ଇନ୍ଟାକର ଅଧ୍ୟକ୍ଷ ହେଲେ ଅଶୋକ ସିଂହ ଠାକୁର
ଭୁବନେଶ୍ୱର: ଇଣ୍ଡିଆନ୍ ନ୍ୟାସନଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚର୍ ହେରିଟେନ୍ (ଇନ୍ଟାକ୍) ର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଅଶୋକ ସିଂହ ଠାକୁର | ଆସନ୍ତା ତିନି ବର୍ଷ ପାଇଁ ସେ ଇନ୍ଟାକର ଅଧ୍ୟକ୍ଷ ପଦ ସମ୍ଭାଳିବେ। ଗତ ୨୨ ତାରିଖରେ ମୁଖ୍ୟାଳୟରେ ଅନୁଷ୍ଠିତ ବାର୍ଷିକ ସାଧାରଣ ସଭାରେ ଅଧ୍ୟକ୍ଷ ଓ ପରିଚାଳନା ପରିଷଦ ସଦସ୍ୟ ପଦ ପାଇଁ ନିର୍ବାଚନ ପରେ ଏହି ଘୋଷଣା କରାଯାଇଛି । ୧୯୮୪ ମସିହା ଜାନୁଆରି ୨୭ ତାରିଖ ଦିନ ଇନ୍ଟାକ୍ ଗଠନ ହୋଇଥିଲା । ବର୍ତମାନ ଏହା ଭାରତରେ ପ୍ରମୁଖ ଐତିହ୍ୟ ସଂରକ୍ଷଣ ସଙ୍ଗଠନ ଭାବେ ଉଭା ହୋଇଛି । ୪ ଦଶନ୍ଧି ଧରି ଐତିହ ସଂରକ୍ଷଣ କ୍ଷେତ୍ରରେ ସାରା ଦେଶରେ କାମ କରୁଛି ଇନ୍ଟାକ୍ । ଭାରତର ସାଂସ୍କୃତିକ ବିଭବ, ପ୍ରାକୃତିକ ସମ୍ପଦ, ଐତିହ୍ୟ ସଂରକ୍ଷଣ ଏବଂ ସଂସ୍କୃତିକ ଓ ନବସୃଜନଶୀଳ କାର୍ଯ୍ୟକଳାପ ପାଇଁ ଇନ୍ଟାକ୍ ଆର୍ଥିକ ଓ ବୈଷୟିକ ସହାୟତା କରୁଛି । ଯେଉଁଥିପାଇଁ ଇନ୍ଟାକକୁ ସଂସ୍କୃତିକ ବ୍ୟାଙ୍କ୍ ବୋଲି ଆଖ୍ୟା ଦିଆଯାଇଛି। ୨୦୦୪ ମସିହାରୁ ଇନ୍ଟାକ ସଂରକ୍ଷଣ କ୍ଷେତ୍ରରେ ଅନୁସନ୍ଧାନ ମୂଳକ ତଥ୍ୟ ସଂଗ୍ରହ କରିବାରେ ମଧ୍ୟ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଗତ ଦୁଇ ଦଶନ୍ଧି ହେବ ଇନ୍ଟାକ ଓଡ଼ିଶାରେ ଅନେକ ପ୍ରକଳ୍ପ ଉପରେ କାମ କରିଛି। ରାଜ୍ୟ ଆବାଳକ ତଥା ଅବସରପ୍ରାପ୍ତ ଆଇପିଏସ୍ ଆର୍ମୀୟ ଭୂଷଣ ତ୍ରିପାଠୀଙ୍କ ନେତୃତ୍ବରେ ଅନେକ ମଠ, ମନ୍ଦିର, ପ୍ରାସାଦ ସଂରକ୍ଷଣ କାମ କରାଯାଇଛି। ଇନ୍ଟାକ ଦ୍ବାରା କଟକ ଯୋବ୍ରା ସାମୁଦ୍ରିକ ସଂଗ୍ରହାଳୟ, ହୁକିଟୋଲା, ସମ୍ବଲପୁର ଗାଣୀ ମନ୍ଦଲ, ପୁରୀର ଜାନକୀନାଥ ବିଗ୍ରହ ପରି ପ୍ରାୟ ୩୫ଟି ସଂରକ୍ଷଣ ପ୍ରକଳ୍ପ କାମ କରାଯାଇଛି । ଓଡ଼ିଶାରେ ଇନ୍ଟାକର ୧୪ଟି ଶାଖାରେ ୨୦୦ ସଦସ୍ୟ ଅଛନ୍ତି। ଇନ୍ଟାକ ଅନେକ ତାଲିକାଭୂକ୍ତ ଓ ଡକ୍ୟୁମେଣ୍ଟେସନ୍ ପ୍ରକଳ୍ପ ହାତକୁ ନେଇ ସଫଳତାର ସହ କାମ କରିଛି। ଯେଉଁଥିରେ ଜଗନ୍ନାଥ ସଡ଼କର ପୁନଃଆବିଷ୍କାର, ପ୍ରାଚୀ ଉପତ୍ୟକା, ମହାନଦୀ ଉପତ୍ୟକାର ଐତିହ୍ୟର ତାଲିକାଭୁକ୍ତ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ।