରକରନ୍ତୁ ||🙏🙏
ମହାଶିବରାତ୍ରି ହିନ୍ଦୁ ମାନଙ୍କର ଅନ୍ୟ ଏକ ମହାନ ପର୍ବ | ଅନେକ ପର୍ବ ଦିନରେ ପାଳିତ ହେଉଥିଲା ବେଳେ ଏହି ପର୍ବର ନାଁ ରୁ ସୂଚିତ ହୁଏ ଯେ ଏହା ରାତିରେ ପାଳିତ ହୁଏ | ଯୋଗେଶ୍ୱର ଶିବଙ୍କର ଏହି ମହାନ ପର୍ବ ଭାରତ ଛଡା ନେପାଳ, ପାକିସ୍ତାନ, ମରିସସ, ଚାଇନା, ଜାପାନ, ଆମେରିକା, ଇଂଲଣ୍ଡ,ଆଫ୍ରିକାର ଅନେକ ଦେଶରେ ବାସ କରୁଥିବା ହିନ୍ଦୁ, ସମ୍ପ୍ରଦାୟର ଲୋକେ ମହାଆନନ୍ଦରେ ପାଳନ କରନ୍ତି |
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ପ୍ରତି ମାସର ଅମାବାସ୍ୟା ପୂର୍ବରୁ ଶିବରାତ୍ରୀ ଶିବ ଚତୁର୍ଦଶୀ ନାମରେ ପାଳିତ ହୁଏ |ଏହିଦିନ ଭକ୍ତ ମାନେ ମନ୍ଦିରରେ ଶିବଙ୍କ ଦର୍ଶନ କରି ବେଢା ପରିକ୍ରମା କରି ସେମାନଙ୍କର ଭକ୍ତି ନୈବେଦ୍ୟ ଅର୍ପଣ କରନ୍ତି | ରୌଦ୍ର ସନ୍ୟାସୀଙ୍କ ଆବିର୍ଭାବ ପୂର୍ବରୁ ଫାଲଗୁନ ଚତୁର୍ଦଶୀରେ ଏହା ବର୍ଷରେ ଥରେ ପାଳିତ ହୁଏ | ଏହା ନଟରାଜ ଯୋଗେଶ୍ୱର ଶିବଙ୍କର ପବିତ୍ର ତାଣ୍ଡବ ନୃତ୍ୟର ଦିନ |
ପାଳନର ଉଦ୍ଦେଶ୍ୟ
ଶିବରାତ୍ରି ଉପରେ ସ୍କନ୍ଦ ପୁରାଣ, ଲିଙ୍ଗ ପୁରାଣ, ପଦ୍ମ ପୁରାଣରେ ବର୍ଣ୍ଣନା ରହିଛି |ବିଶ୍ୱାସ କରାଯାଏ ଯେ ସମୁଦ୍ର ମନ୍ଥନ ସମୟରେ ଶେଷରେ ଯେଉଁ ହଳାହଳ ବିଷ ବାହାରିଲା ତାହା ଜଗତର ଧ୍ବଂସ ପାଇଁ ଯଥେଷ୍ଟ ଥିଲା |ତେଵେ ଜଗତର କଲ୍ୟାଣ ପାଇଁ ସେଇ ବିଷକୁ ଶିବ ପାନ କରି ଜଗତକୁ ଧ୍ବଂସରୁ ରକ୍ଷା କରିଥିଲେ |ସେଇ ଉତ୍କଟ ବିଷ ପ୍ରଭାବରେ ତାଙ୍କ କଣ୍ଠ ନୀଳ ବର୍ଣ୍ଣ ଧାରଣ କଲା ଓ ସେ ନୀଳକଣ୍ଠ ନାମରେ ପ୍ରସିଦ୍ଧ ହେଲେ | ସେହି ସମୟରେ ସେ ତାଣ୍ଡବ ନୃତ୍ୟ କରିଥିଲେ | ଆଉ ଏକ କିମ୍ବଦନ୍ତୀ ଅନୁସାରେ ଦକ୍ଷ ଯଜ୍ଞରେ ଶିବଙ୍କ ଅପମାନ ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ଆତ୍ମାହୁତି ଦେଇଥିଲେ |ସତୀଙ୍କ ବିଛେଦ ସହି ନ ପାରି ଶିବ ରୁଦ୍ର ଭୈରବ ରୂପ ଧାରଣ କରି ଦକ୍ଷଙ୍କ ଶିର ଛେଦ କରି ରାତିସାରା ତାଣ୍ଡବ ନୃତ୍ୟ କରିଥିଲେ | ଅବଶ୍ୟ ସୃଷ୍ଟି ରକ୍ଷା ପାଇଁ ବିଷ୍ଣୁଙ୍କ ଆଶୀର୍ବାଦରୁ ଛାଗ ମୁଣ୍ଡଲଗାଯାଇ ଦକ୍ଷଙ୍କୁ ଜୀବନ୍ୟାସ ଦିଆଯାଇଥିଲା | ସେହି ଦିନଠାରୁ ଏହି ଉତ୍ସବ ପାଳିତ ହୋଇ ଆସୁଛି ବୋଲି ବିଶ୍ୱାସ ରହିଛି | ଏହିପରି ଅନେକ ଗାଥା, କଥା ରେ ଏ ଉତ୍ସବ ପାଳନ ବିଷୟରେ ଆମ ସଂସ୍କୃତି ରସାଳ |ସେ ଯାହା ହେଉ ସୃଷ୍ଟି ପାଳନ, ରକ୍ଷଣ ଓ ସଂହାରର ବାର୍ତ୍ତା ପ୍ରଭୁ ଶିବ ତାଣ୍ଡବନୃତ୍ୟ ମାଧ୍ୟମରେ ପ୍ରକାଶ କରିଥାନ୍ତି | ଶିବ କିଏ? ଶିବଙ୍କର ଅନ୍ୟନାମ ସ୍ୱୟଂମ୍ଭୁ |ସେ ନିଜେ ନିଜକୁ ସୃଷ୍ଟି କରିଛନ୍ତି |ସେଥିପାଇଁ ସେ ଆଦିଦେବ ନାମରେ ଖ୍ୟାତ | ନୃତ୍ୟ, ସଙ୍ଗୀତର ଗୁରୁ ସେ, ସେଥିପାଇଁ ସେ ନଟରାଜ,ଆଉ ମଧ୍ୟ ଅଳ୍ପରେ ଓ ଶୀଘ୍ର ଭକ୍ତ ଡାକରେ ସନ୍ତୁଷ୍ଟ ହେଉଥିବାରୁ ସେ ହେଉଛନ୍ତି ଆଶୁତୋଷ | ଏହିପରି ଶତାଧିକ ବିଶେଷଣରେ ଭୂଷିତ ସେ |
ପ୍ରଥମ ଶିବରାତ୍ରି ପାଳନ
ଏହି ଦିବସକୁ ଉତ୍ସବ ଭାବେ ଈଶ୍ୱରୀ ସେନ ନାମରେ ମଣ୍ଡି ରାଜ୍ୟର ରାଜା ପ୍ରଥମେ ପାଳନ କରିଥିଲେ ବୋଲି ଇତିହାସରୁ ଜଣାଯାଏ | 1792ଖ୍ରୀଷ୍ଟାବ୍ଦରେ କାଙ୍ଗ୍ରା,ପଞ୍ଜାବର ରାଜା ସଂସାର ଚାନ୍ଦଙ୍କ ହାତରେ ଈଶ୍ୱରୀ ସେନ ପରାଜୟ ସ୍ୱୀକାର କରି 12ବର୍ଷ ବନ୍ଦି ଜୀଵନ କାଟିଥିଲେ| ପରେ ଗୁର୍ଖାମାନେ ସଂସାର ଚାନ୍ଦଙ୍କୁ ପରାସ୍ତ କରି କାଙ୍ଗ୍ରା ଓ ମଣ୍ଡି ଅଧିକାର କରି ଈଶ୍ୱରୀ ସେନଙ୍କୁ ମୁକ୍ତ କଲେ ଓ ତାଙ୍କ ରାଜ୍ୟ ଫେରସ୍ତ କଲେ |ପ୍ରଭୁ ଶିବଙ୍କର ଅପାର କରୁଣାରୁ ଏସବୁ ସମ୍ଭବ ହେଲା ବୋଲି ମନେକରି ସେ ମହାସମାରୋହରେ ମହାଶିବରାତ୍ରୀ ବ୍ରତ ପାଳନ କରିଥିଲେ |
ଅନ୍ୟାନ୍ୟ ସ୍ଥାନରେ ପାଳନ, ତାମିଲନାଡୁର annamalayiyar ମନ୍ଦିର, କନ୍ୟାକୁମାରୀରେ ଥିବା 12ଟି ଶିବ ମନ୍ଦିର,ବାରଣାସୀ ସୋମନାଥ ଓ ଭାରତର ସବୁ ରାଜ୍ୟର ଶିବାଳୟମାନଙ୍କରେ ଏହି ପର୍ବ ମହାସମାରୋହରେ ପାଳିତ ହୁଏ | ପାକିସ୍ତାନର କରାଚିରେ ଥିବା ଶ୍ରୀ ରତ୍ନେଶ୍ୱର ମହାଦେବ ମନ୍ଦିର,ନେପାଳସ୍ଥ ପଶୁପତିନାଥ ମନ୍ଦିରରେ ଏହିପର୍ବ ଆନନ୍ଦ ଉଲ୍ଲାସର ସହ ପାଳିତ ହୁଏ ଭାରତ ବାହାରେ ପ୍ରାୟ 400ରୁ ଅଧିକ ମନ୍ଦିରରେ ଏହା ପାଳିତ ହୁଏ | ମରିସସ, ଆମେରିକା, ଇଂଲଣ୍ଡ, ଚୀନ, ଜାପାନ, indo-caribean, ର ହିନ୍ଦୁ ମାନେ ରାତିରେ ଉଜାଗର ରହି ଏ ବ୍ରତ ପାଳନ କରନ୍ତି |
ପୂଜାଵିଧି ଓଡିଶାରେ ଏହା ଜାଗର ଯାତ୍ରା ନାମରେ ବିଦିତ | ପୁରୀର ଲୋକନାଥ ମନ୍ଦିର, ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଶ୍ରୀଲିଙ୍ଗରାଜ ଙ୍କ ମନ୍ଦିର ତଥା ଅନ୍ୟ ଶୈବ କ୍ଷେତ୍ରରେ ଜାଗର ଯାତ୍ରା ଵିଧି ପୂର୍ବକ ପାଳିତ ହୁଏ |ଶ୍ରଦ୍ଧାଳୁ ମାନେ ଦିନରେ ଉପବାସରେ ରହି ସନ୍ଧ୍ୟାରେ ଶିବାଳୟ ମାନଙ୍କରେ ଦୀପ ଜଳାନ୍ତି | ମହାଦୀପ ମନ୍ଦିର ଶିଖରରେ ସ୍ଥାପନ କରାଯାଏ ଓ ଭକ୍ତ ମାନେ ଏହା ଦର୍ଶନ କରି ଶିବଙ୍କ ଉଦ୍ଦେଶ୍ୟରେ ଭକ୍ତି ନୈବେଦ୍ୟ ଅର୍ପଣ କରନ୍ତି | ଶିବଙ୍କ ପ୍ରିୟ ଧାତୁରା ଫୁଲ, ବେଲପତ୍ର, କନିଅର, ଗେଣ୍ଡୁ, ଅରଖ, ପଦ୍ମ, କଇଁ ଆଦି ଫୁଲ ଶିବଙ୍କୁ ଅର୍ପଣ ଜରନ୍ତି | ତେଵେ ଚମ୍ପା ଓ କେତକୀ ଫୁଲ ଅଭିଶାପପାଇଥିବାରୁ ଶିବଙ୍କ ପୂଜାରେ ଲାଗନ୍ତି ନାହିଁ |ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ, ଖିରି, ଖେଚୁଡ଼ି, ବରକୋଳି, ଓ ଅନ୍ୟ ଫଳ ଶିବଙ୍କ ପାଖରେ ନୈବେଦ୍ୟ ହୁଏ |ସବୁରି କଣ୍ଠରୁ ନିସୃତ ହୁଏ “ଓଁ ନମୋ ଶିବାୟ “ଧ୍ୱନି, ଯାହା ପରିବେଶକୁ ଅମୃତମୟ କରେ |
ଏହିଦିନ କୁମାରୀମାନେ ସ୍ବର୍ଣ୍ଣ ଗୌରୀ ବ୍ରତ ପାଳନ କରନ୍ତି, ଉଦ୍ଦେଶ୍ୟ ସୁନ୍ଦର ବରପ୍ରାପ୍ତି |ବିବାହିତା ମହିଳାମାନେ ଏହି ବ୍ରତ ପାଳନ କରନ୍ତି ସୁନ୍ଦର ଦାମ୍ପତ୍ୟ ଜୀଵନ ପାଇଁ |
ତେବେ ଏହା ସତ୍ୟ ଯେ ମହାଶିବରାତ୍ରି ଉତ୍ସବ ଜନଜୀବନର ପର୍ବ | ଏହା ପରସ୍ପର ମଧ୍ୟରେ ଭାତୃଭାବ, ସ୍ନେହ ସଂପ୍ରିତି ବୃଦ୍ଧିରେ ସହାୟକ ହୁଏ |🙏🙏
ଓଁ ନମୋ ଶିବାୟ 🙏🙏
ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ, ଓ ସଭାପତି, AUBI, ନୟାଗଡ