ମାନବବାଦର ପ୍ରତିଷ୍ଠା ହିଁ ସାହିତ୍ୟ ରଚନାର ମୂଳ ଭିତ୍ତି ହେବା ଦରକାର : ଡ଼.ସ୍ୱପ୍ନା ମିଶ୍ର
ନିଜର ମନର ଭାବନାକୁ ସେ ପ୍ରକାଶ କରନ୍ତି ଲେଖନୀ ମାଧ୍ୟମରେ । ସମାଜରେ ଘଟୁଥିବା ସାମାଜିକ ବର୍ଣ୍ଣବୈଷମ୍ୟ,ମଣିଷ ଜୀବନର ନାନା ଘଟଣା,ଜଗତର ବୈଚିତ୍ର ବିବିଧତା ଆଦିକୁ ହୃଦବୋଧ କରି ନିଜର ସାହିତ୍ୟ ଦ୍ୱାରା ସ୍ୱରତ୍ତୋଳନ କରିଥାନ୍ତି ଏହି ସାହିତ୍ୟିକା ଜଣକ। ସେହି ସାମାଜିକ ସାହିତ୍ୟିକା ହେଉଛନ୍ତି ଡ଼.ସ୍ୱପ୍ନା ମିଶ୍ର ।
ମାତ୍ର ସପ୍ତମ ଶ୍ରେଣୀରୁ ଅଜାଣତରେ ଲେଖି ଯାଉଥିଲେ ଅନେକ ରଚନା।ମାତ୍ର ହେତୁ ପାଇବାରେ ସେ ଲେଖିଲେ ବିଧିବଦ୍ଧ ସାହିତ୍ୟ । ତେବେ ପୁରୀ ଜିଲ୍ଲାରେ ଜନ୍ମିତା ଡ଼.ସ୍ୱପ୍ନା ମିଶ୍ରଙ୍କ ସାହିତ୍ୟ ରଚନା ପାଇଁ ପ୍ରେରଣା ଥିଲା ତାଙ୍କ ନିଜ ଭିତରର ଅନ୍ତଃପ୍ରେରଣା । ଯାହା ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟ ମୁଖପାତ୍ରରେ କବିତା,ପ୍ରବନ୍ଧ ଓ ଗଳ୍ପରୂପେ ପ୍ରକାଶ ପାଇ ଫଳବତୀ ହେଲା । ଶ୍ରୀମତୀ ମିଶ୍ର ଓଡ଼ିଆ ଭାଷା ସାହିତ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଫିଏଚ୍ଡି ଡ଼ିଗ୍ରୀ ହାସଲ କରିଛନ୍ତି।ଓଡ଼ିଆ ଭାଷା ସାହିତ୍ୟରେ କବି ସଚି ରାଉତରାୟ,ଗୋପୀନାଥ ମହାନ୍ତିଙ୍କୁ ନିଜର ଆଦର୍ଶ ମଣୁଥିବା ବେଳେ ଆଧୁନିକ କବିତା ଲେଖିବାରେ ସିଦ୍ଧହସ୍ତା ହେଉଛନ୍ତି ଡ଼.ସ୍ୱପ୍ନା ।
ଲେଖିକା ଡ଼ ସ୍ୱପ୍ନା ମିଶ୍ରଙ୍କ କିଛି କୃତି ଓ ପୁରସ୍କାର ବିଷୟରେ ପଦେ-
କବିତା-ସ୍ବପ୍ନ ଶିକାର,ବୃକ୍ଷ ଜାତକ,ପ୍ରଥମ ପୃଥିବୀ,ରାତି ପହିବା ଆଗରୁ,ଇଚ୍ଛାରୋହଣ,ଶବ୍ଦ ବଂଚିରହେ ଇତ୍ୟାଦି।
ଉପନ୍ୟାସ-ଦାଗ, ଜାଲ,ଫେଟା,ନୀରବତାର ଉଚ୍ଚାରଣ ଇତ୍ୟାଦି।
ଗଳ୍ପ-ଶୁକ୍ଳପକ୍ଷ,ନବଗୁଞ୍ଜର,ଅସମାପ୍ତ ସାରାଂଶ,ପ୍ରାର୍ଥନାର ନିଆଁଘେର।
ଅନୁବାଦ-ଲୋମଶ ଜଳହସ୍ତୀ,ସମୁଦ୍ର ଘୋଡା,ସଂଶୟାତ୍ମା।
ସନ୍ଦର୍ଭ-ଭାଗବତର ଭାଷା(ଫିଏଚ୍ଡି)
ପୁରସ୍କାର-
ରାଜଧାନୀ ପୁସ୍ତକ ମେଳା,ଡ଼.ସଚ୍ଚିଦାନନ୍ଦ ରାଉତରାୟ ନବପର୍ବ ପୁରସ୍କାର,ଅଂକୁର ପୁରସ୍କାର,ଦର୍ପଣ ସାହିତ୍ୟ ପୁରସ୍କାର ଇସ୍ତାହାର କବିତା ସମ୍ମାନ,ପ୍ରାଧ୍ୟାପକ ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ,ଶ୍ରୀକ୍ଷେତ୍ରଶ୍ରୀ ସମ୍ମାନ,ମହାନଗର ପୁସ୍ତକ ମେଳା ସମ୍ମାନ ଇତ୍ୟାଦି ।
ଏହି ସୁଲେଖିକାଙ୍କ ମତରେ “ସାହିତ୍ୟ ହେଉଛି ସମାଜର ଦର୍ପଣ।”ତେଣୁ ତାଙ୍କ ସାହିତ୍ୟର ମୁଖ୍ୟ ପ୍ରସଙ୍ଗ ସର୍ବଦା ମାନବବାଦର ପ୍ରତିଷ୍ଠା,ମନୁଷ୍ୟର ମୌଳିକ ଆବଶ୍ୟକତା ଓ ନାରୀ ଜୀବନର ମୁଖ୍ୟ ସମସ୍ୟା ଉପରେ ଆଧାରିତ ଥାଏ।ଡ଼. ସ୍ୱପ୍ନା ମିଶ୍ର ଙ୍କ ଜୀବନରେ ସାହିତ୍ୟର ସ୍ଥାନ ଖୁବ୍ ମହତ୍ୱପୂର୍ଣ୍ଣ ଅଟେ।ଯେପରି ଭାତ ସହ ତରକାରୀର ସମ୍ପର୍କ ସେହିଭଳି ସାହିତ୍ୟ ତାଙ୍କ ପାଇଁ ତୃପ୍ତିର ସାଧନ।ତେବେ ସାହିତ୍ୟ ରଚନା କ୍ଷେତ୍ରକୁ ଆଗାମୀ ଦିନରେ ଆସୁଥିବା ନବାଗତଙ୍କୁ ଲେଖିକା ସ୍ୱପ୍ନା ମିଶ୍ର ଏହା ଉପଦେଶ ଦିଅନ୍ତି ଯେ-“ଜଣେ ସାହିତ୍ୟିକ ରଚନା କରିବା ପୂର୍ବରୁ ସମାଜର ସମସ୍ତ ଦିଗ ଉପରେ ଦୃଷ୍ଟି ଦେଇ ତହିଁର ଗଭୀରତାକୁ ଯିବା ଆବଶ୍ୟକ।ଏହା ସହିତ ପରୀକ୍ଷଣ ଓ ଅନୁଭବକୁ ନିଜର ପୁଞ୍ଜି କରି ନିଷ୍ଠା ଏବଂ ପରିଶ୍ରମ ସହିତ ସାହିତ୍ୟ ସାଧନା କରନ୍ତୁ।”