ପ୍ରକାଶ ପାଇଲା ଜେଇଇ ମେନ୍‌-୨ ଫଳ: ଓଡ଼ିଆ ପୁଅ ଓମ୍‌ପ୍ରକାଶ ବେହେରା ଦେଶରେ ପ୍ରଥମ

ଭୁବନେଶ୍ବର: ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ଜେଇଇ ମେନ୍‌ ସେସନ୍‌- ୨ ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷା ଲାଗି ସାରା ଦେଶ‌ରେ ୧୦ଲକ୍ଷ ୬୧ ହଜାର ୮୪୦ଜଣ ପଞ୍ଜୀକରଣ କରିଥିଲେ। ୯ଲକ୍ଷ ୯୨ ହଜାର ୩୫୦ଜଣ ପରୀକ୍ଷା ଦେଇଥିଲେ। ୩୦୦ଟି ସହରରେ ୫୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ଦେଶ ବାହାରେ ୧୫ଟି ସହରରେ ପରୀକ୍ଷା କେନ୍ଦ୍ର ରହିଥିଲା। ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜରାଟୀ, ଅହମିଆ, ବଙ୍ଗଳା, କନ୍ନଡ଼, ମାଲୟାଲମ୍‌, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ପରୀକ୍ଷା କରାଯାଇଥିଲା। ପ୍ରକାଶିତ ପରୀକ୍ଷାଫଳ‌ରେ ‌ଓଡ଼ିଆ ଛାତ୍ର ଓମ୍‌ପ୍ରକାଶ ବେହେରା ୩୦୦ରୁ ୩୦୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୧ ନମ୍ବରରେ ରହିଛନ୍ତି। ସେହିପରି ୟୁନିଟ୍‌-୮ ଡିଏଭି ପବ୍ଲିକ୍‍ ସ୍କୁଲ୍‌ର ଦ୍ୱାଦଶ ଶ୍ରେଣୀ ଛାତ୍ର ନବନୀତ ପ୍ରିୟଦର୍ଶୀ ୯୯.୯୮ ଏନ୍‌ଟିଏ ସ୍କୋର କରି ଓଡ଼ିଶା ଟପର୍‌ ହୋଇଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ସୂଚନା ଦେଇଛି।

ରାଜସ୍ଥାନ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର ୨୪ଜଣ ଛାତ୍ରଛାତ୍ରୀ ୧୦୦ ଏନ୍‌ଟିଏ ସ୍କୋର କରିଛନ୍ତି। ତେବେ ରାଜସ୍ଥାନରେ ପରୀକ୍ଷା ଦେଇଥିବା ଓଡ଼ିଆ ପୁଅ ଓମ୍ ପ୍ରକାଶ ବେହେରା ୧୦୦ ଏନ୍‌ଟିଏ ସ୍କୋର୍‌ କରି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ତାଙ୍କର ଏଭଳି ସଫଳତା ନେଇ ଉପମୁଖ୍ୟମନ୍ତ୍ରୀ କେ ଭି ସିଂଦେଓ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତ୍ତର ଉନ୍ନତିକାମନା କରିଛନ୍ତି।

୨୪ ଛାତ୍ରଛାତ୍ରୀଙ୍କ ୧୦୦% ଏନ୍‌ଟିଏ ସ୍କୋର୍‌
ନବନୀତ ଓଡ଼ିଶା ଟପର୍‌
ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ

ସୂଚନା ଅନୁଯାୟୀ, ବିଇ ଓ ବିଟେକ୍‌(ପେପର-୧)ରେ ସେସନ୍‌ ୧ ଓ ୨କୁ ମିଶାଇ ଚଳିତ ବର୍ଷ ୧୫ ଲକ୍ଷ ୩୯ ହଜାର ୮ଶହ ୪୮ ଜଣ ପଞ୍ଜୀକରଣ କରିଥିବା ବେଳେ ୧୪ ଲକ୍ଷ ୭୫ ହଜାର ୧୦୩ ଜଣ ପରୀକ୍ଷା ଦେଇଥିଲେ। ୧୦୦ ଏନ୍‌ଟିଏ ସ୍କୋର୍‌ କରିଥିବା ୨୪ଜଣଙ୍କ ମଧ୍ୟରେ ୨ଜଣ ଛାତ୍ରୀ ଥିବା ବେଳେ ୨୧ଜଣ ସାଧାରଣ ବର୍ଗର ବିଦ୍ୟାର୍ଥୀ ରହିଛନ୍ତି। ପରୀକ୍ଷାର ସୁପରିଚାଳନା ପାଇଁ ୨୮୩ ଜଣ ସହର ସଂଯୋଜକ, ୮୫୮ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିଲେ। ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ନୂଆଦିଲ୍ଲୀସ୍ଥିତ ଏନ୍‌ଟିଏ କଣ୍ଟ୍ରୋଲ୍‌ ରୁମ୍‌ରୁ ନଜର ରଖାଯାଇଥିଲା। ଏଥର ପରୀକ୍ଷାକେନ୍ଦ୍ରଗୁଡ଼ିକରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଭି‌ଡିଓ ଆଧାରରେ ପରିଚାଳନା କରାଯାଇଥିଲା। ସମସ୍ତ କେନ୍ଦ୍ରରେ ଲାଇଭ୍‌ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା ହୋଇଥିଲା। କପି କରି ଏଥର ୧୧୦ ପରୀକ୍ଷାର୍ଥୀ ଧରାପଡ଼ିଥିବାରୁ ସେମାନଙ୍କ ଫଳ ପ୍ରକାଶ କରାଯାଇନାହିଁ। ପେପର-୨ (ବି.ଆର୍କ/ବି ପ୍ଲାନିଂ) ପରୀକ୍ଷାଫଳର ସେସନ ୨ ପରୀକ୍ଷାଫଳ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *