ସରଳ ଶବ୍ଦରେ ସମାଜର ଗମ୍ଭୀର ସମସ୍ୟାକୁ ପାଠକ ଆଗରେ ପରଷିବାରେ ବ୍ୟସ୍ତ ପରଂବ୍ରହ୍ମ
ଘରେ ତାଙ୍କର ଥିଲା ସାହିତ୍ୟର ବାତାବରଣ | ପୁସ୍ତକରେ ହିଁ କଟିଥିଲା ଏହି ସୁଲେଖକଙ୍କ ବାଲ୍ୟରୁ ଶୈଶବ ଜୀବନ | ତେବେ ନିଜ ଜୀବନର ଅକୁହା କଥା ଓ ଅସନ୍ତୋଷକୁ ଲେଖନୀ ମାଧ୍ୟମରେ ପ୍ରକାଶ କରି ଯେଉଁ ସନ୍ତୋଷ ଏବଂ ଆନନ୍ଦ ପାଉଥିଲେ ତହିଁରୁ ସେ ପାଇଥିଲେ ପ୍ରେରଣା ଆଗକୁ ଲେଖିବା ପାଇଁ |
ସେହି ବିଶିଷ୍ଟ ଯୁବ ସାହିତ୍ୟକ ଜଣଙ୍କ ହେଉଛନ୍ତି ସାମ୍ବାଦିକ ପରଂବ୍ରହ୍ମ ତ୍ରିପାଠୀ | ଦୀର୍ଘ ଏକଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଅନ୍ତଃ ରାଷ୍ଟ୍ରୀୟ ଗଣମାଧ୍ୟମରେ ସାମ୍ବାଦିକ ରୂପେ କାର୍ଯ୍ୟନିର୍ବାହ କରୁଥିବା ଶ୍ରୀଯୁକ୍ତ ତ୍ରିପାଠୀ ଜଗତସିଂହପୁର ଜିଲ୍ଲାର ଏକ ପ୍ରତିଷ୍ଠିତ ଶିକ୍ଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ | ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଓ ଭାରତୀୟ ଜନସଂଚାର ସଂସ୍ଥାନରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ହାସଲ କରିଛନ୍ତି ଏହି ଲେଖକ ଜଣକ |
ତାଙ୍କର ପ୍ରଥମ ଲେଖା ଯାହା ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ସମୟରେ “ମୋ ଗାଁ” ନାମକ ଏକ କବିତା ଦ୍ୱାରା ମୀନାବଜାରରେ ପ୍ରକାଶ ପାଇଥିଲା | ମାତ୍ର ହେତୁ ପାଇବା ପରେ ପରଂବ୍ରହ୍ମଙ୍କ ପ୍ରଥମ ମୌଳିକ ଲେଖା ଆନୁଷ୍ଠାନିକ ଭାବେ ପ୍ରଜାତନ୍ତ୍ରର ସାପ୍ତାହିକୀରେ “ଜୀବନ” ନାମକ କବିତା ପ୍ରକାଶ ପାଇଥିଲା | ଓଡ଼ିଆ ଭାଷା ସାହିତ୍ୟର ଗଦ୍ୟ ବିଭାଗରେ ସିଦ୍ଧହସ୍ତ ଥିବା ଲେଖକ ପରଂବ୍ରହ୍ମ ଗୌରହରି ଦାସ,ସୁରେନ୍ଦ୍ର ମହାନ୍ତି,ଚିତ୍ତରଞ୍ଜନ ଦାସଙ୍କୁ ନିଜର ଜୀବନବ୍ୟାପୀ ପ୍ରେରଣା ମାନନ୍ତି |
