ସାଂସାରିକ ଅଭିବ୍ୟକ୍ତିରେ ନିହିତ ଥାଏ ସାହିତ୍ୟର ଧର୍ମ : ଲେଖକ ଶ୍ରୀ ଅନନ୍ତ ଚରଣ ସ୍ୱାଇଁ
ତାଙ୍କ ସାହିତ୍ୟ ଅର୍ଥନୀତି ଓ ସାହିତ୍ୟ ମଧ୍ୟରେ ଏକ ସେତୁ ରୂପେ କାର୍ଯ୍ୟ ନିର୍ବାହ କରିଥାଏ।ସାହିତ୍ୟ ମାଧ୍ୟମରେ କିପରି ଜଣେ ସାଧାରଣ ମଣିଷର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ସେହି ଦିଗ ପ୍ରତି ସର୍ବଦା ଯତ୍ନବାନ ଅଟନ୍ତି ଏହି ଲେଖକ ଜଣକ । ସେହି ସୁସାହିତ୍ୟିକ ଜଣକ ହେଉଛନ୍ତି ଶ୍ରୀ ଅନନ୍ତ ଚରଣ ସ୍ୱାଇଁ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀ ଅନନ୍ତ ନିଜର ଛାତ୍ର ଜୀବନ ସମୟରୁ ଲେଖାଲେଖି କରୁଥିଲେ ।
ତେବେ ସେ ସମସ୍ତ ଲେଖା ମାତୃଭୂମି, ସମାଜ ଆଦିରେ ପ୍ରକାଶ ମଧ୍ୟ ପାଇଥିଲା।ତାଙ୍କ ଦ୍ୱାରା ରଚିତ କବିତା ମଧ୍ୟ ଦୂରଦର୍ଶନରେ ଗୀତ ଆକାରରେ ପରିବେଷଣ ହୋଇଅଛି।
ଶିକ୍ଷା ସମାପ୍ତି ପରେ ବ୍ୟାଙ୍କ ସେବାରେ ଯୋଗ ଦେଇଥିଲେ ଅନନ୍ତ ଚରଣ।ଓଡିଆ ଭାଷା ସାହିତ୍ୟର ମନୋଜ ଦାସ, ପ୍ରତିଭା ରାୟ, ବିଭୁତି ପଟ୍ଟନାୟକଙ୍କୁ ନିଜର ଆଦର୍ଶ ମାନନ୍ତି ଶ୍ରୀ ସ୍ୱାଇଁ।ତେବେ ଗଳ୍ପ ରଚନା କରିବାକୁ ଖୁବ୍ ପସନ୍ଦ କରନ୍ତି ଏହି ଲେଖକ ଜଣକ।ତାଙ୍କ ମତରେ ସାହିତ୍ୟ ମାଧ୍ୟମରେ ଆମେ ବିଭିନ୍ନ ଲୋକଙ୍କ ପାଖେ ପହଁଚିବା ସହ ଭାବର ଆଦାନ ପ୍ରଦାନ ମଧ୍ୟ ହୋଇପାରିବ।
ନିଜର ବଦଳି ଚାକିରୀ ଯୋଗୁ ରାଜ୍ୟ ବାହାର ଆସାମ,ନାଗାଲାଣ୍ଡ ଭଳି ପ୍ରଦେଶମାନଙ୍କରେ ନିଯୁକ୍ତି ପାଇଥିଲେ।ସେଠାରେ ସାଧାରଣ ଲୋକଙ୍କ ସହ ସଂସ୍ପର୍ଶରେ ଆସିଥିଲେ ଅନନ୍ତ।ଜଣେ ଅର୍ଥନୀତିଜ୍ଞ ହୋଇଥିବା ଯୋଗୁ ସେମାନଙ୍କ ଆର୍ଥିକ ସମସ୍ୟାକୁ ବୁଝିପାରି ଅନେକ ଆର୍ଥିକ ପରାମର୍ଶ ପ୍ରଦାନ କରିଥିଲେ ଏହି ସୁଲେଖକ ଜଣକ।ମାତ୍ର ଏହି ପରାମର୍ଶ ଯଦି ସାହିତ୍ୟର ରୂପ ପାଏ ତେବେ ଏହାର ସୁଫଳ ସମସ୍ତେ ପାଇ ପାରିବେ ବୋଲି ହୃଦବୋଧ କରି ଆର୍ଥିକ ପରାମର୍ଶ ଓ ସମସ୍ୟା ଉପରେ ଲେଖିବାକୁ ଲାଗିଲେ ଶ୍ରୀଯୁକ୍ତ ସ୍ୱାଇଁ।ଯାହା ପରବର୍ତ୍ତୀ ସମୟରେ ଜନାଦୃତ ହୋଇଛି।
ଜୀବନରେ ଜନ୍ମ ଓ ମୃତ୍ୟୁ ଦୁଇଟି ନିରାଟ ସତ୍ୟ।ତେଣୁ ଜଣେ ଲୋକ ବଂଚିବା ପର୍ଯ୍ୟନ୍ତ କିପରି ଆର୍ଥିକ ସମସ୍ୟାରେ ଉବୁଟୁବୁ ନ ହୋଇ ଭଲରେ ବଞ୍ଚିବ ସେଥିପାଇଁ ଶ୍ରୀ ଅନନ୍ତ ସର୍ବଦା ଚେଷ୍ଟିତ।ତାଙ୍କ ସାହିତ୍ୟର ମୁଖ୍ୟ ପ୍ରସଙ୍ଗ ଥାଏ ଲୋକମାନେ କିପରି ସରକାରୀ ଯୋଜନାର ଉପଯୋଗ,ସାମାଜିକ ସୁରକ୍ଷାର ଉପଯୋଗ କରିପାରିବେ ଯେମିତିକି କୋରାପୁଟ ଓ ନବରଙ୍ଗପୁର ଭଳି ପଛୁଆ ଜିଲ୍ଲାର ଲୋକଙ୍କ ପାଖେ ସମସ୍ତ ସରକାରୀ ଯୋଜନାର ସୁଫଳ ଭାବେ ପହଞ୍ଚିବ ସେହି ସମସ୍ତ ଦିଗ ଉପରେ ଧ୍ୟାନ ଦେଇ ତାକୁ ଲେଖନୀର ରୂପ ଦିଅନ୍ତି ଅନନ୍ତ ଚରଣ।
ଲେଖକ ଅନନ୍ତ ଚରଣ ସ୍ବାଇଁଙ୍କ କିଛି କୃତି-
ପୁସ୍ତକ ସଂକଳନ-ସୁରକ୍ଷିତ ଭବିଷ୍ୟତ
କବିତା-ପାଠ କାହିଁ ପାଇଁ ପଢ଼,ଟିକି କଲମ,ଚମକିବ ଗାଁ ଦାଣ୍ଡ
ଗଳ୍ପ-ମୂଷା,କୋଇଲି,ରାଜାଙ୍କ ଜ୍ଞାନଦୋୟ,ଧନୀ ହେବ କିପରି
ଆଗାମୀ ଦିନରେ ସାହିତ୍ୟ ରଚନା କ୍ଷେତ୍ରକୁ ଆସୁଥିବା ଯୁବ ସାହିତ୍ୟିକଙ୍କୁ ଅନନ୍ତ ଏହା ଉପଦେଶ ଦିଅନ୍ତି ଯେ “ଲେଖିବା ପାଇଁ ଧୈର୍ଯ୍ୟ ଆବଶ୍ୟକ । ସଂସାରଧର୍ମୀ ସାହିତ୍ୟ ଲେଖନ୍ତୁ।ପ୍ରତ୍ୟହ କିଛି କିଛି ପୁସ୍ତକ ପଢନ୍ତୁ ଏବଂ ନିଜର ଲେଖାକୁ ଅତିରଞ୍ଜିତ ନ କରି ସରଳ ଭାଷାରେ ପ୍ରସ୍ତୁତ କଲେ ଏହା ପାଠକଙ୍କ ପାଇଁ ମଧୁର ହେବ।”
ସାକ୍ଷାତକାର : ଦେବୀପ୍ରସାଦ ରଥ