ମହିଳା ସଶକ୍ତିକରଣରେ ଓଡ଼ିଶା ଆଜି ଦେଶରେ ହୋଇପାରିଛି ରୋଲ୍ ମଡେଲ : ସସ୍ମିତା ଦାସ

ଜଗତ୍‌ସିଂହପୁର: ଆଜି ସ୍ଥାନୀୟ ଆନନ୍ଦ ମଣ୍ଡପ ହଲ୍ ତିର୍ତ୍ତୋଲ ଜଗତ୍‌ସିଂହପୁର ଠାରେ ନାରୀ ଶକ୍ତି ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି । ସାମାଜିକ ଅନୁଷ୍ଠାନ ମଦର୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ, ସୁଲେଖକା ସସ୍ମିତା ଦାସ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଦରର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁବାସ ରଥ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ ଦିଗରେ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୁନାମ ଅର୍ଜନ କରିଥିବା ୫ ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବା କ୍ଷେତ୍ରରେ ପୁଷ୍ପା ରାଉତରାୟ, ଗୋଷ୍ଠୀଗତ କାର୍ଯ୍ୟ ନିମନ୍ତେ ସନ୍ତୋଷିନୀ ଦାସ, ମମତା ମଞ୍ଜରୀ ପଟ୍ଟନାୟକ, ଅଙ୍ଗନୱାଡି କର୍ମୀ ସସ୍ମିତା ସ୍ଵାଇଁ, ଆଶାକର୍ମୀ ସଲୀଳା ମଲ୍ଲିକ୍‌ଙ୍କୁ ଅତିଥିମାନେ ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇଥିବା ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା, ସାହିତ୍ୟ ପତ୍ରିକା ନୀଳକଇଁର ସମ୍ପାଦିକା ସସ୍ମିତା ଦାସ କହିଥିଲେ ଯେ, ଆଜିର ନାରୀ ସମାଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଅଛି । ଜଗତ୍‌ସିଂହପୁର ଜିଲ୍ଲା ହେଉଛି ବାଣୀକ୍ଷେତ୍ର ବା ଜ୍ଞାନର କ୍ଷେତ୍ର ଏହି ପୁଣ୍ୟ ମାଟିରୁ ବହୁ ମହିୟସୀ ମହିଳାମାନେ ସେମାନଙ୍କର ଜୀବନର ଜୟଯାତ୍ରା ଆରମ୍ଭ କରି ସମାଜକୁ ଦିଗ୍‌ଦର୍ଶନ ଦେଇଆସିଛନ୍ତି। ଆଜି ଏହି ମାଟିରେ ୫ଜଣ ନାରୀଶକ୍ତିଙ୍କୁ ସମ୍ବର୍ଦ୍ଧନା ଦେବା ଅନ୍ୟମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଦେବେ । ସରକାରଙ୍କ ତରଫରୁ ମହିଳାମାନଙ୍କ ଉନ୍ନତି ପାଇଁ କରାଯାଉଥିବା ବିଭିନ୍ନ ବିକାଶ ମୂଳକ ଯୋଜନାକୁ ଠିକ୍ ଭାବରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ, ସେମାନଙ୍କୁ ସେବା ଯୋଗାଇ ଦେଇଥିବା ଏହି ୫ଜଣ ମହିଳାଙ୍କ ପାଇଁ ଆମେ ଆଜି ଗର୍ବିତ । ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଆଜି ଦେଶରେ ହୋଇପାରିଛି ରୋଲ୍ ମଡେଲ। ଆଗାମୀ ଦିନରେ ଜିଲ୍ଲାର ମହିଳାମାନେ ମଧ୍ୟ ସାରା ବିଶ୍ବରେ ନାଁ କରିବେ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ମଦର ନିର୍ଦ୍ଦେଶକ ସୁବାସ ରଥ, ଜିଲ୍ଲାରେ ମଦର ତରଫରୁ କରାଯାଉଥିବା ଆର୍ଥିକ ସଚେତନତା ଓ ସାକ୍ଷରତା ଉପରେ ଗୁରୁତ୍ବାରୋପ କରିଥିଲେ । ଜଗତ୍‌ସିଂହପୁର ଜିଲ୍ଲାର ମହିଳାମାନେ ଅଧିକରୁ ଅଧିକ ସଂଖ୍ୟାରେ ମଦର ଅନୁଷ୍ଠାନ ସହ ଜଡିତ ହେବାକୁ ସେ ଆହ୍ବାନ ଦେଇଥିଲେ । ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତି ର ସଭାପତି ଶରତ କୁମାର ଦାଶ ଏବଂ ବରିଷ୍ଠ ଆଇନଜୀବି ଟୁକନ୍ ଚରଣ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ମଦରର ମୁଖ୍ୟ ପରିସ୍ଖଳନା ଅଧିକାରୀ ପ୍ରମୋଦ କୁମାର ଦାସ, ଜିଲ୍ଲା ସଂଯୋଜକ ସ୍ମୃତି ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *