ଲଣ୍ଡନର ରାଜରାସ୍ତାରେ ଶାଢ଼ୀର ରଙ୍ଗାରଙ୍ଗ ଶୋଭାଯାତ୍ରା
ଲଣ୍ଡନ : ବିଶ୍ଵର ସାଂସ୍କୃତିକ ରାଜଧାନୀ ଲଣ୍ଡନ ନଗରୀର ରାଜରାସ୍ତାରେ ନିକଟରେ ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଶାଢ଼ୀର ଅନନ୍ୟ ଓ ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା। ଜାତୀୟ ହସ୍ତତନ୍ତ ଦିବସର ଅବ୍ୟବହିତ ପୂର୍ବରୁ “ଇନସ୍ପାୟାରିଂ ଇଣ୍ଡିଆନ ୱିମେନ୍ ଗ୍ରୁପ”ର ସହଯୋଗରେ ” ବ୍ରିଟିଶ ୱିମେନ ଇନ୍ ଶାରିଜ୍” ( ବି.ଡବ୍ଲୁ.ଆଇ.ଏସ) ସଂସ୍ଥା ତରଫରୁ ଆୟୋଜିତ ଶାଢ଼ୀ ୱାକାଥନକୁ ବିପୁଳ ସଫଳତା ମିଳିଥିବା ଜଣାଯାଇଛି। ବି.ଡବ୍ଲୁ.ଆଇ.ଏସର ପ୍ରତିଷ୍ଠାତା ସଭାପତି ଡଃ ଦୀପ୍ତି ଜୈନଙ୍କର ନେତୃତ୍ୱରେ ଅନୁଷ୍ଠିତ ଏହି ରଙ୍ଗାରଙ୍ଗ ଶାଢ଼ୀ ଶୋଭାଯାତ୍ରାରେ ଭାରତର ୧୬ଟି ପ୍ରଦେଶରୁ ୭୦୦ରୁ ଉର୍ଦ୍ଧ୍ବ ମହିଳା ଭାଗ ନେଇଥିଲେ। ୟୁନାଇଟେଡ କିଙ୍ଗଡମର ଇତିହାସରେ ପ୍ରଥମଥର ପାଇଁ ଆୟୋଜିତ ଏହି ଶାଢ଼ୀ ୱାକାଥନ ଐତିହାସିକ ଟ୍ରାଫାଲଗର ଛକ ଠାରୁ ଆରମ୍ଭ ହୋଇ ଡାଉନିଂ ଷ୍ଟ୍ରୀଟ ବାଟ ଦେଇ ଯାଇ ସୁନ୍ଦର ସବୁଜିମା ଭରା ସଂସଦ ଛକ ନିକଟରେ ସମାପ୍ତ ହୋଇଥିଲା। ଏଠାରେ ଅବସ୍ଥିତ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତରେ ପ୍ରତିଯୋଗୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୱାକାଥନକୁ କେନ୍ଦ୍ରକରି ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅଜସ୍ର ଉଲ୍ଲାସ, ଅଦମ୍ୟ ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ଏହି ୱାକାଥନରେ ଓଡ଼ିଶାର ୨୫ ଜଣ ମହିଳା, ଡଃ ରେଣୁକା ଜେନାଙ୍କର ନେତୃତ୍ୱରେ ଭାଗ ନେଇଥିଲେ। ସେମାନେ ରାଜ୍ୟର ପାରମ୍ପରିକ ଜାଜଲ୍ୱମାନ ହସ୍ତତନ୍ତ ଶାଢୀ ଯଥା ବୋମକାଇ, ଦୋଳବେଦୀ, ସମ୍ବଲପୁରୀ, ଖଣ୍ଡୁଆ, ପଶାପଲ୍ଲୀ, ଗୋପାଳପୁର ଟସ୍ସର ଏବଂ କୋଟପାଡ଼ ଆଦି ପରିଧାନ କରି ରାଜକୀୟ ଠାଣିରେ ଚାଲିବାର ଅଭିନବ ଅନୁଭୂତି ଏବଂ ବିରଳ ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଓ ଅବିସ୍ମଣୀୟ ଥିଲା। ଓଡ଼ିଶା ଦଳରେ ସ୍ଥାନ ପାଇଥିବା ମହିଳାମାନେ ହେଲେ ସଂଯୋଜକ ଡଃ ରେଣୁକା ଜେନା, ମୋନାଲିସା ସେନାପତି, ସ୍ଵାତୀ ରେଖା, ରୀନା ମେହେର, ରଶ୍ମିତା ପାତ୍ର, ତନୟା ସେନ, ଗୀତା ଚନ୍ଦ୍ରା, ସୋନିକା ଗୋଏଲ, ପ୍ରିୟଦର୍ଶିନୀ ସାହୁ, ବନିତା ରାଉତ, ଡଃ ଉଷା ରାଉତ, ନିହାରିକା ସାହୁ, ଡଃ ଲିପି ପ୍ରଧାନ, ଡଃ ସଂଯୁକ୍ତା ଦାସ, ଡଃ ଇନ୍ଦ୍ରରମିତ୍ ସାହାନୀ, ପ୍ରଜ୍ଞା ଆରିହାନ, ମଧୁସ୍ମିତା ଜେନା, କିଞ୍ଜଲ୍ ପଟେଲ, କନକଲତା ପଟେଲ, କ୍ରୀଷ୍ଣା କର, ରଶ୍ମୀ ମିଶ୍ର, ଗୀତିକା ଗୋହେ, ସାଗରିକା ମହାନ୍ତି, ମମତା ମିଶ୍ର ଓ ମଧୁଶ୍ରୀ ଘୋଷ। ୱାକାଥନ ସଦସ୍ୟମାନଙ୍କୁ ରାସ୍ତାର ଉଭୟ ପାର୍ଶ୍ବରେ ଉପସ୍ଥିତ ଦେଖଣାହାରୀମାନେ ବାଃ ବାଃ କରିବା ସହିତ ସେମାନଙ୍କର ଭୂରୀ ଭୂରୀ ପ୍ରଶଂସା କରୁଥିବା ଦେଖା ଦେଇଥିଲା।



ଡାଉନିଂ ଷ୍ଟ୍ରୀଟଠାରେ ୱାକାଥନର ଅଂଶଗ୍ରହଣକାରୀମାନଙ୍କ ଦ୍ଵାରା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ବର୍ଷର ବିଶେଷତ୍ଵକୁ ବର୍ଣ୍ଣନା କରି ଗାୟନ କରାଯାଇଥିବା ସଙ୍ଗୀତ ଏବଂ ସଂସଦ ଛକଠାରେ ପରିବେଷିତ ଲୋକପ୍ରିୟ ରଙ୍ଗବତୀ ନୃତ୍ୟ ତଥା ଗୀତ ଏହି ସମାରୋହର ବିଶେଷ ଆକର୍ଷଣ ଥିଲା। ଉଦୀୟମାନ ଫଟୋଗ୍ରାଫର ଅକ୍ଷିତା ବ୍ରହ୍ମା ସମଗ୍ର କାର୍ଯ୍ୟକ୍ରମର ଫଟୋ ଉତ୍ତୋଳନ କରିଥିଲେ। ଲଣ୍ଡନସ୍ଥିତ ଭାରତୀୟ ହାଇକମିସନର ସାଂସ୍କୃତିକ ବିଭାଗ ମୁଖ୍ୟ ନନ୍ଦିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୱାକାଥନର ମୁଖ୍ୟ ଉଦ୍ଦେଶ୍ୟ ଭାରତୀୟ ହସ୍ତଶିଳ୍ପ ଏବଂ ହସ୍ତତନ୍ତକୁ ପ୍ରୋତ୍ସାହନ ଯୋଗାଇବା ସାଙ୍ଗକୁ ବୁଣାକାର ମାନଙ୍କୁ ନୂତନ ଓ ପ୍ରୟୋଗାତ୍ମକ କିସମର ଶାଢ଼ୀ ପ୍ରସ୍ତୁତ କରିବାପାଇଁ ଉତ୍ସାହିତ କରିବା ଥିଲା। ୱାକାଥନରୁ ହୋଇଥିବା ଆୟକୁ ଭାରତର ବୁଣାକାର ବସ୍ତି ମାନଙ୍କର ବିକାଶ ଉଦେଶ୍ୟରେ ବିନିଯୋଗ କରାଯିବ ବୋଲି ଆୟୋଜକମାନେ ଏହି ଅବସରରେ ଘୋଷଣା କରିଥିଲେ।