‘ଯୁବା ସଂଗମ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଯୁବା ସଂଗମ ଅମୃତ କାଳରେ ଭାରତର ଭାବନାକୁ ଦୃଢୀଭୂତ କରିବ- ଧର୍ମେନ୍ଦ୍ର ପ୍ରଧାନ

• ଉତ୍ତର-ପୂର୍ବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବ ‘ଯୁବା ସଂଗମ’
• ଯୁବପିଢିଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ ଦ୍ୱାରା ସୁଯୋଗ ଓ ସମ୍ଭାବନା ଉତ୍ପନ୍ନ ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର: ଫେବୃୟାରୀ ୦୬ – ଉତ୍ତର-ପୂର୍ବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ‘ଯୁବା ସଂଗମ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଅନନ୍ୟ ପଦକ୍ଷେପ । ‘ଯୁବା ସଂଗମ’ ଭଳି ଅଭିନବ ପଦକ୍ଷେପ ଅମୃତ କାଳରେ ‘ଭାରତର ଭାବନା’କୁ ଦୃଢୀଭୂତ କରିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏହି ପୋର୍ଟାଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ଭାରତ, ଶ୍ରେଷ୍ଠ ଭାରତ ବିଚାର ଆଧାରରେ ଯୁବା ସଂଗମ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ମଜଭୂତ କରିବ । ଉତ୍ତର-ପୂର୍ବ ରାଜ୍ୟ ସମୂହର ଗୌରବମୟ ସଂସ୍କୃତିର ପ୍ରଚାର ପ୍ରସାର କରିବ ଏବଂ ବିଶେଷ ଭାବରେ ଯୁବପିଢିଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ ଦ୍ୱାରା ଅନେକ ସୁଯୋଗ ଓ ସମ୍ଭାବନା ଉତ୍ପନ୍ନ ହେବ ।

ଯୁବା ସଂଗମ ଦେଶର ବିବିଧତାକୁ ପାଳନ କରିବାର ଏକ ଅବସର । ଏହା ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କଳ୍ପନା କରାଯାଇଥିବା ଭାରତର ଗଣତାନ୍ତ୍ରିକ ଶକ୍ତି ପ୍ରଦର୍ଶନ କରିବ । ଉତ୍ତର-ପୂର୍ବାଞ୍ଚଳର ସଂସ୍କୃତି ସହ ଯୋଡି ହେବା ପାଇଁ ଯୁବା ସଂଗମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଛି । ପର୍ଯ୍ୟଟନ, ପରମ୍ପରା, ପ୍ରଗତି, ଉଦ୍ୟୋଗିକୀ, ପାରସ୍ପରିକ ସମ୍ପର୍କ ସ୍ତମ୍ଭ ଆଧାରରେ ଏକତାର ଭାବନାକୁ ପାଳନ କରିବା ସହ ଦେଶର ଚିତ୍ରଣକୁ ପ୍ରଦର୍ଶନ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀ, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡ. ସୁବାଷ ସରକାର ଓ ଡ. ରାଜକୁମାର ରଞ୍ଜନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *