ବିଜ୍ଞାନର ଆଧାର ବେଦାନ୍ତ : ଜେଏନ୍ ୟୁ ପ୍ରଫେସର୍ ରାମନାଥ ଝା
ଭୁବନେଶ୍ବର : ରାଜଧାନୀ ମହାବିଦ୍ୟାଳୟର ସ୍ନାତକୋତ୍ତର ସଂସ୍କୃତ ବିଭାଗ ପକ୍ଷରୁ ” ବେଦାନ୍ତ ଓ ବିଜ୍ଞାନ ” ଶୀର୍ଷକ ଏକ ବିଶିଷ୍ଟ ବ୍ୟାଖ୍ୟାନ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ସରୋଜକାନ୍ତ ଚୌଧୁରୀ ସଭାପତିତ୍ୱ କରିଥିଲେ। ବିଶିଷ୍ଟ ବକ୍ତା ରୂପରେ ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଲୟ,ଦିଲ୍ଲୀସ୍ଥିତ ସଂସ୍କୃତ ଏବଂ ପ୍ରାଚ୍ୟବିଦ୍ୟା ଅଧ୍ୟୟନ ସଂସ୍ଥାନର ଖ୍ୟାତନାମା ପ୍ରଫେସର୍ ଡା.ରାମନାଥ ଝା ଯୋଗଦେଇ ନିଜର ବିଶେଷ ବକ୍ତବ୍ୟ ରଖୁଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କ ଦ୍ବାରା ଦୀପପ୍ରଜ୍ଜଳନ ସହିତ ବୈଦିକ ମଙ୍ଗଳାଚରଣ ଗାନ କରାଯାଇଥିଲା | ଏହା ପରେ ମଞ୍ଚସ୍ଥ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା | ତା’ପରେ ବିଭାଗୀୟ ଛାତ୍ର-ଛାତ୍ରୀମାନେ ସ୍ବାଗତ ସ୍ତୁତିଗୀତ ଶ୍ରୀଜଗନ୍ନାଥାଷ୍ଟକ ଗାନ କରିଥିଲେ । ବିଭାଗୀୟ ମୁଖ୍ୟ ଡା.ସୁରେଶ୍ଵର ମେହେର ନିମନ୍ତ୍ରିତ ବକ୍ତାଙ୍କର ପରିଚୟ ପ୍ରଦାନପୂର୍ବକ ସ୍ବାଗତଭାଷଣ ପ୍ରଦାନ କରିଥିଲେ ।
ପ୍ରଫେସର୍ ଝା ନିଜ ଅଭିଭାଷଣରେ କହିଥିଲେ- ସମସ୍ତ ବିଜ୍ଞାନ ଜଗତର ମୂଳ ଆଧାର ବେଦ ଓ ବେଦାନ୍ତରେ ନିହିତ ଅଛି । ସେ ବିଭିନ୍ନ ଉଦାହରଣ ମାଧ୍ୟମରେ ଯଥା- କ୍ୱାଣ୍ଟମ୍ ଫିଜିକ୍ସ, ରିଲେଟିଭିଟି ଥଓରି, ଡିପ୍ ଇକୋଲୋଜି,ଜେନେଟିକ୍ସ ପ୍ରଭୃତି ବୈଜ୍ଞାନିକସିଦ୍ଧାନ୍ତର ପ୍ରବର୍ତ୍ତକମାନେ କିପରି ବେଦାନ୍ତ ଏବଂ ଗୀତାର ଆଶ୍ରୟ ନେଇ ନିଜର ମତକୁ ପରିପୁଷ୍ଟ ଓ ବ୍ୟାପକ କରିଛନ୍ତି ସେ ବିଷୟରେ ଗଭୀର ଆଲୋକପାତ କରିଥିଲେ । ପ୍ରାଚ୍ୟ ବିଦ୍ୟାର ଐକ୍ୟଭାବନାମୂଳକ ଏକ ବ୍ରହ୍ମ ଚେତନାର ଜଡ- ଚେତନ ଜଗତର ପରିପ୍ରକାଶ ଏବଂ ପାଶ୍ଚାତ୍ୟଜ୍ଞାନର ବିଭେଦମୂଳକ ବିଚାର ଭିଭି ମଧ୍ୟରେ ଯୁକ୍ତିଯୁକ୍ତ ପାର୍ଥକ୍ୟ ଦର୍ଶାଇଥିଲେ । ପୁନଶ୍ଚ ପାଶ୍ଚାତ୍ୟର ପ୍ରଭାବରେ ଭାରତୀୟ ସଂସ୍କୃତିର ଅବକ୍ଷୟ ବର୍ତ୍ତମାନ ପର୍ଯ୍ୟନ୍ତ କିଭଳି ଘଟିଛି ତଥା ସଂସ୍କୃତଶାସ୍ତ୍ରର ଅଧ୍ୟୟନ ବଳରେ ଆମେ କିପରି ନିଜର ଗୌରବମୟ ପ୍ରାଚ୍ୟ ସଂସ୍କୃତିକୁ ରକ୍ଷା କରିପାରିବା -ସେ ବିଷୟରେ ଚର୍ଚ୍ଚା କରି ଛାତ୍ରଛାତ୍ରୀ ମାନଙ୍କୁ ଉଦବୁଦ୍ଧ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବିଭାଗର ପ୍ରାଧ୍ୟାପକ ଡ. ବିଭୂତିଭୂଷଣ ମହାପାତ୍ର | ଶେଷରେ ଅଧ୍ୟାପକ ଶ୍ରୀଧର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ | ବିଭାଗର ଅନ୍ୟ ଅଧ୍ୟାପିକା ଶକୁନ୍ତଳା ସ୍ବାଇଁ ,ସୋନିକା ଶତପଥୀ ଓ ଶ୍ରାବଣୀ ମହାରଣା କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଥିଲେ | ଏହି ସଭାରେ ସଂସ୍କୃତବିଭାଗର ଛାତ୍ରଛାତ୍ରୀ ସମେତ ଅନ୍ୟ ବିଭାଗମାନଙ୍କରୁ ଶତାଧ୍ଵ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, ଅଧ୍ୟାପକ ଯୋଗ ଦେଇଥିଲେ |