ଲେଖକ ପରଂବ୍ରହ୍ମ ତ୍ରିପାଠୀଙ୍କ କିଛି କୃତି ଓ ପୁରସ୍କାର ବିଷୟରେ କିଛି-
ଏଯାବତ୍ ଏହି ଯୁବଲେଖିକଙ୍କ ୩୦୦ରୁ ଉର୍ଦ୍ଧ୍ବ ଲେଖା ରାଜ୍ୟର ଅଗ୍ରଣୀ ଖବରକାଗଜରେ ପ୍ରକାଶ ପାଇଅଛି |
କବିତା-କୁନା ତ୍ରିପାଠୀର ରଫ୍ ଖାତା |
ପ୍ରବନ୍ଧ-କିଛି କହିବାର ଅଛି,କଥା ତ ଏତିକି,କକ୍ଟେଲ୍,କିମାଶ୍ଚର୍ଯ୍ୟମ |
ପୁରସ୍କାର-କଳିଙ୍ଗ ସାହିତ୍ୟ ଯୁବ ପୁରସ୍କାର,ସୃଜନ ଭାରତ ଯୁବ ପୁରସ୍କାର,ପଲ୍ଲୀବାଣୀ ଶବ୍ଦ ସମ୍ବର୍ଦ୍ଧନା,ବିଭୁଦତ୍ତ ମିଶ୍ର ସ୍ମୃତି ସମ୍ମାନ,ଟାଇମପାସ ଶ୍ରେଷ୍ଠ ବିକ୍ରେତା ପୁରସ୍କାର ଇତ୍ୟାଦି |
ପରଂବ୍ରହ୍ମଙ୍କ ମତରେ “ଲେଖା ସର୍ବଦା ପାଠକଧର୍ମୀ ହେବା ଦରକାର | ଯହିଁରେ ଜଣେ ଲେଖକ ପାଠକର ରୁଚି ଓ ମାନସିକତାକୁ ଦୃଷ୍ଟିରେ ରଖି ଲେଖନୀ ଚାଳନା କରିବା ଆବଶ୍ୟକ” | ସେଥିପାଇଁ ତ ପରଂବ୍ରହ୍ମଙ୍କ ଲେଖା ଟିକେ ନିଆରା | କାରଣ ସେ ସରଳ ଶବ୍ଦକୁ ପ୍ରୟୋଗ କରି ସମାଜର ଗମ୍ଭୀର ରାଜନୈତିକ,ଆର୍ଥିକ,ସାମାଜିକ ପ୍ରସଙ୍ଗକୁ ଛୋଟ ଛୋଟ କାହାଣୀ ମାଧ୍ୟମରେ ପ୍ରସ୍ତୁତ କରି ଲୋକଙ୍କ ପାଖରେ ପହଞ୍ଚଇଥାନ୍ତି |
“ପାଠକ ପାଖରେ ପହଞ୍ଚିବା ଏବଂ ତାଙ୍କ ମସ୍ତିଷ୍କ ଓ ହୃଦୟକୁ ଉଭୟକୁ ଛୁଇଁବା ତାଙ୍କର ଥାଏ ମୁଖ୍ୟ ପ୍ରାଥମିକତା | ଆଗାମୀ ଦିନରେ ଓଡ଼ିଶାର କୋଣ ଅନୁକୋଣର ଥିବା ପାଠକଙ୍କ ପାଖରେ ଓଡ଼ିଆ ଭାଷା ସାହିତ୍ୟକୁ ପହଞ୍ଚାଇବା ପାଇଁ ତାଙ୍କର ପ୍ରୟାସ ଜାରି ରହିବ ବୋଲି ମତ ଦେଇଛନ୍ତି ପରଂବ୍ରହ୍ମ ତ୍ରିପାଠୀ” | ସାହିତ୍ୟରେ କୌଣସି ବୟସର ତାରତମ୍ୟ ନଥାଏ।ତେଣୁ ନିଜର ସମାଧର୍ମୀ ସାହିତ୍ୟିକଙ୍କୁ ଏହି ଯୁବ ଲେଖକ ଏହି ପରାମର୍ଶ ଦିଅନ୍ତି ଯେ “ନିଜ ଜୀବନର ତାରୁଣ୍ୟତାକୁ ଶେଷ ଜୀବନ ଯାଏ ବଞ୍ଚାଇ ରଖିବା ନିହାତି ଆବଶ୍ୟକ | ଏହା ସେତେବେଳେ ସୁନ୍ଦର ଓ ମନୋରମ ହୋଇଯିବ ଯେବେ ଆମ ନିଜ ଭିତରର ତାରୁଣ୍ୟତାର ଅନ୍ତଃସଲୀଳାକୁ ଚିରସ୍ରୋତା ଓ ଚିରଞ୍ଜିବୀ କରିପାରିବା |