ହୃଦୟରୁ ନିଷ୍ଠାର ସହ କାମ କଲେ ଈଶ୍ୱର ଖୁସି ହୁଅନ୍ତି ; ସମାଜସେବୀ ତଥା ଓଡିଶା ହାଇକୋର୍ଟର ବରିଷ୍ଠ ଆଇନିଜୀବି କିଶୋର ଚନ୍ଦ୍ର କର

ଲୋକଙ୍କ ସେବାରେ ବ୍ରତୀ ହେବାକୁ ଲକ୍ଷ୍ୟରଖି କର୍ମମୟ ଜୀବନ ଆରମ୍ଭ କରିଥିଲେ ସେ | 1980 ରେ ଆଇନିଜୀବି ଭାବରେ ପେଶାଗତ ଜୀବନ ଆରମ୍ଭ ସହ ଲୋକଙ୍କ ପାଇଁ କାମ କରିବା ଆରମ୍ଭ କରିଥିଲେ | ସେ ହେଉଛନ୍ତି ସମାଜସେବୀ ତଥା ଓଡିଶା ହାଇକୋର୍ଟର ବରିଷ୍ଠ ଆଇନିଜୀବି କିଶୋର ଚନ୍ଦ୍ର କର | ହାଇକୋର୍ଟର ଆଇନିଜୀବି ହିସାବରେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଅବହେଳିତ ଲୋକଙ୍କ ସେବାରେ ନିଜକୁ ଖୁବ ସୁନ୍ଦର ଭାବେ ନିୟୋଜିତ କରିପାରିଛନ୍ତି କିଶୋର ବାବୁ | ଗରିବ ଲୋକମାନଙ୍କୁ କିଭଳି ସୁବିଧାରେ ଆଇନିଗତ ସହାୟତା ଯୋଗାଇହେବ ସେଇ ଦିଗରେ ନିରବିଛିନ୍ନ ଭାବେ କାମ କରିଆସୁଛନ୍ତି ସେ | ଏବେ ମଧ୍ୟ 15 ପ୍ରତିଶତ ଲୋକଙ୍କ କାମ ସେ ବିନା ମୂଲ୍ୟରେ କରନ୍ତି | 2009-10 ରେ ସ୍ବର୍ଗତ ପ୍ରଭାତ ମହାନ୍ତି ଙ୍କ ଦ୍ୱାରା ପ୍ରଭାବିତ ହୋଇ ଲାଏନ୍ସ କ୍ଲବ ସହ ଜଡିତ ହେବା ପରେ ବହୁ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବା ସହ ବହୁ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଛନ୍ତି | ତାଙ୍କର କାମ ପ୍ରତି ନିଷ୍ଠା ଓ ସବୁକାମ ସୁଚାରୁରୂପେ ସମ୍ପାଦନ କରିବାର ଦକ୍ଷତା ଦେଖି ତାଙ୍କୁ 2015 ରେ ଲାଏନ୍ସ କ୍ଲବ ର ସଭାପତି ଭାବେ ଚୟନ କରାଯାଇଥିଲା | ତାଙ୍କର ସଭାପତିତ୍ୱ ସମୟରେ ଲାଏନ୍ସ କ୍ଲବର ଚକ୍ଷୁ ଚିକିତ୍ସାଳୟ ସହ ଆଉ ଏକ ଦାନ୍ତ ଚିକିତ୍ସାଳୟ କାମ ଆରମ୍ଭ କରାଯିବାର ଶୁଭାରମ୍ଭ ହୋଇଥିଲା | ଆଉ ଏକ ଉଲ୍ଲେଖନୀୟ ବିଷୟ ହେଲା 2015-16 ଏହି ଏକବର୍ଷ ଶ୍ରୀଯୁକ୍ତ କରଙ୍କ ସଭାପତିତ୍ୱ ସମୟରେ ପ୍ରାୟ 105 ଟି ବିଭିନ୍ନ ସେବାକାର୍ଯ୍ୟ ହୋଇଥିଲା ଯାହାକି ଏକ ରେକର୍ଡ | ସେଥିରେ ନିଶା ନିବାରଣ ସଚେତନତା, ଜଳ ସଂରକ୍ଷଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଶିବିର, ପରିବେଶ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ | ସେହିପରି କୋଣାର୍କ ଠାରେ ଅନ୍ୟ ଏକ ମହିଳା ସଶକ୍ତିକରଣ ଓ ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ କରାଯାଇଥିଲା ଯାହାର ସୁଫଳ ପରବର୍ତ୍ତୀ ସମୟରେ ସୁଦୂରପ୍ରସାରୀ ରହିଥିଲା |

ଲାଏନ୍ସ କ୍ଲବ ବ୍ୟତୀତ ଶ୍ରୀଯୁକ୍ତ କର ଉତ୍କଳ ଚାମ୍ବର ଅଫ କମର୍ସର ଦୀର୍ଘଦିନର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି | ତା ସହ ଭୁବନେଶ୍ୱର ବାର ଆସୋସିଏସନର ସଭାପତି ମଧ୍ୟ ରହିସାରିଛନ୍ତି |

ସମାଜର ଅବହେଳିତ ନିଃସହାୟ ଲୋକମାନେ କିଭଳି ସୁବିଧାରେ ସମସ୍ତପ୍ରକାର ଆଇନିଗତ ସହାୟତା ପାଇପାରିବେ ସେ ଦିଗରେ କାମ ଆରମ୍ଭ କରୁଛନ୍ତି ସେ | କିଛି ପରିଚିତ ବନ୍ଧୁ ଓ ଶୁଭେଛୁ ଙ୍କୁ ନେଇ ସେ ଏକ ସଂସ୍ଥା ଆରମ୍ଭ କରିବେ ଯାହା ଏଦିଗରେ କାର୍ଯ୍ୟକରିବ | ସାମାଜିକ କାମରେ ଏକ ପ୍ରକାର ଆନ୍ତରିକ ଶାନ୍ତି ମିଳେ ଯାହାପାଇଁ ସେ ଏସବୁ କାମ ବାରମ୍ବାର ବିନା ଦ୍ବିଧାରେ କରିଚାଲନ୍ତି ବୋଲି କୁହନ୍ତି ସେ | ସମାଜରୁ ଆମେ ବହୁତ କିଛି ପାଇଛେ ଆଉ ତାକୁ ସେତିକି ଫେରେଇବା ଆମର ଦାୟିତ୍ୱ ମଧ୍ୟ ବୋଲି ଭାବି ସେ କାମ କରିଚାଲିଛନ୍ତି |

ସାମାଜିକ କାମ ସହ ଓକିଲାତି ବୃତି କୁ ସୁନ୍ଦର ଭାବରେ ପରିଚାଳନା କରୁଥିବାର ସବୁ ଶ୍ରେୟ ସେ ଦିଅନ୍ତି ତାଙ୍କ ଧର୍ମପତ୍ନୀଙ୍କୁ | ତାଙ୍କର ସହଯୋଗ ବିନା ଏସବୁ କାମ କେବେ ସମ୍ଭବ ନଥିଲା ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି ସେ |

ସ୍ବର୍ଗତଃ ନୀଳମଣି ସେନାପତି, ପ୍ରଥମ ICS, ଯିଏକି ଓଡ଼ିଶାର ପ୍ରଥମ ମୁଖ୍ୟ ପ୍ରଶାସକ ଥିଲା ତାଙ୍କୁ ନିଜର ପ୍ରେରଣା ବୋଲି ମାନନ୍ତି ସେ | ଆଉ ଦ୍ଵିତୀୟରେ ସ୍ଵର୍ଗତଃ ଗୁରୁଚରଣ ଜେନା, ଯାହାଙ୍କ ପାଖରେ ଓକିଲାତି କାମ ଶିଖିଥିଲେ ତାଙ୍କୁ ମଧ୍ୟ ନିଜର ଆଦର୍ଶ ବୋଲି ମାନି ଆସିଛନ୍ତି |

ଆଜିର ଦିନରେ ଯେଉଁ ଯୁବକ ମାନେ ସମାଜସେବା ପ୍ରତି ମନବଳାଈ ଆସୁଛନ୍ତି ସେମାନଙ୍କୁ ସେ କୁହନ୍ତି ଯେ, ସମାଜସେବା ଲୋକ ଦେଖାଣିଆ ପାଇଁ କରନାହିଁ | ଯାହା ବି କରୁଚ ହୃଦୟରୁ ନିଷ୍ଠାର ସହ କର | ମାନବିକତାକୁ ବଂଚାଇରଖି କାମ କରିଚାଲ ଫଳ ନିଶ୍ଚୟ ମିଳିବ ବୋଲି କୁହନ୍ତି ସେ |

Leave a Reply

Your email address will not be published. Required fields are marked *